Odiapua.com

କୁମ୍ଭୀର ଭୟରେ ୬ଟି ଗାଁକୁ ଜଗିଛି ଦେଶୀଡଙ୍ଗା, ୧୦ବର୍ଷରେ କୁମ୍ଭୀର ପାଟିରେ ଯାଇଛି ୮ଜଣଙ୍କ ପ୍ରାଣ, ସୂଚନା ଫଳକ ମାରି ଚୁପ ବସିଛି ବନଖଣ୍ଡ ବିଭାଗ

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି ନିକଟସ୍ଥ ମୁଆଁ, ଶୀତଳପୁର, ଷାଠିବାଙ୍କୁଡା, ବୋଡକ, ଦୋହରାପାଟଣା , ପାଲଟପୁର ୬ଖଣ୍ଡ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀବନ୍ଧରେ ପିଢିପିଢି ଧରି ବାପଗୋସାପ ଅମଳରୁ ରହିଛି ବହୁ ଘର । ରାତି ପାହିଲେ ଶୈାଚ ହେବା ଠାରୁ ଆରମ୍ଭ କରି ଗାଧୋଇବା ଆଦି ସମସ୍ତ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି ଗାଁର ବସବାସ କରୁଥିବା ଲୋକମାନେ । ହେଲେ ନଈରେ ଥିବା ହିଂସ୍ର କୁମ୍ଭୀର କେତେବେଳେ ଯେ ତାର କାୟା ବିସ୍ତାର କରି ନେଇଯାଏ ଜୀବନ କାହାରିକୁ ଜଣାନଥାଏ । ଏପରିକି କୁମ୍ଭୀର ପାଟିରେ ମଧ୍ୟ ଚାଲିଯାଏ ନିରିହ ଗାଈ ଓ ମଇଁଶିଙ୍କ ଜୀବନ । ଗତ ୧୦ବର୍ଷ ମଧ୍ୟରେ କୁମ୍ଭୀର ପାଟିରେ ୮ଜଣଙ୍କର ପ୍ରାଣ ଯାଇଥିବା ବେଳେ ବହୁ ଗାଈ ଓ ମଇଁଶିଙ୍କ ଜୀବନ ଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳ ଲୋକମାନେ ନଈରେ ମାଛ ମାରିବା ପାଇଁ ବିଛାଇଥିବା ଜାଲରେ ମଧ୍ୟ ଚାଲିଯାଉଛି କୁମ୍ଭୀରଙ୍କ ଜୀବନ । ଏପରିସ୍ଥଳେ ବନଖଣ୍ଡ ବିଭାଗ ନଦୀକୂଳରେ ସୂଚନା ଫଳକଟିଏ ମାରି ଚୁପ ବସିଥିବା ସ୍ଥାନୀୟ ଲୋକ କହିଛନ୍ତି ।

କୁମ୍ଭୀର ଆକର୍ମଣରେ କିଏ ବାପା-ମାଙ୍କୁ ହରାଇଛି ତ ଆଉକିଏ ସ୍ୱାମୀଙ୍କୁ ହରାଇଛି । ସୂଚନା ଅନୁଯାୟୀ ମୁଆଁ ଗାଁର ବିକ୍ରମ ଦାସ ଓ ଟୁଆଁ ଦାସଙ୍କ ସହ କିଛି ସାଙ୍ଗସାଥୀ ଗତ କିଛିବର୍ଷ ତଳେ ନଈରେ ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ବିକ୍ରମ ଦାସର ମୃତ୍ୟୁ ଘଟିଥିବା ବେଳେ ଟୁଆଁ ଦାସ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୋଟିଏ ଗୋଡ ହରାଇ ଥିଲା । ସେହିପରି ମୁଆଁ ଗାଁର ସେବତୀ ପରିଡା ମଈରେ ଶୈାଚ ହେଉଥିବା ସମୟରେ କୁମ୍ଭୀର ଝାମ୍ଫି ନେଇଥିଲା ନଈ ମଝିକୁ ଗାଁ ଲୋକଙ୍କ ଖୋଜାଖୋଜି ପରେ ଦୀର୍ଘ ୨ଦିନ ପରେ ମିଳିଥିଲା ଶବ । ବିଶେଷକରି ବର୍ଷାଋତୁରେ ନଈ ଭରା ରହିବା ପଳରେ ନଈକୂଳିଆ ଗାଁ ଦାଣ୍ଡରେ ଦେଖିବାକୁ ମିଳିଥାଏ ହିଂସ୍ର କୁମ୍ଭୀôରଙ୍କୁ । ଏପରିକି ନିକଟସ୍ଥ ସମୁଦ୍ରରୁ ଜୁଆର ଆସିଲେ ବୈତରଣୀ ଓ ସାଳନ୍ଦୀ ନଈ ଉଛୁଳି ପଡେ ଜୁଆର ପାଣିରେ । ଫଳରେ ନଦୀର ଅନେକ ସ୍ଥାନରେ ସୁ୍‌ଦୃଢ ବନ୍ଧ ନଥିବାରୁ ଗାଁ ଦାଣ୍ଡକୁ ମାଡିଆସେ ଜୁଆର ପାଣି । ଏହାର ସୁଯୋଗ ନେଇ ହିଂସ୍ର କୁମ୍ଭୀର ମଧ୍ୟ ସନ୍ତରଣ କରିଥାନ୍ତି । ଏପରି ସମସ୍ୟା ଏ ଅଞ୍ଚଳରେ ପୁରୁଷ-ପୁରୁଷ ଧରି ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଯେପରି ଆଖି ବୁଜି ଦେଇଛି ବୋଲି ଉକ୍ତ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି ।