Odiapua.com

କୁରାଢ଼ିଘସା ଠାରେ ଡିଜିଟାଲ ଡିସପେନସରୀ ଖୋଲିବା ପାଇଁ ଦାବି

ହାଟଡିହି, ୧୬ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ କେ ବାଲିପାଳ, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ ଭଳି ଆଦିବାସୀ ବହୁଳ ଗିରି ଦୁର୍ଗମ ପଞ୍ଚାୟତ ଗୁଡିକ ହଦଗଡ ହସ୍ତୀ ଅଭୟାରଣ୍ୟ ଅଞ୍ଚଳ ନିକଟରେ ଅବସ୍ଥିତ । ଏହି ପଞ୍ଚାୟତ ଗୁଡିକ ଖଣିକ୍ଷତିଗ୍ର୍ରସ୍ଥ ଅଞ୍ଚଳ ଭାବେ ମଧ୍ୟ ବିବେଚିତ । ଏହିସବୁ ପଞ୍ଚାୟତ ନିକଟରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଏହି ଅଞ୍ଚଳର ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ରହିଛନ୍ତି । ବହୁତ ସମୟରେ ଏ ଅଞ୍ଚଳର ଲୋକମାନେ ଭାଲୁ, ହାତୀ, ସାପ ଆକ୍ରମଣର ଶୀକାର ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି । ଏପରିକି ଏହି ଅଞ୍ଚଳର ଲୋକମାନେ ବ୍ରୋକାଇଟସ, ଫାଇଲେରିଆ ଭଳି ରୋଗରେ ଶୀକାର ହୋଇ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି । ଏଠାରେ ତିନିଗୋଟି ଖଣିଖାଦାନ ଚାଲୁôତବାବେଳେ ସରକାର ଏହି ଅଞ୍ଚଳରୁ ପ୍ରଚୁର ରାଜସ୍ୱ ପାଉଥିଲେବି ଏ ଅଞ୍ଚଳର ଲୋକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ କୌଣସି ପଦକ୍ଷେପ ନେଇପାରି ନାହାନ୍ତି । ଫଳରେ ଏ ଅଞ୍ଚଳର ଲୋକମାନେ ବିଶେଷତଃ ବାଳେଶ୍ୱର ଓ ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବହୁ ଦୁରଦୁରାନ୍ତରେ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ଚିକିତ୍ସାକେନ୍ଦ୍ରକୁ ନେବା ବାଟରେ ଗୁରୁତର ରୋଗୀମାନେ ମୃତ୍ୟୁମୁଖରେ ପଡୁଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟ ସରକାର ବିଭିନ୍ନ ଗିରି ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ଡିଜିଟାଲ ଡିସପେନସରୀ ଖୋଲିବାପାଇଁ ନିଷ୍ପତି ନେଇଥିବାରୁ ଏହି ତିନୋଟି ପଞ୍ଚାୟତର କେନ୍ଦ୍ରସ୍ଥଳ କୁରାଢ଼ିଘସା ଠାରେ ଡିଜିଟାଲ ଡିସପେନସରୀ ଖୋଲିବାପାଇଁ କେନ୍ଦୁଝର ବଞ୍ଚାଅ ମର ସଭାପତି ଦାମୋଦର ବେହେରା, ଗ୍ରୀଡ଼ ଓଡିଶାର ସଭାପତି ସତ୍ୟାନନ୍ଦ ବେହେରା, ସମାଜସେବୀ ଶରତ ପଧୁରିଆ, ଜୟନ୍ତ ଡାକୁଆ, ନିରଞ୍ଜନ ନାୟକ, ରାଇସିଂ ହୋ, ଅଚ୍ୟୁତାନନ୍ଦ ପାତ୍ର, ଗଜେନ୍ଦ୍ର ପାତ୍ର, ରାମଚନ୍ଦ୍ର ବେହେରା, ବିଶ୍ୱରଞ୍ଜନ ବେହେରା, ଅଜୟ ବେହେରା, ରାମକୃଷ୍ଣ ବେହେରା ପ୍ରମୁଖ ଅଞ୍ଚଳବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିରୋଧିଦଳ ନେତା, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ବିଧାୟକ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।