Odiapua.com

କୃଷି ବିଭାଗର ଦୋମୁହାଁ ନୀତି,କଳାହାଣ୍ଡିରେ ସାର ଅଭାବ,ଚାଷୀ ମୁଣ୍ଡରେ ଭାଲେଣି

କଳାହାଣ୍ଡି- ତା୧୯.୦୯.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ଚାଷ ପାଇଁ ଆବଶ୍ୟକତା ଅନୁଯାୟୀ ୟୁରିଆ ସାରର ଘୋର ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାରେ ଚାଷ ପାଇଁ ୩୨ ହଜାର ୫୦୦ ମେଟ୍ରିକ ଟନ ୟୁରିଆସାର ଆବଶ୍ୟକ ପଡିଥାଏ ବୋଲି କୃଷି ବିଭାଗ ସୂତ୍ରରୁ ଜଣାପଡିଛି । ହେଲେ ଜିଲ୍ଲାକୁ ମାତ୍ର ୧୯ହଜାର ୫୬ ମେଟ୍ରିକ ଟନ ସାର ଆସିଥିବା ବେଳେ ସାର ଅଭାବରୁ ଚାଷ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।
ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଖରିଫ ଚାଷ ପାଇଁ ମୋଟ ୩୨ ହଜାର ୫୦୦ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର କୃଷି ବିଭାଗ ପକ୍ଷରୁ ଜିଲ୍ଲାକୁ ୨୯ ହଜାର ମେଟ୍ରିକ ଟନ ୟୁରିଆ ସାର ଯୋଗାଇ ଦେବାକୁ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଭବାନୀପାଟଣା ବ୍ଲକରେ ୩୪୧୫ ମେଟ୍ରିକ ଟନ,କେସିଙ୍ଗା ବ୍ଲକ ପାଇଁ ୨୩୬୯ ମେଟ୍ରିକ ଟନ,ଥୁଆମୂଲ ରାମପୁର ବ୍ଲକ ପାଇଁ ୭୬ ମେଟ୍ରିକ ଟନ,ନର୍ଲା ବ୍ଲକ ପାଇଁ ୨୧୭୬ ମେଟ୍ରିକ ଟନ,ମଦନପୁର ରାମପୁର ବ୍ଲକ ପାଇଁ ୧୧୪୦ ମେଟ୍ରିକ ଟନ,କର୍ଲାମୁଣ୍ଡା ବ୍ଲକ ପାଇଁ ୧୨୦୭ ମେଟ୍ରିକ ଟନ,ଲାଞ୍ଜିଗଡ ବ୍ଲକ ପାଇଁ ୨୫୩ ମେଟ୍ରିକ ଟନ,ଧର୍ମଗଡ ବ୍ଲକ ପାଇଁ ୨୮୨୪ ମେଟ୍ରିକ ଟନ,କୋକସରା ବ୍ଲକ ପାଇଁ ୨୬୭୪ ମେଟ୍ରିକ ଟନ,ଗୋଲାମୁଣ୍ଡା ବ୍ଲକ ପାଇଁ ୩୪୦୨ ମେଟ୍ରିକ ଟନ,ଜୁନାଗଡ ବ୍ଲକ ପାଇଁ ୩୪୩୨ ମେଟ୍ରିକ ଟନ,ଜୟପାଟଣା ବ୍ଲକ ପାଇଁ ୩୮୮୫ ମେଟ୍ରିକ ଟନ,କଲମପୁର ବ୍ଲକ ପାଇଁ ୨୧୩୧ ମେଟ୍ରିକ ଟନ ଯୋଗାଇ ଦିଆଯିବାର ଧାର୍ଯ୍ୟ ହୋଇଥିବା ଜଣାପଡିଛି । ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ୨୯ ହଜାର ୫୪୬ ମେଟ୍ରିକ ଟନ ୟୁରିଆ ସାର ଆସିଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି । ଏଥି ମଧ୍ୟରୁ ଜିଲ୍ଲାର ୭୪ଟି ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ୨ହଜାର ୯୮୯ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଥିବା ବେଳେ ଲାଇସେନ୍ସ ପ୍ରାପ୍ତ ୭୮୦ ଜଣ ପ୍ରାଇଭେଟ ବ୍ୟବସାୟୀଙ୍କୁ ସାର ଯୋଗାଇ ଦିଆଯାଇଥିବା କୃଷି ବିଭାଗ ତରଫରୁ କୁହାଯାଉଛି । ଘରୋଇ ବ୍ୟବସାୟୀଙ୍କ ପାଖରେ ଅଧିକ ସାର ରହିଥିବା ହେତୁ ଚାଷୀ ଚଢାଦାମରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଜିଲ୍ଲାକୁ ଆବଶ୍ୟକ ପରିମାଣର ସାର ପହଂଚି ପାରିନଥିବାରୁ କୃଷି ବିଭାଗର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାଛଡା ଜିଲ୍ଲାରେ ଅବସ୍ଥାପିତ କୃଷି ଉପନିଦେ୍ର୍ଦଶକ ଆଗାମୀ ମାସେ ଦୁଇମାସରେ ଅବସର ନେବାକୁ ଥିବା ହେତୁ ସେ ଯଣତେଣ ପ୍ରକାରେ ଚାକିରୀ ସମୟ କାଟିଦେବାକୁ ଚାହୁଁଥିବା ହେତୁ କୌଣସି ପ୍ରକାର ଠୋସ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ବିଭିନ୍ନ ଅଂଚଳରେ ଚଢାଦରରେ ସାର ବିକ୍ରି ହେଉଥିବା ବେଳେ ନାମକୁ ମାତ୍ର ଲୋକଦେଖାଣିଆ ଭାବେ ଚଢଉ କରାଯାଇ ଦାୟୀତ୍ୱ ସାରି ଦେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ କ୍ରମାନ୍ୱୟ ବର୍ଷା ଯୋଗୁଁ ଚାଷ କ୍ଷତି ହୋଇଥିବା ବେଳେ ଆବଶ୍ୟକ ପରିମାଣରେ ସାର ପାଇନପାରି ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବିଗତ ଦୁଇବର୍ଷ ହେବ କୃଷି ବିଭାଗ ଏକ ପ୍ରକାର ସ୍ଥାଣୁ ପାଳଟି ଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଚାଷୀଙ୍କ ଉନ୍ନତି ନେବା ପାଇଁ ବିଭାଗୀୟ ପଦାଧିକାରୀମାନେ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ଏନେଇ କୃଷି ଉପନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସାର କଳାବଜାର ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି । ଆହୁରି ଅଧିକ ସାର ଯୋଗାଇ ଦେବାକୁ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦେଇଥିବା ପ୍ରକାଶ କରିଛନ୍ତି ।