Odiapua.com

‘କୃଷି ଓଡ଼ିଶା’ ଦେଖାଉଛି ରୋଜଗାରର ବାଟ : ପ୍ରାଣୀ ସମ୍ପଦ କ୍ଷେତ୍ରରେ ରହିଛି ବ୍ୟାପକ ସୁଯୋଗ

ଗୋପାଳନ ସହ ଛେଳି, ବତକ ଓ କୁକଡ଼ା ପାଳନ କରି ଜଣେ ଚାଷୀ ବର୍ଷକୁ ୩ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

‘ପାଠ ପଢ଼ିବୁ, ଚାକିରି କରିବୁ’। ସ୍ୱପ୍ନ ବିଳାସୀ ଯୁବପିଢ଼ି ଭିତରେ ସାଧାରଣତଃ ଏଇ ଧାରଣାଟି ବସା ବାନ୍ଧିଥାଏ। ମାତ୍ର ଚାକିରି ବାହାରେ ଯେ ରୋଜଗାରର ବ୍ୟାପକ କ୍ଷେତ୍ର ଅଛି, ତାହା ଅନେକ ଚିନ୍ତା ହିଁ କରନ୍ତି ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜଧାନୀର ଜନତା ମୈଦାନରେ ଆୟୋଜିତ ‘କୃଷି ଓଡ଼ିଶା’ ପ୍ରଦର୍ଶନୀ ଘୂରି ବୁଲିଆସିଲେ କିନ୍ତୁ ଏ ଧାରଣା ବଦଳିଯାଇପାରେ। କେବଳ କୃଷି ନୁହେଁ, ଗୋପାଳନ ଓ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରୁ ଯେ ସୁନ୍ଦର ଉପାର୍ଜନ କରିହୁଏ ତାହା ମଧ୍ୟ ବୁଝି ହେବ।

ଯଦି ଆପଣଙ୍କର ୧ଏକର ଜାଗା ଅଛି, ତେବେ ସେଇ ଜାଗାରୁ ଆପଣ ବର୍ଷକୁ ୩ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦେଶକ ଡକ୍ଟର ପ୍ରେମାନନ୍ଦ ରାଉତ। ତାଙ୍କ କହିବା ମୁତାବକ ୧ ଏକର ଜାଗାରେ ୪ଟି ଉନ୍ନତମାନର ଗାଈ, ୫୦ଟି କୁକୁଡ଼ା, ଛୋଟ ପୋଖରୀ, ଘାସ ଚାଷ, ଫଳ ଚାଷ ଆଦି ବ୍ୟବସ୍ଥିତ ଢଙ୍ଗରେ କଲେ ଜଣେ ବର୍ଷକୁ ୩ରୁ ୫ଲକ୍ଷ ଟଙ୍କା ରୋଜଗାର କରିପାରିବ।

ବିଶେଷକରି, ଗୋପାଳନ କ୍ଷେତ୍ରରୁ ଜଣେ ବେଶ୍‌ ଲାଭବାନ ହୋଇପାରିବ। ସାଧାରଣତଃ ଓଡ଼ିଶାରେ ବିଞ୍ଝାରପୁରୀ, ଘୁମୁସରୀ, ଖରିଆର ଓ ମୋଟୁ ଭଳି ଦେଶୀୟ ଗାଈ ଦେଖିବାକୁ ମିଳନ୍ତି। ମାତ୍ର ବିଦେଶରୁ ଆସିଥିବା ହୋଲ୍‌ଷ୍ଟିନ୍ ଗାଈ ଏବେ କ୍ଷୀର ଉତ୍ପାଦନରେ ସବୁଠୁଁ ଆଗରେ ରହିଛି। ହୋଲ୍‌ଷ୍ଟିନ୍ ଗାଈ ମୁଖ୍ୟତଃ ସ୍ୱିଜରଲାଣ୍ଡ୍ ଭଳି ଦେଶମାନଙ୍କରେ ଦେଖବାକୁ ମିଳୁଥିବା ବେଳେ ଓଡ଼ିଶାରେ ଜର୍ସି ଗାଈ ଜରିଆରେ କୃତ୍ରିମ ପ୍ରଜନନ କରାଯାଉଛି। ହୋଲ୍‌ଷ୍ଟିନ୍ ଗାଈ ଦିନକୁ ୫୦ରୁ ୬୦ ଲିଟର କ୍ଷୀର ଦେଇଥାଏ। ତେବେ ଓଡ଼ିଶାରେ କୃତ୍ରିମ ପ୍ରଜନନ ମାଧ୍ୟମରେ ହେଉଥିବା ହୋଲ୍‌ଷ୍ଟିନ ପ୍ରଜାତିର ଗାଈ ନିଜେ ଜନ୍ମ କରିବା ପରେ ୧୫ରୁ ୧୭ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଛି।

ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଡକ୍ଟର ମଦନ ମୋହନ ମହାପାତ୍ରଙ୍କ କହିବା ଅନୁଯାୟୀ, ହୋଲ୍‌ଷ୍ଟିନ ଗାଈ ଯଥେଷ୍ଟ ଦୁଗ୍ଧ ଉତ୍ପାଦନର ସୁଯୋଗ ସୃଷ୍ଟି କରୁଥିଲେ ହେଁ ତାକୁ ସେଇଭଳି ଯତ୍ନ ନିଆନଗଲେ ଏହି ପ୍ରଜାତି ବେଶିଦିନ ତିଷ୍ଠିବ ନାହିଁ। ଥଣ୍ଡା ଜଳବାୟୁରେ ବଢ଼ିଥିବାରୁ ହୋଲ୍‌ଷ୍ଟିନ୍ ରହୁଥିବା ଗୁହାଳରେ ପଙ୍ଖାର ଆବଶ୍ୟକତା ରହିଛି। ସ୍ଥଳବିଶେଷରେ ତାକୁ ଏସିରେ ମଧ୍ୟ ରଖିବାକୁ ପଡ଼େ। ସୁବିଦିନେ ଗାଧୋଇବାକୁ ପଡ଼େ। ପରିଷ୍କାର ପାଣି ଦେବାକୁ ପଡ଼େ। ଯେଉଁ ଗାଈ କ୍ଷୀର ଦେଉ ନଥାଏ ତାକୁ ଅନ୍ୟୂନ ଦେଢ଼ କେଜି ଦାନା ଖୁଆଇବାକୁ ପଡ଼େ। ସେହିପରି ଗାଈଟି ଯେତିକି କ୍ଷୀର ଦେଉଥାଏ ତାକୁ ସେଇ ହିସାବରେ ଲିଟର କ୍ଷୀର ପିଛା ଦେଢ଼ କେଜି କରି ଦାନାର ଆବଶ୍ୟକତା ପଡ଼େ। ଏହାଛଡ଼ା ଘାସ ଦେବାକୁ ପଡ଼େ। ଯଦି ଏସବୁକୁ ପାଳନ କରାଯାଏ ତେବେ ଗାଈଟି ବର୍ଷକୁ ୨୫୦ରୁ ୨୮୦ ଦିନ ପାଖାପାଖି କ୍ଷୀର ଦିଏ ବୋଲି କହିଛନ୍ତି ଡକ୍ଟର ମହାପାତ୍ର।

ସାଇୱାଲ ପ୍ରଜାତିର ଗାଈ ମଧ୍ୟ ଓଡ଼ିଶା ପରିବେଶରେ ଖାପ ଖୁଆଇ ନେଇଥିବାରୁ ସେମାନଙ୍କୁ ସାଧାରଣ ଭାବେ ପାଳି ଦୈନିକ ୮ରୁ ୧୦ ଲିଟର ପର୍ଯ୍ୟନ୍ତ କ୍ଷୀର ଉତ୍ପାଦନ କରି ହେବ। ଏହା ବ୍ୟତୀତ ଗୀର୍ ଓ ଥାରପାର୍କର ଭଳି ଦେଶୀୟ ପ୍ରଜାତିର ଗାଈ ଆଦିମ ସମୟର ହୋଇଥିବା ବେଳେ ସେମାନଙ୍କର କ୍ଷୀର ଉତ୍ପାଦ କ୍ଷମତା ବହୁତ ଲାଭ ପ୍ରଦାନ କରୁଛି। ସଂପ୍ରତି ରାଜ୍ୟରେ ୧୬କୋଟି ୧୫ ଲକ୍ଷ ଗୋସମ୍ପଦ ଚିହ୍ନଟ ହୋଇଛି। ଗୋପାଳନ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି ବୋଲି ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି।

ବିଞ୍ଝାରପୁରୀ ଗାଈ ଦୈନିକ ୫-୬ ଲିଟର କ୍ଷୀର ଦେଇଥାଏ। ତେବେ ହୋଲଷ୍ଟିନ୍ ଭଳି ଏହାକୁ ପାଳିବାରେ ଏତେ ଝିନ୍‌ଝଟ ନଥାଏ। ହରିୟାଣା ଗାଈ ସହ ମିଶାଇ ବିଞ୍ଝାରପୁରୀରୁ ପ୍ରଜନନ କଲେ ଗାଈ ଭଲ କ୍ଷୀର ଦେଉଥାଏ। ଏହାର ଅଣ୍ଡିରା ଛୁଆର ମଧ୍ୟ ବେଶ୍ ଚାହିଦା ଥାଏ। ପ୍ରଜନନରୁ ଜନ୍ମ ନେଉଥିବା ବଳଦ ବହୁ ହୃଷ୍ଟପୃଷ୍ଟ ହେଉଥିବାରୁ ଜନ୍ମ ହେବା ମାତ୍ରେ ଲୋକେ ୧୫ ହଜାର ଟଙ୍କା ଲେଖାଏଁ ବଇନା ଦେଇ କିଣି ନିଅନ୍ତି।

ବିଞ୍ଝାରପୁରୀ ଗାଈ ମଧ୍ୟ ବର୍ଷକୁ ୨୧୦ ଦିନ କ୍ଷୀର ଦିଏ। ଗୁଜୁରାଟର ଜୁନାଗଡ଼, ଗୀର୍ ଜଙ୍ଗଲ, ଭାବନଗର ଓ ଆମ୍ରେଲିରେ ରହୁଥିବା ଗୀର୍ ଗାଈକୁ ମଧ୍ୟ କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବାରୁ ତାହା ଦୈନିକ ୫-୬ଲିଟର କ୍ଷୀର ଦେବାର କ୍ଷମତା ରଖୁଛି। ତେଣୁ ଗୋପାଳନରେ କ୍ଷେତ୍ରରେ ଜଣେ ରୋଜଗାରକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ତେବେ କେବଳ ଜଣେ ଗୋପାଳନ କଲେ ଏଥିରୁ ବିଶେଷ ଉପକୃତ ହୋଇପାରିବ ନାହିଁ। ତେଣୁ ଏଥିପାଇଁ ଅନ୍ୟୂନ ୧ ଏକର ଜାଗା ଯଦି ଥାଏ ସେଠାରେ ୪ଟି ଗାଈ ସହିତ ୫୦ କୁକୁଡ଼ା, ଛୋଟ ପୋଖରୀ ଓ ହାଇଡ୍ରୋପୁନିକ ଘାସ, ଫଳ ଚାଷ କରି ବହୁ ପରିମାଣରେ ଉପକୃତ ହୋଇପାରିବ। କୁକୁଡ଼ାର ମଳ, ଗାଈର ଗୋବର ହେଲେ ଚାଷବାସ କ୍ଷେତ୍ରରେ ମଧ୍ୟ କୃତ୍ରିମ ସାରର ଆବଶ୍ୟକତା ପଡ଼ିବ ନାହିଁ। ସେଠାରେ ମଧ୍ୟ ସହଜରେ ଜିଆ ଖତ ପ୍ରସ୍ତୁତ କରିହେବ ବୋଲି ଅତିରିକ୍ତ ନିର୍ଦେଶକ ଡକ୍ଟର ପ୍ରେମାନନ୍ଦ ରାଉତ କହିଛନ୍ତି।

ବ୍ଲାକ୍ ବେଙ୍ଗଲ ଛେଳି ସୁସ୍ୱାଦୁ ମାଂସ ପାଇଁ ଜଣାଶୁଣା। ଓଡ଼ିଶାର ପାଣିପାଗ ଏହି ଛେଳି ପାଇଁ ଅନୁକୂଳ। ଗୋଟିଏ ମାଈ ଛେଳି ୧୦ରୁ ୧୨ କେଜି ଓ ଅଣ୍ଡିରା ଛେଳି ୧୪ର ଓଜନ ପ୍ରାୟ ୧୬ କେଜି। ଏମାନଙ୍କୁ ପାଳିବାରେ ଚାଷୀଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। ଏମାନେ ମୁଖ୍ୟତଃ ଘାସ ଖାଇଥାନ୍ତି।

ସେହିପରି ଓଡ଼ିଶାରେ ଖାକି–କ୍ୟାମ୍ପବେଲ୍ ନାମକ ଏକ ବତକ ପ୍ରଜାତି ମଧ୍ୟ ପାଳନ କରାଯାଉଛି। ବିଦେଶୀ ବ୍ରିଡ୍ ହୋଇଥିଲେ ହେଁ ସେମାନେ ଓଡ଼ିଶାର ଜଳବାୟୁରେ ଭଲ ବଢ଼ିପାରୁଛନ୍ତି। ବତକଟିଏ ଜନ୍ମର ୮ ମାସ ପରେ ଅଣ୍ଡା ଦେବା ଆରମ୍ଭ କରିଦିଏ। ଏହି ଅଣ୍ଡାରେ ବେଶି ଲୌହ ଅଂଶ ଓ ପୋଷକ ତତ୍ୱତ୍ତ୍ୱତ୍ତ୍ୱ ଥାଏ। ଶରୀର ପାଇଁ ଏହା ବେଶ୍ ଉପକାରୀ ହୋଇଥିବାରୁ ଏହାର ଚାହିଦା ରହିଛି। ଖାକି-କ୍ୟାମ୍ପବେଲ୍ ବର୍ଷକୁ ୧୮୦ରୁ ୨ଶହ ଅଣ୍ଡା ଦେଉଥିବା ବେଳେ ୫ ବର୍ଷ ଯାଏଁ ତା’ର ଉତ୍ପାଦନ କ୍ଷମତା ରହିଥାଏ।

ତେଣୁ ପ୍ରାଣୀ ସମ୍ପଦକୁ ତୁଲାଇପାରିଲେ ଜଣେ ଚାଷୀ କମ୍ ସମୟ ଓ ଶ୍ରମ ଦେଇ ଭଲ ରୋଜଗାର କରିପାରିବ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି।