Odiapua.com

କୁଷ୍ଠ କଲୋନୀର କଷ୍ଟ ଦୂର ହେବ କେବେ!

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡଗମୁଣ୍ଡ ଆଦିବାସୀ କଲୋନୀ ଭଦ୍ରକ ସହରକୁ ଲାଗିଥିବା ରାନ୍ଦିଆ ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡରେ ଅବସ୍ଥିତ । ଏଠାରେ ପ୍ରାୟ ୧୮ଟି ପରିବାର ବାସ କରନ୍ତି । ୮ଜଣ କୁଷ୍ଠରୋଗୀ ମୁଖ୍ୟ ବାସିନ୍ଦା ହୋଇଥିବାରୁ ଏହାକୁ କେହିକେହି କୁଷ୍ଠରୋଗୀଙ୍କ ଗାଁ ବା କୁଷ୍ଠ କଲୋନୀ କହିଥାଆନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ । ପୂର୍ବରୁ ଏହି କଲୋନୀରେ ଗୋଟିଏ କୋଠରୀ ବିଶିଷ୍ଟ ଏକ ଆଜବେଷ୍ଟସ୍ ଘରେ ଅଙ୍ଗନୱାଡ଼ି କେନ୍ଦ୍ରରେ ୬୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ନେଇ ୫ଟି ଶ୍ରେଣୀ ଚାଲୁଥିବାବେଳେ ତା’ର ବାରଣ୍ଡାରେ ଚାଲଉଥିଲା ଅଙ୍ଗନୱାଡ଼ି କେନ୍ଦ୍ର । ଗଛ ମୂଳରେ ଗର୍ଭବତୀ ମହିଳା ତଥା ଅନ୍ୟାନ୍ୟ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଶା କର୍ମୀଙ୍କ ଦ୍ୱାରା କରାଯାଉଥିଲା । ଗାଁକୁ ନାଁ ଥିଲା ରାସ୍ତା ଘାଟ, ନା ସରକାରୀ ସାହାଯ୍ୟ ସୁବିଧା ଓ ସୁଯୋଗ । ଏସବୁ ସମସ୍ୟାକୁ ନେଇ ଗାଁଟି ଜର୍ଜରିତ ହେଉଥିଲାବେଳେ ସମାଜସେବୀ ତଥା ସୁପ୍ରିମକୋର୍ଟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଅଣ୍ଟାଭିଡ଼ି ବାହାରିଥିଲେ । ତାଙ୍କର ପ୍ରଚେଷ୍ଟାରେ ବର୍ତ୍ତମାନ ୧୪ଟି ପରିବାରକୁ ଜମିପଟା ମିଳିଥିବା ବେଳେ ପାଞ୍ଚ କୋଠରୀ ବିଶିଷ୍ଟ ବିଦ୍ୟାଳୟ ତଥା ଦୁଇ କୋଠରୀ ବିଶିଷ୍ଟ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି । ବର୍ତ୍ତମାନ ଉକ୍ତ କଲୋନୀଟି ମଧ୍ୟ ବିଦ୍ୟୁତ୍ ସଂଯୋଗ ପାଇବାର ସୁଯୋଗ ଲାଭ କରିପାରିଛି । ୨୦୧୬ ମସିହା ପବିତ୍ର ମକର ସଂକ୍ରାନ୍ତି ଦିନ କିଛି ଅସାମାଜିକ ଲୋକ ଉକ୍ତ କଲୋନୀର ପହଞ୍ôଚ ମହିଳା ମାନଙ୍କୁ ଅସଦାଚରଣ କରୁଥିଲେ ଯାହାକୁ ଉକ୍ତ କଲୋନୀରେ ବାସ କରୁଥିବା ବଳିଆ ସିଂହ ପ୍ରତିବାଦ କରିଥିଲେ । ଫଳରେ ଶ୍ରୀ ସିଂଙ୍କ ଉପରେ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣ ଘଟଣାକୁ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ପହଞ୍ଚାଇଥିଲେ ।

ଯାହାଫଳରେ ତାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ୍ ଅନୁଯାୟୀ କ୍ଷତିପୂରଣ ମିଳିବା ସହିତ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଉକ୍ତ କଲୋନୀର ବାସିନ୍ଦା କାନ୍ଦୁରୀର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ନେଇ ଜିଲ୍ଲା ମୂଖ୍ୟ ହସ୍ପିଟାଲରେ ଚିକିତ୍ସା କରାଇବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଯତ୍ନ ନେଉଥିଲେ । ବର୍ତ୍ତମାନ ପୁଣି କାନ୍ଦୁରୀର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତା’ର କେମିତି ଚିକିତ୍ସା ସୁବିଧା କରାଇ ହେବ ସେଥିପାଇଁ ରାଧାକାନ୍ତ ବିଚାର ବିମର୍ଶ କରୁଛନ୍ତି । ଉକ୍ତ କଲୋନୀର ଅନ୍ୟତମ ବାସିନ୍ଦା ସନ୍ୟାସୀ ସିଂ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସମୟରେ ରାଧାକାନ୍ତ ନିଜର ମାନବୀୟ ଗୁଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ବିଧିର ବିଧାନ ଥିଲା ଅଲଗା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ ଶ୍ରୀ ସିଂ ହସ୍ପିଟାଲରେ ମୃତ୍ୟୁ ବରଣ କଲେ ଏବଂ ତାଙ୍କର ଶବ ସତ୍କାର ସହିତ ସମସ୍ତ ମୃତାହ କର୍ମରେ ଶ୍ରୀ ତ୍ରପାଠିଙ୍କର ଯୋଗଦାନ ରହିଥିଲା । ଅନ୍ୟଜଣେ ବାସିନ୍ଦା ହେଉଛନ୍ତି ହରମୋହନ ମାହରଣା ଯିଏ ଉଭୟ ଚକ୍ଷୁହୀନ ଏବଂ କୁଷ୍ଠରୋଗୀ ଥିଲେ ଏବଂ ତାଙ୍କ ସହିତ ଶ୍ରୀ ତ୍ରପାଠିଙ୍କର ନିବିଡ଼ ଅତ୍ମିୟତା ରହିଥିଲା । କଲୋନୀର ବାସିନ୍ଦା ମାନେ କେମିତି ସ୍ୱଚ୍ଛ ଏବଂ ନିର୍ମଳ ଜଳ ପାଇ ପାରିବେ ତାହାକୁ ବିଚାରକୁ ନେଇ ସିଏ ସମସ୍ତ ପରିବାରକୁ ୱାଟର ଫିଲ୍ଟର ବଣ୍ଟନ କରିଥିଲେ ।

ଶ୍ରୀ ତ୍ରିପାଠୀଙ୍କ ମାମଲା ଆଧାରରେ ୨୦୧୯ ମସିହାରେ ତତ୍କାଳୀନ ଭଦ୍ରକର ଉପ-ଜିଲ୍ଲାପାଳ ଉକ୍ତ କଲୋନୀକୁ ପରିଦର୍ଶନ କରି ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରିଥିଲେ ଏବଂ ଜାତୀୟ ମାନବାଧିକାର ଆୟୋଗଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । କରୋନା ମହାମାରୀ ସମୟରେ ଶ୍ରୀ ତ୍ରିପାଠୀ ଉକ୍ତ କଲୋନୀରେ ପହଞ୍ôଚ ଲୋକମାନଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ସହିତ ମାସିକ ରେସନ୍ ସହିତ ମାସ୍କ ଏବଂ ସାନିଟାଇଜର ବାଣ୍ଟି ତାଙ୍କର ମାନବିକତାର ପରିଚୟ ଦେଇଛନ୍ତି । ଉକ୍ତ ଗ୍ରାମରେ ଅବହେଳିତ ଓ ନିଷ୍ପେସିତମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଶ୍ରୀ ତ୍ରିପାଠୀ ବାରମ୍ବାର ଜିଲ୍ଲା ପ୍ରଶାସନ ତଥା ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଆବାସ ଓ ଶୌଚାଳୟ ଯୋଗାଇବାରେ ବିଫଳତା ଓ ଗମନାଗମନର ସୁବିଧା କରିବାରେ ପ୍ରଶାସନିକ ଉଦାସିନତା ପାଇଁ ଶ୍ରୀ ତ୍ରିପାଠୀ କ୍ଷୋଭ ପ୍ରକାଶ କରିଛନ୍ତି । ଗ୍ରାମବାସୀମାନଙ୍କର ଆଶା ଓ ଭରଷାକୁ ପାଥେୟ କରି ଶ୍ରୀ ତ୍ରିପାଠୀ ଏବେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ନିକଟରେ ଥିବା ବେଦାନ୍ତ କମ୍ପାନୀ ନିଜର ସିଏସ୍‌ଆର ଯୋଜନାରେ ଉକ୍ତ ଗ୍ରାମକୁ ସାମିଲ୍ କରି ତା’ର ଉନ୍ନତି କରିବା ପାଇଁ ନେଇଥିବା ପଦକ୍ଷେପ ରାଧାକାନ୍ତଙ୍କର ଦୀର୍ଘଦିନର ସଂଘର୍ଷର ଫଳ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।