Odiapua.com

କୁନ୍ଥୁ କୁନ୍ଥୁ ହୋଇ ପୁଲିସ୍ ଓ ପ୍ରଶାସନ ବାଲିଚୋର ଉପରେ ଚଢାଉ କଲା, ୨୧ ଟ୍ରାକ୍ଟର ଜବତ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅଂଚଳର ବାଲିପୋଖରୀ ଏସ୍‌କେପ ଉପର ଦେଇ ବୈତରଣୀ ନଦୀରୁ ଚୋରା ବାଲି ଉଠାଣ ଓ ପରିବହନ ଉପରେ ଗତକାଲି ବିଳମ୍ବିତ ରାତିରୁ ପୁଲିସ୍ ଓ ପ୍ରଶାସନ ମିଳିତ ଚଢାଉ କରି ୨୧ ଟ୍ରାକ୍ଟର ଜବତ କରି ତହସିଲ ପଡିଆକୁ ଆଣିଛି । ସମସ୍ତ ସତର୍କତା ସତ୍ୱେ ଚଢାଉ ଖବର ବାଲିମାଫିଆଙ୍କ ନିକଟରେ ଆଗୁଆ ପହଞ୍ôଚ ଯାଇଥିବାରୁ ଶତାଧିକ ଟ୍ରାକ୍ଟର ସୁରକ୍ଷିତ ଭାବେ ଖସିଯାଇଛନ୍ତି । ବର୍ଷାଋତୁ ଆଗମନର ଅବ୍ୟବହିତ ପୂର୍ବରୁ ବାଲିଚୋରମାନେ ବାଲି ଉଠାଣ, ଗଚ୍ଛିତ ଓ ପରିବହନ କାର୍ଯ୍ୟକୁ ବହୁଗୁଣିତ କରିଦେଇଥିଲେ । ଏଥିନେଇ ଗଣମାଧ୍ୟମରେ ବ୍ୟାପକ ଭାବେ ଖବର ପ୍ରକାଶ ପାଇବା ସହ ପୁଲିସ୍ ଓ ପ୍ରଶାସନକୁ ତିରସ୍କାର ମଧ୍ୟ କରାଯାଇଥିଲା । ବାଲିଚୋରମାନଙ୍କ ସହ ପୁଲିସ୍ ଡିଲ୍ କରୁଥିବା ଅଡିଓ ଭାଇରାଲ ହେବା ପୁଲିସ୍ ଓ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସଦାସର୍ବଦା କାର୍ଯ୍ୟାନୁଷ୍ଠାନ ପ୍ରତି ବିମୁଖ ରହୁଥିବା ତହସିଲଦାର ବହୁ ସମୟରେ ନିଜ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ୍ ଓ ଜନସାଧାରଣଙ୍କ ଉପରେ ଦୋଷ ଲଦିଦେଇ ଦାୟିତ୍ୱ ଖସାଇ ଦେଇ ଆସୁଥିଲେ । ଅନୁରୂପ ଭାବେ ସୁରକ୍ଷା ବଳ ଥାଇ ମଧ୍ୟ ନିୟୋଜିତ କରାଯାଉନଥିବା ଓ କାର୍ଯ୍ୟାନୁଷ୍ଠାନ ତହସିଲର ମୂଳ ଦାୟିତ୍ୱ କହି ପୁଲିସ୍ ମଧ୍ୟ ଦାୟିତ୍ୱ ଖସାଇଦେଇ ଆସୁଥିଲା । କେତେବେଳେ କେମିତି ମାସିକିଆ ବ୍ୟବସ୍ଥାକୁ ଫାଙ୍କି ବାଲି ଚୋର କରୁଥିବା ଗାଡି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା । ପୁଲିସ୍ ଓ ତହସିଲର ଏଭଳି ଭ୍ରଷ୍ଟାଚାରକୁ ଜନସାଧାରଣ କଟୁ ସମାଲୋଚନା କରୁଥିଲେ । ଇତିମଧ୍ୟରେ ଡିଲ୍ ଅଡିଓ ଜିଲା ପୁଲିସ୍ ଅଧୀକ୍ଷକଙ୍କ ନିକଟରେ ପହଞ୍ôଚ ସାରିଥିଲା । ପୁଲିସ୍ ଅଧୀକ୍ଷକଙ୍କ ଠାରୁ କଡା ନିର୍ଦ୍ଦେଶ ପାଇ ଧାମନଗର ଉପଖଣ୍ଡ ପୁଲିସ୍ ଅଧିକାରୀ ମନୋରଂଜନ ସାମଲ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ସ୍ଥାନୀୟ ଥାନାଧିକାରୀ ସନାତନ ସାହୁ, ଜଗନ୍ନାଥ ପ୍ରସାଦ ଅତିରିକ୍ତ ରାଜସ୍ୱ ନିରୀକ୍ଷକ କମଳାକାନ୍ତ ନାୟକ, ପୁଲିସ୍ ସୁରକ୍ଷା ବଳଙ୍କ ସହ ଗତକାଲି ରାତି ୩ଟାବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ହେଲେ ବର୍ଷ ବର୍ଷ ଧରି ଥାନାରେ କାର୍ଯ୍ୟରତ ଥିବା ଭ୍ରଷ୍ଟାଚାରୀ କର୍ମଚାରୀଙ୍କ ଦ୍ୱାରା ସୂଚନା ବାଲି ମାଫିଆଙ୍କୁ ମିଳିଯାଇଥିବାରୁ ବହୁ ଟ୍ରାକ୍ଟର ଖସିଯାଇଥିଲେ । ଏହି ଚଢାଉ କେବଳ ନିର୍ଦ୍ଦିଷ୍ଟ ଅଂଚଳରେ ସୀମିତ ରହିଥିବାରୁ ପୁନର୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଜବତ ହୋଇଥିବା ଟ୍ରାକ୍ଟର ଉପରେ ମାମଲା ରୁଜୁ ହେବା ସହ ପରିବହନ ବିଭାଗ ଦ୍ୱାରା ଟ୍ୟାକ୍ସ ପୈଠ ଯାଞ୍ଚ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ସାମୟିକ ନା ନିୟମିତ ତାହା ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।