ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଚରମ୍ପା ଅଂଚଳରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚରମ୍ପା ରେଳ ଓଭରବ୍ରିଜ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ବିବାଦ ଉଗ୍ରରୂପ ନେଇଥିବା ଜଣାପଡ଼ିଛି। ଏହାପରେ ଉଭୟ ପକ୍ଷ ପରସ୍ପରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଚରମ୍ପା ରେଳ ଓଭରବ୍ରିଜ ନିକଟରେ କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କୌଣସି ଏକ କାରଣକୁ ନେଇ ବଚସା ହୋଇଥିବା ବେଳେ ପରେ ତାହା ହାତାହାତି ଓ ଆକ୍ରମଣର ରୂପ ନେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ସହ କିଛି ସମୟ ପାଇଁ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳରେ ଆହତ ହୋଇଥିବା କିଛି କିନ୍ନରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଚିକିତ୍ସାଳୟରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଗଣ୍ଡଗୋଳର ପ୍ରକୃତ କାରଣ କ’ଣ, ଏଥିରେ କେତେଜଣ ସମ୍ପୃକ୍ତ ଥିଲେ ଏବଂ ଆକ୍ରମଣରେ କେତେଜଣ ଆହତ ହୋଇଛନ୍ତି, ସେନେଇ ସବିଶେଷ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ପରେ ଅଂଚଳରେ ଯେପରି ଆଉ କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ନଜର ରଖିଥିବା ଜଣାପଡ଼ିଛି। ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଏଭଳି ଗଣ୍ଡଗୋଳ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ମଧ୍ୟ ଆଲୋଚନା ଜୋର ଧରିଛି। ତେବେ ଗଣ୍ଡଗୋଳର ପଛରେ ଥିବା ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।