Odiapua.com

କୃଷି ବିଲ୍‌କୁ ବିରୋଧ କରି ଭାରତ ବନ୍ଦକୁ ସଫଳ କରିବାକୁ ସମାଜବାଦୀ ପାର୍ଟିର ଆହ୍ୱାନ

ଭୁବନେଶ୍ୱର, ୨୩ା୯ (ଓଡ଼ିଆ ପୁଅ) : ବିରୋଧି ଦଳର ମତାମତକୁ ବେଖାତିର କରି ସମସ୍ତ ସଂସଦୀୟ ପରମ୍ପରାକୁ ଏଡ଼ାଇ ଦେଇ ଶାସକ ବିଜେପି ଦଳ ତିନୋଟି କୃଷି ବିଲ୍‌କୁ ସାଂସଦରେ ଗୃହୀତ କରାଇ ନେଇଛନ୍ତି। ଏହି ବିଲ୍ ଆଇନ୍‌ରେ ପରିଣତ ହେଲାପରେ ଭାରତ ବର୍ଷର କୃଷି ଉପରେ ନିର୍ଭରଶୀଳ ୬୦ ଭାଗ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ କର୍ପୋରେଟ୍ ଜଗତ ହାତରେ ବନ୍ଧା ପଡ଼ିଯିବ ବୋଲି ସମାଜବାଦୀ ପାର୍ଟି ଆଶଙ୍କା କରିଛି। ଏହି ବିଲ୍‌କୁ ବିରୋଧ କରି ଆସନ୍ତା ୨୫ ତାରିଖ ଶୁକ୍ରବାର ଦିନ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଏବଂ ବିଭିନ୍ନ ବିରୋଧିଦଳ ତରଫରୁ ଜାତୀୟ ପ୍ରତିବାଦ ଦିବସ / ଭାରତ ବନ୍ଦର ଆହ୍ୱାନ ଦିଆଯାଇଛି। ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଏହି ପ୍ରତିବାଦକୁ ନିଜର ସମର୍ଥନ ଘୋଷଣା କରୁଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ପ୍ରତିବାଦ ଦିବସକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ କୃଷକ ସଂଗଠନ, ବାମଗଣତାନ୍ତ୍ରିକ ବିରୋଧି ଦଳକୁ ପ୍ରତିବାଦରେ ସାମିଲ୍ ହେବାକୁ ନିବେଦନ କରିଛନ୍ତି। ସଂସଦଠାରୁ ସଡ଼କ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ବିଜେପିର ଜନବିରୋଧି, କୃଷକ ଓ ଶ୍ରମିକ ମାରଣ ନୀତିର ବିରୋଧ କରିଆସିଛି ଏବଂ ଏହାର ସାଂସଦମାନେ ଏହାକୁ ବିରୋଧ କରି ଗୃହତ୍ୟାଗ ମଧ୍ୟ କରିଛନ୍ତି। ଘରେ ନ ପସୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହେବା ପରେ ପରେ ଆଳୁ, ପିଆଜ, ଡାଲି, ତେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଛି। ଖୋଦ୍ ରାଜଧାନୀରେ ଆଳୁ ୩୫ ଟଙ୍କା, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ଏହି ସମାଗ୍ରୀର ଦର ବୃଦ୍ଧି ପାଇଥିଲେ ହେଁ କୃଷକ ତା’ର ଲାଭ ପାଉନାହିଁ ଏବଂ ଖାଉ ଶୋଷଣ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ଏହା ଯେ ଆହୁରି ଭୟାବହ ହେବ ଉଭୟ କୃଷକ ଓ ଖାଉଟି ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବେ ତାହା ସହଜରେ ଅନୁମାନ କରାଯାଇପାରେ। ତେଣୁ ଏହି ପରିପ୍ରେକ୍ଷୀରେ ସମସ୍ତ ବିରୋଧି ଦଳ ଓ କୃଷକ ସଂଗଠନଗୁଡ଼ିକ ଏକଜୁଟ୍ ହୋଇ ସର୍ବଭାରତୀୟ ସ୍ତରରେ ଏହି କୃଷକ, ଶ୍ରମିକ ବିରୋଧି କଳା ଆଇନ୍‌କୁ ବାତିଲ୍ କରିବା ପାଇଁ ଯେଉଁ ସଂଗ୍ରାମ ଆରମ୍ଭ କରିଛନ୍ତି ତାହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସର୍ବୋତ୍ତ ଭାବେ ସମର୍ଥନ କରୁଛି ଏବଂ ରାଜ୍ୟରେ ଏକ ଦୃଢ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ସମସ୍ତ ଶକ୍ତି ଓ ସଂଗଠନ ଏଥିରେ ସାମିଲ୍ ହେବାକୁ ଶ୍ରୀ ବେହେରା ଆହ୍ୱାନ କରିଛନ୍ତି।