Odiapua.com

କୃଷି ବିଲ୍ ପ୍ରସଙ୍ଗରେ କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦି ସରକାର, କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରର ମୋଦି ସରକାର କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି । ୩ ବିବାଦୀୟ କୃଷି ଆଇନ୍‌କୁ ପ୍ରତ୍ୟାହାର କରିନେଇଥିବାରୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିଜୟ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ କିଶାନ ବିଜୟ ଯାତ୍ରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କହିଥିଲେଯେ: ବିବାଦୀୟ କୃଷି ବିଲ ପାରିତ ହେବା ପରେ ସମଗ୍ର ଦେଶରେ କୃଷକ ଅନ୍ଦୋଳନ ଗଢ଼ି ଉଠିଥିଲା । ଆରମ୍ଭରୁ କୃଷକମାନଙ୍କ ଦାବି ସହିତ ଆମର ପ୍ରିୟ ନେତା ରାହୁଲ ଗାନ୍ଧୀ ରହିବା ସହ ସେମାନଙ୍କୁ ନୈତିକ ସମର୍ଥନ ଦେଇ ଆସିଛନ୍ତି । ଆଜି ବିଲ ପ୍ରତ୍ୟାହାର ଦ୍ୱାରା ଆନ୍ଦୋଳନକାଳରେ ସହିଦ ହୋଇଥିବା ୭ଶହରୁ ଉର୍ଦ୍ଧ୍ୱ କୃଷକଙ୍କ ନୈତିକ ବିଜୟ ହୋଇଛି । ଉକ୍ତ ଆନ୍ଦୋଳନରେ କେବଳ କୃଷକ ସାମିଲ ନଥିଲେ, ଖଟିଖିଆ, ମଜଦୁର, ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକ ମଧ୍ୟ ଉକ୍ତ ଆନ୍ଦୋଳନରେ ସଂପୃକ୍ତ ଥିଲେ । ତେଣୁ ଆଜି ସମସ୍ତଙ୍କ ବିଜୟ ହୋଇଥିବାରୁ ଏହି କିଷାନ ବିଜୟ ଯାତ୍ରା ଅନୁଷ୍ଠିତ ହେଉଛି ବୋଲି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଥିଲେ ।

ସେହିପରି ଭଦ୍ରକ ବିଧାନସଭାର କଂଗ୍ରେସ ନେତା ନଳିନୀ ମହାନ୍ତି ନିଜ ବକ୍ତବ୍ୟରେ ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛନ୍ତି । କୃଷି ଆଇନ ପ୍ରତ୍ୟାହାର ହେବା ମୋଦିଙ୍କ ଅହଂକାରର ଓ ଚାଷୀ ବିରୋଧୀ ବିଜେପି ଓ ତାଙ୍କ ପୁଞ୍ଜିପତି ସରକାରଙ୍କ ହାର ହୋଇଛି ବୋଲି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ । ତେବେ ୬୨ କୋଟି କୃଷକ ପରିବାରର ସ୍ୱାର୍ଥକୁ ଆଦାନୀ, ଅମ୍ବାନୀ ଓ କର୍ପୋରେଟ୍ କଂପାନୀ ହାତକୁ ଟେକିଦେବା ପରି ଉଦ୍ଦେଶ୍ୟ ଆଜି ଫସର ଫାଟିଛି ବୋଲି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦିଗମ୍ବର ଦାସ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ଜିଲ୍ଲା ମହିଳା ସଭାପତି ସବିତା ଚାନ୍ଦ, କୃଷକ ନେତା ନନରାରାୟଣ ଜେନା, ଅବଦୁଲ ମୋକିଦ ଖାଁ, ରଜନୀ ଚାନ୍ଦ, ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ମୁଖପାତ୍ର ଭବେନ୍ଦ୍ର ସାହୁ, ପିତବାସ ଧଳ, ମମତା ନାୟକ, ଅଜୟ ସାହୁ, ଗୋଲକ ମହାପାତ୍ର, ଅଶ୍ରଫ ଅଲ୍ଲୀ ଖାନ, ପ୍ରଦ୍ରୁମ୍ନ ଦାସ, ନିରଂଜନ ମଲ୍ଲିକ, ବିଜୟ ବାରିକ, ରଂଜନ ଜେନା, ବୈଲୋଚନ ପଣ୍ଡା, ସୁବ୍ରତ ବେହୁରିଆ, ସୂର୍ଯ୍ୟନାରାୟଣ ମହାନ୍ତି, ରମେଶ ଭାରତୀ, ହରିହର ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।