Odiapua.com

କୃଷି ଆଇନ୍‌ର ଉପାଦେୟତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦେଶର କୃଷି ଓ କୃଷକଙ୍କ ବିକାଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ନୂତନ କୃଷି ଆଇନ୍ ଉପାଦୟେତା ସମ୍ପର୍କରେ ନ ଜାଣି ଏହାକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଯୋଗଦେଇ ନୂତନ କୃଷି ଆଇନ୍ ୍‌‘ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଏଣ୍ଡ କମର୍ସ’-ପ୍ରୋମୋସନ ଏଣ୍ଡ ଫେସିଲିଟିସନ୍ ଆକ୍ଟ-୨୦୨୦ର ସକାରାତ୍ମକ ଦିଗ ଓ ବିଭିନ୍ନ ଉପାଦେୟତା ଉପରେ ଆଲୋକପାତ କରିଛନ୍ତି।ଏହି କୃଷି ଆଇନ୍ ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଫସଲକୁ ନିୟନ୍ତ୍ରିତ ମାର୍କେଟ କମିଟି ଦ୍ୱାରା ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବାର ବ୍ୟବସ୍ଥା ରହିଛି। ରେଗୁଲେଟଡେ୍ ମାର୍କେଟ କମିଟି କେବେ କୃଷକର ସ୍ୱାର୍ଥରକ୍ଷାରେ କେବେ ବାଧା ସୃଷ୍ଟି କରିପାରିବ ନାହିଁ। ଏହି ଆଇନ୍ ଦ୍ୱାରା ଦେଶର ଏକକ କୃଷି ବଜାର ପ୍ରଚଳନ କରାଯାଇ ପାରିବ, ମାତ୍ର ଜଣେ କୃଷକ ଇଚ୍ଛାକଲେ ତାର ଉତ୍ପାଦ ସାମଗ୍ରୀକୁ ସେ ଯେ କୌଣସି ସ୍ଥାନରେ ବିକ୍ରି କରିପାରିବ। ଏଥିରେ କୃଷକଙ୍କ ପାଇଁ ଅଙ୍କୁଶ ନାହିଁ। ଏହି ଆଇନ୍ କୃଷକ, କୃଷି ଉତ୍ପାଦକ ସଂଘ ଓ ବ୍ୟସାୟୀ ସଂଘକୁ ମୂଲ୍ୟ ନିର୍ଦ୍ଧାରଣ, ରପ୍ତାନୀ ଏବଂ ପ୍ରକ୍ରିୟାକରଣ ତଥା ବ୍ୟବସାୟିକ ଅନୁମତି ପ୍ରଦାନ କରିଛି। କୌଣସି ବ୍ୟବସାୟୀ ଏଥିରେ ସାମିଲ ହୋଇ କୃଷି ଉତ୍ପାଦନ ଫସଲ କ୍ରୟବେଳେ ଆଇନ୍ ଉଲ୍ଲଂଘନ କରେ ତାହାଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।ସବୁଠାରୁ ବଡ଼କଥା ହେଲା ବ୍ୟବସାୟୀମାନେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦ କ୍ରୟର ସର୍ବାଧିକ ୩ ଦିନ ମଧ୍ୟରେ ଉଚିତ ପ୍ରାପ୍ୟ ପ୍ରଦାନ ନକଲେ ସେମାନେ ବି ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ଏମିତିକି ଚାଷୀଙ୍କ ଆପତ୍ତି ଅଭିଯୋଗର ବିଚାର ପାଇଁ ଏସଡିଜେଏମଙ୍କୁ କ୍ଷମତା ଦିଆଯାଇଛି। ଚାଷୀଙ୍କ ଉନ୍ନତି ପାଇଁ ଏହି ଅଇନ୍‌ରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଏହାକୁ ବିରୋଧ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସେମାନେ ଏହି ଆଇନ୍ ବିଷୟରେ ସମ୍ପୂର୍ଣ୍ଣ ନ ଜାଣି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ମିଥ୍ୟାକଥା କହୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆରୋପ ଉଠାଇଛନ୍ତି। ସେମାନଙ୍କ ମିଥ୍ୟା ଅଭିଯୋଗରେ ନ ଭୁଲି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପାରିତ ନୂତନ କୃଷି ଆଇନ୍ ପ୍ରତି ସମ୍ବେଦନଶୀଳ ରହିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଂଶୁମାନ ମହାନ୍ତି, କୃଷକମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶୁଭଙ୍କର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।