Odiapua.com

କୃଷି ଆଇନ ଓ ରାମରାଜ୍ୟର ବିଚାର

ଦୀର୍ଘ ଏକ ବର୍ଷର ଆନ୍ଦୋଳନ ପରେ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ଆଇନ ପ୍ରତ୍ୟାହାରର କାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଚାଷୀମାନଙ୍କୁ ବୁଝିବାରେ ସରକାର ବିଫଳ ହୋଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରଣୀତ କୃଷି ଆଇନ ବୈଷୟିକ ଦୃଷ୍ଟିକୋଣରୁ କେତେ ଠିକ, କେତେ ଭୁଲ ତାହା ଆଜିର ଆଲୋଚନାର ପ୍ରସଙ୍ଗ ବାହାରେ। କିନ୍ତୁ ତାହା କାହିଁକି ଗ୍ରହଣୀୟ ହେଲାନାହିଁ ବା ସରକାରଙ୍କ କେଉଁଠି ତ୍ରୁଟି ରହିଲା ଯେଉଁଥିପାଇଁ ଚାଷୀମାନେ ଆଇନକୁ ବୁଝି ପାରିଲେ ନାହିଁ ସେ ସମ୍ପର୍କରେ ଆଲୋଚନା କରିବା।

ପ୍ରଥମେ ଏ ଦେଶର ମେରୁଦଣ୍ଡ ବା ପ୍ରାଣ ବୋଲାଯାଉଥିବା ଚାଷୀଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ମହୋଦୟ ଆଇନକୁ ପ୍ରତ୍ୟାହାର କରିଛନ୍ତି। କିନ୍ତୁ ଏହାପଛରେ ଅନେକ ଅସମାହିତ ପ୍ରଶ୍ନ ଅଛି ସେସବୁ ପ୍ରଧାନମନ୍ତ୍ରୀ ମହୋଦୟ ବା ସରକାର ଦୂର କରିପାରିବେ ତ !

ପ୍ରଥମ କଥାଟି ହେଉଛି ଆଇନ କଥା ଚିନ୍ତା କରିବା ପୂର୍ବରୁ ଏ ନେଇ ସରକାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିଥିଲେ କି ବା ଆଇନର ସୁଫଳ ଓ ଚାଷୀଙ୍କ ଆଗ୍ରହ ଓ ଭବିଷ୍ୟତ ନେଇ କିଛି ସର୍ବେକ୍ଷଣ କରିଥିଲେ କି ? ସେହିଭଳି କାର୍ଯ୍ୟକାରୀ କରିବା ପୂର୍ବରୁ ବିଲ ପ୍ରସ୍ତୁତ ହୁଏ ତାହା ଉଭୟ ଗୃହରେ ଆଲୋଚନା ପୂର୍ବରୁ ଚାଷୀଙ୍କ ପରାମର୍ଶ ନେଇଥିଲେ କି ? ଏକ ଗଣତାନ୍ତ୍ରିକ ଦେଶରେ ଗଣ ବା ଜନସମୂହ ପାଇଁ ଯେଉଁ ଆଇନ କିମ୍ବା ଯୋଜନା କରାଯିବ ତାହା କେତେଦୂର ଜନମଙ୍ଗଳକାରୀ ହେବ ତାହା ପର କଥା କିନ୍ତୁ ଯୋଜନା ବା ଚିନ୍ତନ ପୂର୍ବରୁ ସରକାରୀ ଏଜେଣ୍ଟ ବୁଝିବା ଉଚିତ ଯେ ଯେଉଁମାନେ ଏହାର ସୁଫଳ ପାଇବାକୁ ଯୋଗ୍ୟ ସେମାନେ ଏହାକୁ କିଭଳି ଗ୍ରହଣ କରୁଛନ୍ତି। ଯଦି ହିତାଧିକାରୀ ବା ଜନସାଧାରଣ ବୁଝିପାରୁନାହାନ୍ତି ତେବେ ତାହା କିଭଳି ଲୋକେ ଗ୍ରହଣ କରିବେ ସେଥିପାଇଁ ପରିବର୍ତ୍ତନ/ସଂଶୋଧନ କରାଯିବା ଉଚିତ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଆଇନ କାର୍ଯ୍ୟକାରୀ କରିବା ପରଠାରୁ ଲୋକଙ୍କ ବା ଚାଷୀଙ୍କ ମାନସିକତାକୁ ଅନୁଧ୍ୟାନ ବା ପଢିବାରେ ସରକାରଙ୍କ ବିଫଳତା। ଏହାର ଅର୍ଥ ଏହା ଯେ ସରକାରୀ ଗୁଇନ୍ଦାର ବିଫଳତା କିମ୍ବା ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ଏକଚାଟିଆ ମନୋଭାବ ପରିପ୍ରକାଶ ହେଉନାହିଁ କି। ଯଦିବା ଚାଷୀଙ୍କ ଆନ୍ଦୋଳନ ଉଗ୍ରରୂପ ପରିପ୍ରେକ୍ଷୀରେ ସରକାର ଚାଷୀ ପ୍ରତିନିଧିଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି କିନ୍ତୁ ସେଥିରେ ଚାଷୀଙ୍କ ବା ଚାଷୀ ପ୍ରତିନିଧିଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇନାହିଁ। ଏଠାରେ କୁହାଯାଇପାରେ ଯେ ଗଣତାନ୍ତ୍ରିକ ରାଷ୍ଟ୍ର ହେଲା ବୋଲି ଯେ ସରକାର ଯେ ସବୁବେଳେ ନିର୍ଦ୍ଧିଷ୍ଟ ଗୋଷ୍ଠିର ସ୍ୱାର୍ଥ ପ୍ରସଙ୍ଗରେ ନିସର୍ତ୍ତ ସମର୍ଥନ କରିବେ ତାହା ବି ଯୁକ୍ତିଯୁକ୍ତ ନୁହେଁ। କିନ୍ତୁ ଚାଷୀଙ୍କ ମନୋଭାବକୁ ବୁଝିବାରେ ସରକାରଙ୍କ ପ୍ରତିନିଧି ବିଫଳ ହୋଇଛି ବୋଲି କୁହାଯାଇପାରେ। ଯାହା ଆଇନର ଗ୍ରହଣୀୟତା ଅପେକ୍ଷା ସରକାରଙ୍କ ଅହଙ୍କାରୀ ମନୋଭାବ ପ୍ରଦର୍ଶନ ଭଳି ସାଧାରଣରେ ବୁଝାଗଲା। ଫଳରେ ଆନ୍ଦୋଳନକୁ ଯେତିକି ମାତ୍ରାରେ ସମର୍ଥନ ମିଳିବା କଥା ତା ଠାରୁ ଅଧିକ ସମର୍ଥନ ମିଳିଲା। ସରକାର ବିରୋଧୀ ସଂଗଠନ ଓ ବିରୋଧୀ ରାଜନୈତିକ ଦଳ ଏହାକୁ ଏକ ସୁଯୋଗ ଭାବେ ବାଛି ନେଲେ। ବିଶେଷକରି ବିରୋଧୀ ଦଳ ଓ ଅନ୍ୟ ଚାଷୀସଙ୍ଗଠନ ଏକଜୁଟ ଓ ଶକ୍ତିଶାଳୀ ହେବାର ସୁଯୋଗ ପାଇଲେ। ଦୀର୍ଘ ପ୍ରାୟ ଏକ ବର୍ଷର ଆନ୍ଦୋଳନ ପରେ ଏହା ସ୍ପଷ୍ଟ ହେଲା ଯେ ସରକାର ଚାଷୀଙ୍କ ସ୍ୱାର୍ଥକୁ ହୁଏତ ଗୁରୁତ୍ୱ ଦେଇଥାଇ ପାରନ୍ତି କିନ୍ତୁ ଚାଷୀଙ୍କ ମନ ବୁଝିବାରେ ବିଫଳ ହେଲେ ଓ ଚାଷୀଙ୍କ ଚାଷୀଙ୍କ ମନୋଭାବକୁ ହେୟ ଜ୍ଞାନ କଲେ। ଏସବୁ ଭିତରେ ସରକାରଙ୍କ ସହ ଥିବା ରାଜନୈତିକ ଦଳ ଚାଷୀଙ୍କୁ ଆତଙ୍କବାଦୀ କହିବା ଆରମ୍ଭ କଲେ। ଖୋଦ ଶାସକ ଦଳର ଅନେକ କର୍ମୀ ଚାଷୀଙ୍କୁ ନକଲି ଚାଷୀ କହିବା ଆରମ୍ଭ କଲେ। ଅନେକ ଚାଷୀ ଆନ୍ଦୋଳନକୁ ପରୋକ୍ଷରେ ଆତଙ୍କୀ କାର୍ଯ୍ୟକଳାପ ବୋଲି ଅବିହିତ କରିବାକୁ ଚେଷ୍ଟା କଲେ। କିନ୍ତୁ ଚାଷୀଙ୍କୁ ବୁଝାଇବା ପାଇଁ ପ୍ରକୃତ ବାଟ ଖୋଜିଲେ ନାହିଁ କିମ୍ବା ପାଇଲେ ନାହିଁ ବୋଲି କୁହାଯାଇପାରେ।

ସିଂଘୁ ସୀମାରେ ହଜାର ହଜାର ଚାଷୀ ଖରା, ବର୍ଷା, ଶୀତରେ ପଡିରହିଥିଲେ ଓ ଅନେକ ମୃତ୍ୟୁବରଣ କଲା ପରେ ବି ସରକାରଙ୍କ ଉପଯୁକ୍ତ ପ୍ରତିନିଧି (ପ୍ରଧାନମନ୍ତ୍ରୀ କିମ୍ବା କ୍ୟାବିନେଟ ପାହ୍ୟାର ମନ୍ତ୍ରୀ) ଗଲେ ନାହିଁ। ଯାହା ଚାଷୀ ଆନ୍ଦୋଳନକୁ ଅଧିକ ତେଜ୍ଜିୟାନ କଲା। ଏସବୁ ଠାରୁ ବଳିଗଲା ନିକଟରେ ଉତ୍ତରପ୍ରଦେଶରେ ଚାଷୀଙ୍କ ଉପରେ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅଙ୍କ ଗାଡି ଚଢିଯିବା ଘଟଣା ଓ ଏହି ଘଟଣାରେ ଚାଷୀଙ୍କ ମୃତ୍ୟୁ ଘଟଣା। ମୁଁ ଆଗରୁ ଉଲ୍ଲେଖ କରିଛି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣ ହେଉଛନ୍ତି ସର୍ବେସର୍ବା। ଥରେ କ୍ଷମତାରେ ବସିବା ପରେ ଲୋକଙ୍କ ଠାରୁ ସବୁଦିନ ପାଇଁ ଚାବି ଛଡେଇ ଆଣିଥିବା କଥା ଯଦି ବି କୌଣସି ରାଜନୈତିକ ଦଳ ଭାବେ ତାହା ଠାରୁ ବଡ଼ ବିକାମୀ ବା ଅପରିପକ୍ଵତା ଆଉ କିଛି ନାହିଁ ବୋଲି ଧରିବାକୁ ହେବ। ପରିଣାମ ସ୍ୱରୂପ ନିକଟରେ ବିଭିନ୍ନ ଉପ ନିର୍ବାଚନରେ ସରକାରୀ ଦଳକୁ ମୂଲ୍ୟ ଦେବାକୁ ପଡିଲା। ବିରୋଧୀଙ୍କ ସକ୍ରିୟତା ସ୍ପଷ୍ଟ ବାରିହୋଇ ପଡିଲା। ଏଥିରୁ ସରକାର ବୁଝିଗଲେ ଯେ ଆଇନ ପ୍ରତ୍ୟାହାର ନ କଲେ ଆଗକୁ ବହୁମୂଲ୍ୟ ଦେବାକୁ ପଡିବ। ଯେଉଁଥିପାଇଁ ତିନି କୃଷି ଆଇନକୁ ପ୍ରତ୍ୟାହାର କଲେ।

ସର୍ବପରି ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦେବାକୁ କୁଣ୍ଠାବୋଧ କରିବି ନାହିଁ। ଯାହା ହେଉ ବିଳମ୍ବରେ ହେଉ ପଛେ ଦେଶର ପ୍ରାଣକର୍ତ୍ତା ବୋଲାଯାଉଥିବା ଚାଷୀଙ୍କ ପ୍ରତି ସରକାର ସମ୍ମାନ ଜଣାଇଛନ୍ତି।

ଏହା ପରେ ବି କେତୋଟି କଥା ମନ ଭିତରକୁ ଆସୁଛି। ସେଥିମଧ୍ୟରୁ ପ୍ରଥମ କଥାଟି ହେଉଛି ଚାଷୀଙ୍କୁ ଏକଦା ନକଲି ଓ ଆତଙ୍କବାଦୀ କହୁଥିବା ସରକାର ନିଶ୍ଚିତ ହେଲେ ଓ ଘୋଷଣା କଲେ ଯେ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ଅସଲି ଓ ସେମାନଙ୍କ ଦାବି ମଧ୍ୟ ଯଥାର୍ଥ। ଯଦି ଏହା ସରକାରୀ ଭାବେ ସ୍ୱୀକାର କରାଯାଉଛି ତେବେ ଚାଷୀଙ୍କ ହିତ ପାଇଁ ପ୍ରାଣବଳି ଦେଇଥିବା ଆନ୍ଦୋଳନକାରୀଙ୍କୁ କାହିଁକି ଶହୀଦ ଘୋଷଣା କରାଯିବ ନାହିଁ। ଦ୍ଵିତୀୟ କଥାଟି ହେଉଛି ସାମୂହିକ ହକ ପାଇଁ ଆନ୍ଦୋଳନ କରୁଥିବା ଚାଷୀ ଯଦି ଶହୀଦ ହେଲେ, ତେବେ ଦେଶ ବିରୋଧୀ କିଏ ?

ଏଠାରେ ସ୍ୱୟଂ ରାମଚନ୍ଦ୍ରଙ୍କ ଆଦର୍ଶ ବା ଶାସନ ବିଧି ବ୍ୟବସ୍ଥାକୁ ବିଚାର ବା ଆଲୋଚନାକୁ ନିଆଯାଇପାରେ। ମହାପ୍ରଭୁ ସ୍ୱୟଂ ରାମଚନ୍ଦ୍ର ରାତି ଅଧରେ ବୁଲିବୁଲି ନଗର ପରିକ୍ରମା କରୁଥିଲେ ଓ ଲୋକଙ୍କ ଭଲମନ୍ଦ ବୁଝିବା ସହ ଶାସନ ବ୍ୟବସ୍ଥା ଓ ରାଜଧର୍ମ କେତେ ଜନମଙ୍ଗଳକାରୀ ତାହା ଅନୁଧ୍ୟାନ କରୁଥିଲେ। ତେବେ ଏକଦା ରାମଚନ୍ଦ୍ରଙ୍କ କଥା କହି କ୍ଷମତା ଦାଖଲ କରିଥିବା ବିଜେପି ସରକାର ହୁଏତ କୃଷି ଆଇନ କାର୍ଯ୍ୟକାରୀ କରିବା ପୂର୍ବରୁରୁ ଏଥିପ୍ରତି ଧ୍ୟାନ ଦେଇଥିଲେ ଆଇନର ଆବଶ୍ୟକତା ଓ ତାର ଜନମଙ୍ଗଳ ଦିଗକୁ ବିଚାର କରାଯାଇ ପାରିଥାନ୍ତା ଓ ଆଜି ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡି ନ ଥାନ୍ତା।

-ଚନ୍ଦ୍ରଗୁପ୍ତ