Odiapua.com

କୃଷକଙ୍କର ଭକ୍ତି ଓ ବିଶ୍ୱାସର ମହାନପର୍ବ ଗର୍ଭଣା ସଂକ୍ରାନ୍ତି ଏବେ ବି ଉଜ୍ଜୀବିତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷକଙ୍କର ଭକ୍ତି ଓ ବିଶ୍ୱାସର ମହାନପର୍ବ ଗର୍ଭଣା ସଂକ୍ରାନ୍ତି ଏବେି ଉଜ୍ଜୀବିତ ରହିଛି । ଆଜି ପବିତ୍ର କାର୍ତିକ ମାସର ପ୍ରଥମ ଦିବସ ତଥା ସଂକ୍ରାନ୍ତି ହୋଇଥିବାରୁ ଏହି ପର୍ବକୁ ପାଳନ କରାଯାଇଥିଲା ।ଏହି ଦିବସର ପୂର୍ବଦିନ ପ୍ରାତରୁ ଶୁଭବେଳାରେ କୃଷକ ନିଜର କୃଷି କ୍ଷେତ୍ରକୁ ପୋକ ଓ ଦୈବ ଦୁର୍ବିପାକରୁ ମୁକ୍ତିପାଇଁ ବିଭିନ୍ନ ବୃଷରଡ଼ାଳକୁ ସଂଗ୍ରହକରି ଉକ୍ତ କ୍ଷେତ୍ରରେ ପୋତିଥାଏ ।ଏହି ଡ଼ାଳମଧ୍ୟରେ ଥାଏ ବାଉଁଷ,ଗନ୍ଧିପଳାସ,ଅଣୁଖା,ଗଡ଼ଗଡ଼ି,ଗୁଆଳ,ଇଶ୍ୱରଝଟା,ବଜରମୂଳି,ପୋଡ଼ିପୋଡ଼ିକା,ଡ଼ିମ୍ବିରି,ପରି ବିଭିନ୍ନବୃକ୍ଷର ଡ଼ାଳ । ସଂକ୍ରାନ୍ତି ଦିନ ପ୍ରାତରୁ ସ୍ନାନକରି ପ୍ରଥମେ ଗଣପତିଙ୍କୁ ପୂଜାର୍ଚ୍ଚନା କରି ଉକ୍ତ ଡ଼ାଳ ଓ ଧାନକ୍ଷେତ ରୁ ଆଣିଥିବା ଧାନଗଛ କୁ ଖତଗାଢ଼ିଆରେ ରଖି ଉକ୍ତ ଡ଼ାଳରୁ ଖଣ୍ଡିଏ ପୋତି ପୂଜାକରାଯାଏ ।ଏହି ସ୍ଥାନରେ ତାଳଗଜା ,ଗୁଡ଼,କ୍ଷୀର ,କଦଳୀକୁ ମିଶ୍ରଣ କରି ଭୋଗଦିଆଯାଏ ।ଏହି ସମୟରେ ଶଙ୍ଖ ,ହୁଳହୁଳର ଧ୍ୱନି ରେ ବେଶ୍ ମୁଖରିତ ହୋଇଥାଏ ପୂଜାସ୍ଥଳୀ । କୃଷକ ଏହି ଅବଶିଷ୍ଟ ଡ଼ାଳଗୁଡ଼ିକୁ ନିଜକାନ୍ଧରେ ପକାଇ ଏକ ବାଡ଼ି ଧରି ଏକଲୟରେ ନିଜର ଧାନକ୍ଷେତରେ ପହଁଚି ଥାଏ । ନିଜ କ୍ଷେତର ପଶ୍ଚିମ କୋଣରେ ଏହି ଡ଼ାଳକୁ ପୋତିଥାଏ । ଏହି ସମୟରେ ହରିବୋଲ ଦେଇ ‘ଆସିଲା ଶ୍ରୀରାମ ଖାଡ଼ି ପୋକଜୋକ ଯାଅ ଛାଡ଼ି ,ଅଣୁଖାପରି ବଢ଼ିଯା,ଗଡ଼ଗଡ଼ିପରିଫଳିଜା ,ଆଗେବୁଣ ପଛେ ବୁଣ ଗରଭଣାକୁ ଟୁଣୁଟୁଣୁ ହରିବୋଲ’ କହି ଏହି କୃଷି ଗୀତଗାନକରନ୍ତି । ଏହି ମାସ ମଧ୍ୟ ଧାନକ୍ଷେତରେ ଧାନ ର କେଣ୍ଡା ବାହାରି ଉକ୍ତ ଚାଷବିଲ ଗୁଡ଼ିକ ବହୁ ସୁନ୍ଦର ଦେଖାଯାଏ ।କୃଷକ ମାନେ ବହୁ ପରିଶ୍ରମ କରି ଉତ୍ପନ୍ନ କରିଥିବା ନିଜର ଶବୁଜ ଶକ୍ଷ୍ୟ କ୍ଷେତ୍ରକୁ ଦେଖି ଆନନ୍ଦ ରେ ଉତ୍‌ଫୁଲିତ ହୋଇଥାଏ ।ଏହି ମାସରେ ମଧ୍ୟ ଶୀତ ଋତୁର ଆଗମନ ହୋଇଥିବାରୁ ଓ ପବିତ୍ର କାର୍ତିକ ବ୍ରତ ପାଳନକରିଥିବାରୁ ନିରାମିଷ ଭକ୍ଷଣକରାଯାଏ । ଏହିଦିନ ମଧ୍ୟ ମହିଳାମାନେ ରାତ୍ରରୁ ଶଯ୍ୟା ତ୍ୟାଗକରି ନିଜର ଗୃହକୁ ଲିପି ପୋଛି ନିଜର ଘର ବାରଣ୍ଡା ସହପୂଜାସ୍ଥଳି ଗୁଡ଼ିକରେ ସୁନ୍ଦର ଝୋଟିଚିତ୍ର ମାନ କରିଥାନ୍ତି । ଏହି ଋତୁରେ ଶରୀରରେ ଚର୍ମରୋଗ ହେବାର ବହୁ ସମ୍ବାବନା ଥିବାରୁ ନିଜ ବାଡ଼ିରେ ଥିବା ଓଲୁଅ ଗଛ ମୂଳରୁ ଓଲୁଅକୁ କୁ ଆଣି ଶିଝାଇ ତାକୁ ଭକ୍ଷଣ କରିଥାନ୍ତି । ଏହା ଭକ୍ଷଣ କରିବାଦ୍ୱାରା ଚର୍ମରୋଗରୁ ମୁକ୍ତିମିଳିଥାଏ ବୋଲି ବିଶ୍ୱାସ ରହିଛି । କୃଷକମାନେ ଧାନକ୍ଷେତ ରୁ ଫେରୀ ଘରେ ତିଆରୀ ହୋଇଥିବା ଚକୁଳି ,ଆରିସା କାକରା ପିଠାକୁ ସାହିର କୃଷକ ମାନେ ଏକସ୍ଥାନରେ ବସି ଖାଇଥାନ୍ତି । ଏହାଦ୍ୱାରା ପରସ୍ପର ମଧ୍ୟରେ ସଂପର୍କର ରଜ୍ଜୁ ଦୃଢ଼ିଭୁତ ହୋଇଥାଏ । ଏହି ପୂଜାଦ୍ୱାରା ମା’ ଲଷ୍ମୀ ସଂନ୍ତୁଷ୍ଟ ହୋଇ ଅଧିକ ଶଷ୍ୟ ଅମଳ ହୋଇଥାଏ ବୋଲି ଏବେବି ପୁରତନ ବ୍ୟକ୍ତିମାନେ ବିଶ୍ୱାସ କରଥାନ୍ତି । ଏହି ପରଂପରା କୁ ଅଦ୍ୟାବଧି ଗ୍ରାମାଂଚଳର କୃଷକମାନେ ଭକ୍ତି ଓ ବିଶ୍ୱାସର ସହଏହାକୁ ପାଳନକରନ୍ତି ।