Odiapua.com

କୃଷି ଋଣ ଛାଡ ସମସ୍ୟା

– ଦେବପ୍ରସାଦ ମିଶ୍ର
ଆମର ଦେଶ ଭାରତବର୍ଷ ଏକ କୃଷି ପ୍ରଧାନ ଦେଶ, ଆମେ ସ୍ୱାଧୀନତା ପାଇ ଏବେ ତାର ୭୫ ବର୍ଷ ପୁର୍ତ୍ତିଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏବେ ବି ଆମର କୃଷକ ଅଭାବ ଋଣରେ ପଡି ଆତ୍ମହତ୍ୟା କରୁଚି, ଆମ ଦେଶରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରାଦେଶିକ ସରକାର ବିକାଶ ନାମରେ ସ୍ଲୋଗାନ ଦେଇ ଲୋକଙ୍କଠାରୁ ନିର୍ବାଚନରେ ଭୋଟ ପାଇଁ ଥରକୁ ଥର ନିର୍ବାଚିତ ହୋଇ ଶାସନ ଗାଦିରେ ବସୁଥିଲେ ମଧ୍ୟ ଏ ଦେଶର ଅଗଣିତ ଲୋକଙ୍କ ପେଟକୁ ଦାନା ଦେଉଥିବା ସେହି ଚାଷୀ ବା କୃଷକର ସମସ୍ୟା ପ୍ରତି କେହି ଦୃଷ୍ଟି ନଦେବାରୁ ସେ ଆଜି ଦରିଦ୍ରରୁ ଦରିଦ୍ର ଆଡକୁ ଗତି କରି ବଞ୍ଚିବା ପାଇଁ ଅନ୍ୟେଉପାୟ ନ ପାଇ ଚାଷ ଜମିରେ ପୋକ ମାରୁଥିବା କୀଟ ନାଶକକୁ ଖାଇ ଆତ୍ମହତ୍ୟା କରୁଛି, ଖାଲି ଆମ ରାଜ୍ୟରେ କାହିଁକି ଅନ୍ୟ ରାଜ୍ୟରେ ମଧ୍ୟ ଏହି ଚାଷୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଲାଗି ରହିଛି।

ପ୍ରକୃତରେ ଆଜି ଏହି ଚାଷୀକୂଳ ରାଜନୀତିଆ ଓ ରାଜନୀତିର କୁମ୍ଭାର ଚକ ପରି ସେହି ଚକ ତଳେ ପେଷି ହୋଇଯାଇଛି ଭୋଟ ରାଜନୀତି ଏହି ରାଜନୀତିଆଙ୍କୁ ଏପରି ଘାରିଛି ଯେ, ଭୋଟ ଆସିବା ବେଳେ ଏହି ଚାଷୀକୂଳକୁ ନାନା ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ଖଣ୍ଡକ ତାଙ୍କଠାରୁ ହାତେଇ ନେଲା ପରେ ଆଉ ତାଙ୍କ ଉପରେ ଆଖି ପକାନ୍ତି ନାହିଁ ସେ ମଲେ କି ରହିଲେ ସେ ଆଡକୁ ଏ ରାଜନିତିଆଙ୍କର ଦୃଷ୍ଟି ନଥାଏ। ଅତୀତରେ ଜଣେ ଲୋକପ୍ରିୟ ନେତା ଏଦେଶର ପ୍ରଧାନମନ୍ତ୍ରୀ ଥିଲା ବେଳେ ଏ ଦେଶର ଅବସ୍ଥାକୁ ଲକ୍ଷ କରି ଦେଶବାସୀଙ୍କୁ ଗୋଟିଏ ସ୍ଲୋଗାନ ଦେଇଥିଲେ ଜୟ ଜବାନ – ଜୟ କିଷାନ ତାକୁ ଇ ସବୁବେଳେ ମନେରଖି ରାଜନେତା ମାନେ କାର୍ଯ୍ୟ କଲାବେଳେ ସର୍ବଦା ଏହି ସ୍ଲୋଗାନଟିକୁ ମନେରଖି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ସେ ଚାଲିଗଲା ପରେ ଏହି ସ୍ଲୋଗାନଟି ସେହି ସ୍ଲୋଗାନରେ ହିଁ ରହିଗଲା। ଏତେ ଦିନ ପରେ ଆଜି ନେତା ଓ ଚାଷୀକୂଳ ତାଙ୍କୁ ମନେ ପକାଉଛନ୍ତି ଆଜି ଦେଶର ଅବସ୍ଥା ଏପରି ମୋଡକୁ ଯାଉଛି ଯେ ଆଜି ଏହି ଚାଷୀକୂଳ ଯେଉଁ ରାଜନେତା ଓ ତାଙ୍କ ଦଳକୁ ସମର୍ଥନ ଦେବେ ସେହିଁ ଶାସନ ଗାଦିରେ ବସିବ। ବର୍ତ୍ତମାନ ଭାରତର କୃଷି ଓ କୃଷକ ଯେଉଁ ଉତ୍କଟ ସମସ୍ୟାର ସମ୍ମୁଖୀନ ହେଉଛି ତାର ସମାଧାନ ଓ ଚାଷୀଙ୍କ ଦୁର୍ଦ୍ଦଶା ମୋଚନ ସମସ୍ୟା ଏକ ବୀବାଦୀୟ ମୋଡକୁ ଚାଲିଯାଇଛି। କଥା ହେଉଛି ପୂର୍ବରୁ କୃଷକ ଓ ଚାଷୀର ସମସ୍ୟା ସମାଧାନ ପାଇଁ ଦେଶର କେତକ ରାଜ୍ୟ ରାଜ୍ୟରେ ଥିବା କୃଷକମାନଙ୍କ ଉପରେ ଥିବା ଋଣକୁ ଛାଡ କେତକ ସ୍ଥାନରେ ବିଦ୍ୟୁତଶୁଳ୍କ, ସାର, ବିହନ ଆଦି ମାଗଣାରେ ଦେଇଛନ୍ତି କିନ୍ତୁ ଆମ ଦେଶରେ ୨୦୧୪ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ଆସିବା ପରଠାରୁ ରାଜ୍ୟ ମାନଙ୍କରେ ହଠାତ ଏହି ସମସ୍ୟାରୁ ସାମୟିକ ଭାବେ ନେତାମାନେ ତ୍ରାହି ପାଇବା ପାଇଁ, କ୍ଷଣିକ ସମସ୍ୟାରୁ ଦୂରେଇଯିବା ପାଇଁ, ଚାଷୀଙ୍କ ମନ ଜିଣିବାପାଇଁ ହଠାତ ଚାଷୀଙ୍କ ଉପରୁ ଋଣ ଛାଡକରି ଦେଉଛନ୍ତି ଏବଂ ଆକୁ ଦେଖି ଆସନ୍ତା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଚାଷୀମାନେ ଏପରି ଋଣଛାଡ ପାଇଁ ଦାବି ଆରମ୍ଭ କରି ଆନ୍ଦୋଳନ ଜାରୀ ରଖିଛନ୍ତି। ଆମ ରାଜ୍ୟ ଓଡିଶା କଥା ବିଚାରକୁ ନେଲେ ଏଠାରେ ଆଗକୁ ନିର୍ବାଚନ ଅଛି ଏବଂ ଏଠାରେ ଦୀର୍ଘଦିନ ହେଲା ଚାଷୀ ଆତ୍ମହତ୍ୟା ଲାଗଲାଗ ହେଲା ପରେ ବି ଚାଷୀକୂଳ ଯେତେବେଳେ ତାର ସମସ୍ୟାମାନ ଶାସକ ପାଖରେ ଥୋଇବାକୁ ପ୍ରୟାସ କଲା ଏଠାରେ ଶାସନରେ ଥିବା ସରକାର ତାକୁ ଅଣଦେଖା କଲା ଏପରିକି ଚାଷୀମାନେ ରାଜଧାନୀକୁ ଆସି ରାଜଧାନୀରେ ସଭାକରି ସାଧାରଣ ଲୋକଙ୍କୁ ଓ ସରକାରଙ୍କ ଆଗରେ ତାଙ୍କ ସମସ୍ୟା ରଖିବାକୁ ଉଦ୍ୟମ କଲାବେଳେ ଯେପରି ପୋଲିସ ବଳ ପ୍ରୟୋଗ କରି ଅଟକାଇଲା ଏବଂ ଦୀର୍ଘ ୧୮ ବର୍ଷ ହେଲା ଏ ସରକାର କ୍ରମାଗତ ଭାବେ ଶାସନରେ ଥାଇ ମଧ୍ୟ ଜଳସେଚନ, କୃଷି, କୃଷିଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ସେମାନେ ପାଇ ପରିଲେ ନାହିଁ କି କୃଷିଜାତ ଦ୍ରବ୍ୟ ବିକିବା ପାଇଁ ମଣ୍ଡି କି ବଜାର ହାତ ପାହାନ୍ତରେ ତାଙ୍କୁ ମିଳିଲା ନାହିଁ।କୃଷି ଜାତଦ୍ରବ୍ୟ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ପ୍ରଭୃତି ନାହିଁ କୃଷକର ଫସଲ ଚାଷବେଳେ ପାଣି ଅଭାବ ଓ ପୋକ ଉପଦ୍ରବରେ ମରିଗଲା ବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏମାନଙ୍କୁ ଯଥା ମୂଲ୍ୟ ସହାୟତା ନଦେବା ଏମାନଙ୍କ ପରିବାରକୁ ସମାଜର ମୁଖ୍ୟସ୍ରୋତରେ ମିଶିବା ପାଇଁ ସୁଯୋଗ ନମିଳିବା ଇତ୍ୟାଦି ବହୁ ଦିନରୁ ନାନା ସମସ୍ୟାରେ ଅତିଷ୍ଠ ହୋଇ ତାର ସମାଧାନ ପାଇଁ ଚାଷୀକୂଳ ବର୍ତ୍ତମାନ ରାଜରାସ୍ତାରେ। ବର୍ତ୍ତମାନ ରାଜ୍ୟର ଚିନ୍ତାଶୀଳବ୍ୟକ୍ତି ଅନୁଭବ କରୁଛନ୍ତି ଯେ, କୃଷକ ଓ ଚାଷୀମାନଙ୍କ ମନଜିଣିବା ପାଇଁ ଏ ଋଣଛାଡ ପ୍ରସଙ୍ଗ ଗୋଟିଏ ମୁଖ୍ୟ ଆୟଧ ହୋଇଛି ତଥାପି ଏହି ଋଣଛାଡ କଣ ଏ କୃଷକମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ। ଧରନ୍ତୁ ଯଦି ସରକାର ଚାଷୀଙ୍କ ଦାବିକୁ ମାନିନେଇ ଚଳିତବର୍ଷ ସବୁ ପ୍ରକାର ଋଣ ଛାଡିଦେଲା ଏବଂ ଧାନ ଆଦି କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟକୁ ବଢାଇ ଦେଲା ତେବେ ଏ ଋଣଛାଡର ଭାରକୁ ସମ୍ଭାଳିବା ପାଇଁ ଏବଂ ଏହାସହିତ ରାଜ୍ୟର ଅନ୍ୟାନ୍ୟ ଯୋଜନା ଚାଲୁ ରଖିବା ପାଇଁ ଓ ରାଜ୍ୟ ସରକାରୀ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ସେମାନଙ୍କ ମାସିକ ଦରମା, ଭତ୍ତା ଓ ଅବସର ନେଇଥିବା ଓ ନେବାକୁଥିବା କର୍ମଚାରୀଙ୍କ ପେନସନ ଆଦି ଦିଆଯାଇପାରିବ କି ! ପୁଣି ପ୍ରଥମରୁ ରାଜ୍ୟ ଋଣଭାରରେ ବୁଡି ରହିଛି ଆହୁରି ମଧ୍ୟ ସରକାର ଏସନ ଚାଷୀମାନଙ୍କ ସମସ୍ତ ସର୍ତ୍ତ ମାନିନେଲେ ଯଦି ଆସନ୍ତା ସନକୁ ଠିକ ଏହିପରି ପ୍ରାକୃତିକ ଦୁର୍ବିପାକ ଦେଖାଦେଇ ଚାଷୀକୂଳକୁ ଉଜାଡି ଦେଲା ତେବେ ପୁଣି କଣ ସରକାର ଏପରି ଋଣଛାଡ କରି ଚାଲିଥିବେ? କଥା ହେଉଛି ଚାଷୀ ଓ କୃଷୀର ଉନ୍ନତି ପାଇଁ ଚାଷୀକୂଳର ଉନ୍ନତି ପାଇଁ ତାର ଆର୍ଥୀକ ମାନ ଦଣ୍ଡର ବୃଦ୍ଧି ପାଇଁ ବା ତା ଉତ୍ପାଦିତ ଦ୍ରବ୍ୟରୁ ସେ କିପରି ଦୁଇ ପଇସା ଲାଭ ପାଇବ ଓ ସମାଜର ଅନ୍ୟ ମାନଙ୍କ ସହ ଏକ ହୋଇ ସୁଖ ସମୃଦ୍ଧିରେ ଚଳି ପାରିବ ସେପରି ଖସଡା କିପରି ପ୍ରସ୍ତୁତ ହୋଇପାରିବ, ଉଭୟ ଚାଷୀ ପ୍ରତିତ୍ନଧୀ ଓ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା ପ୍ରସ୍ତୁତ ହେବ ତାର ଚିନ୍ତା କରି ଯୋଜନା ପ୍ରସ୍ତୁତ ହେବା ଦରକାର। ଓଡିଶାରେ ଯେଉଁ କାଳିଆ ଯୋଜନା ଚାଷୀମାନଙ୍କ ସମସ୍ୟାକୁ ଦେଖି ପ୍ରସ୍ତୁତ କରାଯାଇଛି ତାକୁ ନେଇ ଚାଷୀ, ନେତା ଓ ସଂଗଠକ ମାନଙ୍କର କହିବା କଥା ଏ ଚିଠା ବା ଯୋଜନା ଆମକୁ ଆଗରୁ କି ଏବେ ପ୍ରସ୍ତୁତ କଲାବେଳେ ସରକାର ବୈଠକକୁ ଡାକିନାହାନ୍ତି କି ଆମ ସହିତ ଆଲୋଚନା କରିନାହାନ୍ତି ଓଡିଶାରେ ଅଧିକାଂଶ ଆମପରି କ୍ଷୁଦ୍ର ଓ ନାମ ମାତ୍ରଚାଷୀ ଅଛନ୍ତି ସେମାନଙ୍କର ସମୂହ ଓ ସ୍ଥାୟୀ ସମାଧାନର ଏଥିରେ ଚିହ୍ନ ବର୍ଣ୍ଣ ନାହିଁ କି ଏପ୍ରକାର ଚାଷୀଙ୍କର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ଗାଁ ଗହଳର ପ୍ରତ୍ୟେକ ବ୍ୟକ୍ତି ଜଣେ କୃଷୀ ଶ୍ରମିକ ପରି ଦୈନିକ କ୍ଷେତ କିଆରୀରେ କାମ କରନ୍ତି ତାଙ୍କୁ ଗ୍ରାମୀଣ କୃଷି ଶ୍ରମିକ ଭାବେ ଧରା ଯାଉଛି ଏହି ମାନେ ହିଁ ମୁଖ୍ୟତଃ ଭାଗଚାଷୀ ଏମାନେ ଥିଲାବାଲାଙ୍କ ଠାରୁ ଜମିଭାଗରେ ଆଣି ଚାଷ କରନ୍ତି। ସ୍ୱାମୀନାଥନ କମିଟି ରିପୋର୍ଟ କଣ ତାକୁ କେତେଜଣ କୃଷକ ଆମ ରାଜ୍ୟରେ ଜାଣନ୍ତି ସରକାର ଏହାକୁ ଆମ ରାଜ୍ୟରେ ସାର୍ବଜନିନ କରି ଏହାକୁ କେତେ ପରିମାଣରେ କାର୍ଯ୍ୟକାରି କରିଛନ୍ତି ତାକୁ ପ୍ରକାଶ କରନ୍ତୁ ନଚେତ ପଡୋଶୀ ରାଜ୍ୟରେ ବିଗତ ସରକାରମାନେ ସେ ରିପୋର୍ଟ କାର୍ଯ୍ୟକାରୀ କରିନଥିବାରୁ ସେମାନେ ଯେପରି ନିର୍ବାଚନରେ ହାରିଲେ ଠିକ ସେହିପରି ଏଠି ରାଜ୍ୟସରକାର ଦୀର୍ଘଦିନ ହେଲା ଚାଷୀକୂଳକୁ ହତାଦାର ହେୟଜ୍ଞାନ ମନେ କରୁଥିବାରୁ ଆମେ ମଧ୍ୟ ସରକାରଙ୍କୁ ହତାଦର କରିବୁ ବୋଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା। ପ୍ରକୃତରେ କୃଷି ଓ କୃଷକର ସମସ୍ୟାର ସମାଧାନ କରିବାକୁ ହେଲେ ରାଜ୍ୟସରକାର କୃଷିବିଦ, ଚାଷୀ, ଚାଷୀନେତା, ଅର୍ଥନିତୀଜ୍ଞ, ସମାଜସେବି ପ୍ରଭୃତି ବିଶେଷଜ୍ଞ ଓ ସାଧାରଣ କୃଷକମାନଙ୍କୁ ନେଇ ଏକ ଆଲୋଚନା ହୋଇ ଏହାର ଏକ ଦୀର୍ଘସ୍ଥାୟୀ ଖସଡା ବା ଚିଠା ଯୋଜନା କାଳିଆ ପରି ଜଦି ପ୍ରସ୍ତୁତ କରାଯାଆନ୍ତା ତେବେ ଏ ଚାଷୀ ସମସ୍ୟା କିଛି ପରିମାଣରେ ଥମିଯାନ୍ତା ନଚେତ୍ ଏ ଚାଷୀ ସମସ୍ୟା ସବୁଦିନ ପାଇଁ ଶାସକ ଦଳକୁ ଅସୁବିଧାରେ ପକାଉଥିବ। କାଳିଆ ଯୋଜନା ଉପରେ ସରକାର ସାଧାରଣରେ ବିତର୍କ କରିବା ଦରକାର ବୋଲି ଚିନ୍ତାଶୀଳ ବ୍ୟକ୍ତି ମତ ପ୍ରକାଶ କରୁଛନ୍ତି।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮