Odiapua.com

କିରୋସିନି ବିକ୍ରୀରେ ବ୍ୟାପକ ଅନିୟମିତତା, ସରକାରୀଦର ୧୪.୪୦କୁ ବିକ୍ରୀ ୩୦ରୁ ୪୦

ହାଟଡ଼ିହି-୧୫/୫, କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ କିରୋସିନି ବିକ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ସରକାର ଏପ୍ରିଲ ମାସଠାରୁ କିରୋସିନିର ଦର କମି କମି ଯାଉଥିଲେ ମଧ୍ୟ ରିଟେଲର ମାନେ ପୁର୍ବମାସ ଭଳି ଚଢ଼ାଦରରେ ହିତାଧିକାରୀ ମାନଙ୍କୁ କିରୋସିନି ବିକ୍ରୀ କରୁଥିବା ନେଇ ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଗତ ଏପ୍ରିଲ ମାସଠାରୁ କିରୋସିନି ଦରରେ ହ୍ରାସ ଆସିଥିଲା । ପୁର୍ବରୁ ଏହାର ସରକାରୀ ଦର ୩୬ଟଙ୍କା ୬୩ପଇସା ଥିବାବେଳେ ଡିଲର ରିଟେଲର ମାନଙ୍କ ଠାରୁ ୩୮ଟଙ୍କା ୩୦ପଇସା ନେଇଥାଏ । ସେହି ଅନୁସାରେ ପଞ୍ଚାୟତ କର୍ତ୍ତୁପକ୍ଷ ଓ ରିଟେଲର ମାନେ ଗାଡିଭଡା ମିଶାଇ କେଉଁଠି ୪୦ଟଙ୍କା ତ ଆଉ କେଉଁଠି ୪୨ଟଙ୍କାରେ ବିକ୍ରୀ କରିଥାନ୍ତି । କିନ୍ତୁ ଏପ୍ରିଲ ମାସରୁ କିରୋସିନି ଦର ୨୫ଟଙ୍କା ୧୯ପଇସା ହୋଇଥିବାବେଳେ ରିଟେଲର ମାନେ ପ୍ରତି ପଞ୍ଚାୟତରେ ୩୦ରୁ ୪୦ଟଙ୍କା ଦରରେ ବିକ୍ରୀ କରିଥିବା ଜଣାଯାଇଛି । ମେ ମାସଠାରୁ ଏହାର ସରକାରୀ ଦର ୧୪ଟଙ୍କା ୪୦ପଇସା ଧାର୍ଯ୍ୟ ହୋଇଥିବାବେଳେ ଆଜିବି କିଛି ପଞ୍ଚାୟତରେ ଏହା ୩୦ରୁ ୪୦ଟଙ୍କାରେ ବିକ୍ରୀ ହେଉଛି । ମେ ମାସ ଅଧାହେବାକୁ ବସିଥିବାବେଳେ କିଛି ପଞ୍ଚାୟତକୁ ଏପ୍ରିଲ ମାସର କିରୋସିନି ଯୋଗାଣ ହୋଇନଥିବାବେଳେ ଚତୁରତାର ସହ କିଛି ପଞ୍ଚାୟତକୁ ଏପ୍ରିଲ, ମେ ଓ ଜୁନ ମାସର ମାସର କିରୋସିନି ଚଢ଼ାଦରରେ ଦିଆଯାଇ ଲୋକଙ୍କୁ ବଣ୍ଟନ କରାଯାଇ ସାରିଛି ।

ମରୈଗାଁ ପଞ୍ଚାୟତରେ ୧୭୧୨ଜଣ କାର୍ଡଧାରୀ ଥିବାବେଳେ ଗତ ଏପ୍ରିଲ ମାସରେ ଏହି ପଞ୍ଚାୟତକୁ ୩୫ଶହ ଲିଟର କିରୋସିନି ଯୋଗାଇ ଦିଆଯାଇଥିଲା । ଯାହାକି ହିତାଧିକାରୀଙ୍କୁ ୪୦ଟଙ୍କା ଦରରେ ବିକ୍ରୀ କରାଯାଇଥିଲା । ପୁନର୍ବାର ମେ ମାସରେ ଏହି ପଞ୍ଚାୟତକୁ କିରୋସିନି ଯୋଗାଇ ଦିଆଯାଇଥିବାବେଳେ ସେଠାରେ ଏବେ ୩୦ଟଙ୍କା ଦରରେ ହିତାଧିକାରୀଙ୍କୁ କିରୋସିନି ବିକ୍ରୀ କରାଯାଉଛି । ସେହିପରି ଢ଼େଙ୍କା ମଟରାଗାଡିଆରେ ୪୫ଟଙ୍କା, ଧରମପୁରରେ ୪୦ଟଙ୍କା, ସଢ଼ାରେ ୪୦ଟଙ୍କା, ଡଅଁରରେ ୪୧ଟଙ୍କା, ବେଲମଳାରେ ୪୪ଟଙ୍କା, ଶାସଙ୍ଗରେ ୪୨ଟଙ୍କା, ଶାଳଣିଆଁରେ ୪୦ଟଙ୍କା, ବଞ୍ଚୋରେ ୩୦ଟଙ୍କା ଦରରେ ବିକ୍ରୀ ହୋଇଥିବା ଜଣାଯାଇଛି । କଳିଗାଁ ପଞ୍ଚାୟତକୁ ଏପ୍ରିଲ ମାସର କିରୋସିନି ଦିଆଯାଇ ନଥିବାବେଳେ ଶାଳଣିଆଁ ପଞ୍ଚାୟତକୁ ଗତ ଏପ୍ରିଲ ୨୩ତାରିଖରେ ତିନି ମାସର କିରୋସିନି ଯୋଗାଇ ଦିଆଯାଇଛି । ଯାହାକି ସେଠାକାର ହିତାଧିକାରୀ ମାନେ ସରକାରୀ ଦରଠାରୁ ତିନିଗୁଣ ଦରରେ କିରୋସିନି କିଣି ଠକାମୀର ଶୀକାର ହୋଇଛନ୍ତି ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରିଟେଲର ମାନଙ୍କୁ ପଚାରିବାରେ ଡିଲର ଠାରୁ ଆମେ ଯେଉଁ ଦରରେ କିରୋସିନି ଆଣିଛୁ ଓ ଯାହା କମ ରହୁଛି ତାହାକୁ ହିସାବକୁ ନେଇ ଆମେ ତାହାଠାରୁ ଟଙ୍କେ ଦୁଇଟଙ୍କା ଅଧିକ ଦରରେ ବିକ୍ରୀ କରୁଛୁ ବୋଲି କହିଛନ୍ତି । ସେମାନଙ୍କ କହିବାକଥା ଯେ ଦୁଇଶହ ଲିଟର ଡ୍ରମରେ ୧୦ଲିଟରରୁ ଉର୍ଦ୍ଧ କିରୋସିନି କମ ରହୁଛି । ତେଣୁ ସେ ବାବଦରେ ଅନେକ କ୍ଷତି ହେଉଛି । କିନ୍ତୁ କିରୋସିନି ଦର କମିବା ବାବଦରେ ଆମକୁ କେହି କହି ନାହାନ୍ତି । ତେଣୁ ଡିଲର ଯାହା ନେଲା ଆମେ ସେହି ଅନୁସାରେ ବିକିଛୁ ଆମର କିଛି ଭୁଲ ନାହିଁ ।ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଏବେକାର ସରକାରୀ ଦର ୧୪ଟଙ୍କା ୪୦ପଇସା ଅଛି କିନ୍ତୁ କିଏ କେତେ ଦରରେ ବିକୁଛି ତାହା ଆମେ ଜାଣି ନାହୁଁ ବୁଝିବାକୁ ପଡିବ ବୋଲି କହିଛନ୍ତି । ଏପରିକି କେନ୍ଦୁଝର ଜିଲ୍ଲାପାଳ ଗତ ମେ ମାସ ଏକତାରିଖରୁ ଏକ ଚିଠିକରି ଦର ନିର୍ଦ୍ଧାରଣ କରିଥିବା ଯୋଗାଣ ଅଧିକାରୀ କହିଛନ୍ତି । କିନ୍ତୁ କିରୋସିନି ଡିଲରମାନେ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅନୁସାରେ କିରୋସିନି ନଦେଇ ବହୁ ଚଢ଼ାଦରରେ କିରୋସିନି ରିଟେଲର ମାନଙ୍କୁ ଦେଉଛନ୍ତି । ହାଟଡିହି ବ୍ଲକରେ କିରୋସିନି ବିକ୍ରୀରେ ଏପରି ବ୍ୟାପକ ଅନିୟମିତତା ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।