Odiapua.com

କୃଷି ଯନ୍ତ୍ରପାତି ସବସିଡ ଅର୍ଥ ହଡ଼ପର ତଦନ୍ତ ଦାବି – ବିଜେପି ପକ୍ଷରୁ ରେମୁଣାରେ ଜାତୀୟ ରାଜପଥ ଅବରୋଧ

ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଚାଷୀଙ୍କ ନାଆଁରେ କୃଷି ଯନ୍ତ୍ରପାତି ଉଠାଇ ରେମୁଣା ବିଧାୟକ କୋଟି କୋଟି ଟଙ୍କାର ସବସିଡ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ବିଜେପି ରେମୁଣା ଶାଖା ପକ୍ଷରୁ ଆଜି ଜାତୀୟ ରାଜପଥ ଅବରୋଧ କରାଯାଇଛି। ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରେମୁଣା ଗୋଲେଇଠାରେ ରାସ୍ତାରୋକ ଓ ବିକ୍ଷୋଭ କାର୍ଯ୍ୟରେ ଯୋଗ ଦେଇଥିଲେ। ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସମେତ ବିଜେପି ନେତା ବିପିନ ଦାସ, ଜିଲାପରିଷଦ ସଦସ୍ୟ ବିପିନ ମାରାଣ୍ଡି ଓ ସୀତାରାମ ପ୍ରଧାନ, ସରପଞ୍ଚ ସୀତାଞ୍ଜଳି ଗିରି, କ୍ୟାପଟେନ ଭାସ୍କର ମଲ୍ଲିକ, ଶୋଭନା ମହାନ୍ତି, କୃଷ୍ଣଚନ୍ଦ୍ର ସାହା, ମିଥୁନ ସାହା, ପ୍ରଦୀପ ଦାସ, କାହ୍ନୁ ବେହେରା, ନିତାଇ ଚରଣ ନାୟକ, ବିଜେପି ନେତା ଯୋଗଦେଇ ରେମୁଣା ବିଧାୟକଙ୍କ ଚାଷୀଙ୍କ ସବସିଡ ଅର୍ଥ ହଡ଼ପ ଘଟଣାର ତୀବ୍ର ସମାଲୋଚନା କରିଥିଲେ। ବାରମ୍ବାର ଅଭିଯୋଗ ପରେ ବି ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ଚାଷୀଅର୍ଥ ଆତ୍ମସାତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ। ଏନେଇ ସବୁଠାରୁ ବଡ଼କଥା ହେଲା ବିଧାୟକ ଶ୍ରୀ ପରିଡ଼ାଙ୍କ କଳାକାରନାମା ବିରୋଧରେ ଭିଜିଲାନ୍ସ ବିଭାଗ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଉପରେ ବି ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଶେଷରେ ଏହା ବିରୋଧରେ ବିଜେପି ଆନ୍ଦୋଳନମୁଖୀ ହୋଇଥିବା ପୂର୍ବତନ ବିଧାୟକ ଶ୍ରୀ ଦାସ କହିଛନ୍ତି। ଏହି ଅବସରରେ ବିଜେପି କର୍ମୀମାନେ ରେମୁଣା ବିଧାୟକ, ରାଜ୍ୟ କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ରାସ୍ତାରୋକ ପରେ ଯଦି ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଯାଏ, ତାହାଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ପରେ ଆନ୍ଦୋଳନକାରୀମାନେ ଭିଜିଲାନ୍ସ ବିଭାଗ ଏସପି ଅଫିସ ଘେରାଓ କରିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।