Odiapua.com

କୃଷିଋଣ ଛାଡ ଓ ଋଣ ପ୍ରଦାନ ପାଇଁ ୪ଟି ପଂଚାୟତବାସୀ ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଲଗାତର ବନ୍ୟାରେ ଖରିଫ ଧାନଚାଷ ନଷ୍ଟ ହେବା ଯୋଗୁଁ କୃଷିଋଣ ଛାଡପାଇଁ ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ନାନ୍ଦପୁର ଗାଁର ଗ୍ରାମବାସୀମାନେ ଜିଲା ପ୍ରଶାସନର ଆଜି ଦ୍ୱାରସ୍ଥ ହୋଇଛନ୍ତି। ଏହି ମର୍ମରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ଦେଇଛନ୍ତି। ଗ୍ରାମବାସୀମାନଙ୍କ ଅଭିଯୋଗ ହେଲା ଚଳିତବର୍ଷ ଜୁଲାଇ ମାସରେ ବୈତରଣୀ ଓ ସାଳନ୍ଦୀ ନଦୀରେ ୫ ଥର ବନ୍ୟା ଆସିବା ଫଳରେ ଓଳଗ ପଂଚାୟତ ବୋଡକ ଠାରେ ଜାତୀୟ ରାଜପଥ-୨୦ ରେ ୫ଶହ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା। ଫଳରେ ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ୪ଟି ପଂଚାୟତରେ ବନ୍ୟାଜଳ ପ୍ରାୟ ୨ ମାସରୁ ଉଦ୍ଦ୍ୱର୍ ସମୟ ଧରି ଚାଷଜମିରେ ଜମିରହିଥିଲା। ଏହାଦ୍ୱାରା ଧାନଗଛ ସବୁ ପଚି ସଢିଗଲା। କ୍ଷୟକ୍ଷତିର ଆକଳନ ପାଇଁ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ ମଧ୍ୟ କରିଛନ୍ତି। ଏହି ୪ଟି ଗୋଟି ପଂଚାୟତରେ ପ୍ରାୟ ୩୩ ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଧାନଚାଷ ହୋଇଥିଲା। ଚାଷୀମାନେ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ସମବାୟ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିଲେ। ଏବେ ପୁନଃ ଚାଷ କରିବା ପାଇଁ ଚାଷୀମାନଙ୍କ ନିକଟରେ ଆଉ ସମୟ ଓ ସମ୍ବଳ ନାହିଁ। ଏହି ଦୁଃସ୍ଥିତିକୁ ବିଚାର କରି ସଂପୃକ୍ତ ୪ଟି ପଂଚାୟତର ଚାଷୀମାନଙ୍କର ସଂପୂର୍ଣ୍ଣ ଋଣଛାଡ କରିବା ଓ ଋଣ ପ୍ରଦାନରେ ସହଯୋଗ କରିବା ସହ ରବିଫସଲ ପାଇଁ ବିହନ, ସାର ଓ କୀଟନାଶକ ଯୋଗାଇଦେବା ପାଇଁ ଗ୍ରାମବାସୀ ସ୍ୱାଧୀନ କୁମାର ଦାସ, ଭଗବାନୀ ମାଝୀ, ବିଜୟ ବିଶ୍ୱାଳ, ସୁଦେଶ କୁମାର ପଣ୍ଡା ଓ ପ୍ରସନ୍ନ କୁମାର ଜେନା ପ୍ରମୁଖ ନିବେଦନ କରିଛନ୍ତି।