ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବାଗୁରାଇ ମା ଦୁର୍ଗା ପାଲେସ ପରିସରରେ କିର୍ତନ ବିହାରୀ ଲକ୍ଷ୍ମୀଦେବୀ ମେମୋରିଆଲ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ସାରସ୍ୱତ ସମାରୋହ ପାଳିତ ହୋଇଛି । ସାହିତ୍ୟିକ ଡ.ମମତା ସାହୁଙ୍କ ମଂଚ ସଂଚାଳନରେ ପ୍ରଫେସର ଡ.ନାରାୟଣ ସେନାପତି ସଭାକୁ ଅଧ୍ୟକ୍ଷତା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅତିଥି କବି ଚିନ୍ତାମଣି ମହାଳିକଙ୍କୁ କାବ୍ୟ କବିତା, ମାୟାଧର ନାୟକଙ୍କୁ ସାମଗ୍ରିକ ସାହିତ୍ୟ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥି ଦ୍ୱୟ ସମ୍ବର୍ଦ୍ଧନାର ଉତରରେ ସାହିତ୍ୟ ମଣିଷ ପ୍ରାଣର ଏକ ବାକ୍ମୟ ପରିପ୍ରକାଶ ବୋଲି କହିଥିବା ବେଳେ ଟ୍ରଷ୍ଟର ଉତୋରତର କାମନା କରିଥିଲେ । ଏହି ଅବସରରେ ତାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଦ୍ୱୀତିୟ ପର୍ଯ୍ୟାୟରେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟାପକ ସ୍ୱର୍ଗତଃ ବିଭୂତି ଭୂଷଣ ମହାନ୍ତି ଙ୍କୁ ମରଣତ୍ୱର ଗୁରୁପୂଜନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାକୁ କନିଷ୍ଠ ପୁତ୍ର ଆଇନଜିବୀ କୁମାରେଶ୍ୱର ମହାନ୍ତି ଗ୍ରହଣ କରିଥିଲେ । ତୃତୀୟ ପର୍ଯ୍ୟାୟରେ ସ୍ୱର୍ଗତଃ ପ୍ରାଧ୍ୟାପକ ଭୀମସେନ ପୃଷ୍ଟି ସ୍ମୃତି ସମ୍ମାନ ୨୦୨୨ ରେ ପ୍ରାଧ୍ୟାପକ ଡ.କୁଳମଣୀ ତ୍ରିପାଠୀ, ୨୦୨୩ ରେ ପ୍ରାଧ୍ୟାପକ ଡ.ନାରାୟଣ ସେନାପତି, ୨୦୨୪ ରେ ଶିକ୍ଷାବିତ୍ ପ୍ରେମାନନ୍ଦ ନାୟକଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ଆୟୋଜିତ ପୁସ୍ତକ ଉନ୍ମୋଚନ ସଭାକୁ ମେନେଜିଙ୍ଗ୍ ଟ୍ରଷ୍ଟି ଡ.ନାରାୟଣ ସେନାପତି ପୌରହିତ୍ୟ କରିଥିଲେ । ଏଥିରେ ଡ. ସେନାପତିଙ୍କ ସଂଙ୍କଳନ ଓ ସମ୍ପାଦନରେ ୬୬ଟି ଗଳ୍ପ ର ଏକ ମନୋଜ୍ଞ ସଂକଳନ ‘ତରୁଣରୁ ପ୍ରବୀଣ ଯାଏ’ ଉନ୍ମୋଚିତ ହୋଇଥିଲା । ଏହାକୁ ମୁଖ୍ୟ ଅତିଥି ଭାବେ ବରେଣ୍ୟ କଥାଶିଳ୍ପୀ ରଜନୀ କାନ୍ତ ମହାନ୍ତି, ମୁଖ୍ୟବକ୍ତା କଥାକାର ପବିତ୍ର ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଗାଳ୍ପିକ ପ୍ରିୟବ୍ରତ ପାତ୍ର, ସମ୍ମାନିତ ଅତିଥି ଗାଳ୍ପିକା ଲୋପାମୁଦ୍ରା ମିଶ୍ର ଯୋଗ ଦେଇ ଏହି ସାଧୁ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଗଳ୍ପ ସଂକଳନଟି ସଂଗ୍ରହଣୀୟ ଭାବେ ଅତିଥି ମାନେ ପ୍ରତିପାଦନ କରିଥିଲେ । ଏହି ଅବସରରେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମାଙ୍କ କବିତା ସଂକଳନ ‘ରାଗ ରାଗେଶ୍ରୀ’, ‘ଇଂରାଜୀରେ ଭାରତୀୟ ସ୍ଥାପତ୍ୟ ପ୍ରତ୍ୟେୟ’ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପୁସ୍ତକର ସମୀକ୍ଷକ ଭାବେ ଅଧ୍ୟାପକ ଗଜେନ୍ଦ୍ର କୁମାର ସେନାପତି ଥିଲେ । କାର୍ଯ୍ୟକ୍ରମକୁ କବି ଅବନୀ ପ୍ରଧାନ, ଗାଳ୍ପିକ ପିତାମ୍ବର ବିଶ୍ୱାଳ, ଅଧ୍ୟାପିକା ଭାନୁମତୀ ମାଟିଆ,ଉଷାରାଣୀ ଜେନା, ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ଶିକ୍ଷୟିତ୍ରୀ ତପସ୍ୱିନୀ ପହି,ସୁକାନ୍ତି ବିଶ୍ୱାଳ, କଳ୍ପନା ପୃଷ୍ଟି ପ୍ରମୁଖ ମାନପତ୍ର ପାଠ ଓ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶୁଭ୍ରଜିତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।