Odiapua.com

କିଏ ଖୁସି ? ଆପଣ କହିବେ – ମିଳିବ କେଉଁଠୁ ?

ଖୁସିର ସ୍ତର ମାପିବା ପାଇଁ କିଛି ମାସ ପୂର୍ବରୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଥିଲା। ପାଞ୍ଚୋଟି ମୁଖ୍ୟ କାରକ ଯଥା ବୃତ୍ତିଗତ କାର୍ଯ୍ୟ, ପାରସ୍ପରିକ ସମ୍ପର୍କ, ସ୍ୱାସ୍ଥ୍ୟ, ପରୋପକାର, ଆଧ୍ୟାତ୍ମିକତା ବିଷୟରେ ଲୋକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ଖୁସିର ସ୍ତର ମାପ ଯାଇଥିଲା। ଆମ ଦେଶର ୩୪ଟି ଭିନ୍ନ ଭିନ୍ନ ସହରରେ ଯେଉଁ ସର୍ବେକ୍ଷଣ କରାଯାଇଥିଲା ତନ୍ମଧ୍ୟରୁ ଲୁଧିଆନା, ଅହମଦାବାଦ ଏବଂ ଚଣ୍ଡିଗଡ଼ର ଲୋକମାନେ ସବୁଠାରୁ ଖୁସିରେ ଅଛନ୍ତି ବୋଲି ଜଣାପଡିଥିଲା। ମଣିଷ ସାଧାରଣତଃ ଖୁସିରେ ବଞ୍ଚିବାକୁ ଚାହେଁ, ଆବାଳ ବୃଦ୍ଧବନିତା ସମସ୍ତଙ୍କର ଇଚ୍ଛା ଖୁସିରେ ଜୀବନ ଅତିବାହିତ କରିବା ପାଇଁ, ଯଦି ଜୀବନରେ ଖୁସି ନାହିଁ ଜୀବନଟା ନିରସ ଲାଗେ ଏବଂ ବଞ୍ଚିବା ଦୁର୍ବିସହ ହୋଇଯାଏ। ଖୁସି ଏକ ଅନନ୍ୟ ଅନୁଭବ ଯାହାକି ଆତ୍ମ ସନ୍ତୋଷ ପ୍ରଦାନ କରିଥାଏ ଏହା କାହା ପାଖରୁ ଅଣାଯାଇ ପାରିବ ନାହିଁ କି ଟଙ୍କା ଦେଇ ବଜାରରୁ କିଣାଯାଇ ପାରିବ ନାହିଁ। ତେବେ ଖୁସି ମିଳିବ କେମିତି ? ଦରଦାମ ବୃଦ୍ଧି, ବେକାରୀ, ପାରିବାରିକ ବିଶୃଙ୍ଖଳା, ପ୍ରାକୃତିକ ଦୁର୍ବିପାକ ଯୋଗୁ ଚାଷ ପ୍ରଭାବିତ, ଏମିତି ଅନେକ ସମସ୍ୟା ଦେଇ ମଣିଷକୁ ଗତି କରିବାକୁ ପଡୁଛି, ତେଣୁ ମଣିଷ ପାଖରୁ ଖୁସି ଖସି ଖସି ଯାଉଛି।

ବେଳେ ବେଳେ ସବୁ ଥାଇ ମଧ୍ୟ ମଣିଷ ଟିକେ ଖୁସି ପାଉନି, ଅନେକ କ୍ଷେତ୍ରରେ ଦେଖାଯାଏ ଆମେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିଥାଉଁ ଯାହା ବଡ଼ ନିର୍ବୋଧତା ଓ ହତାଶାର କାରଣ ହୋଇଥାଏ, ଯାହାଫଳରେ ଖୁସି ବଦଳରେ ଦୁଃଖ ହିଁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଗୁରୁଙ୍କ ଠାରୁ ଶୁଣିଥିବା ଗପଟି ମନେ ପଡୁଛି। କୁଆଟି ନିଜ ଦୈନନ୍ଦିନ ଜୀବନରେ ଆରାମରେ ଥାଏ, ଦିନେ ସେ ଏକ ହଂସକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଭାବିଲା ସେ ଧୋବ ଫର ଫର ପକ୍ଷୀଟି ସୁନ୍ଦର ଦେଖାଯାଉଛି। ନିଶ୍ଚୟ ଭାଗ୍ୟବାନ ହୋଇଥିବ, ମୋ ଠାରୁ ଖୁସିରେ ଥିବ। ମୁଁ ହତଭାଗ୍ୟ ଟାଏ, ମୋତେ କେହି ଭଲ ପାଉ ନାହାନ୍ତି ମୋ ଦେହ ସାରା କଳା ପର, କେତେ ଅସନା ମୁଁ। କୁଆଟି ମନରେ ଏପ୍ରକାର ହୀନ ଭାବନା ଜାତ ହେବାରୁ ସେ ଖେଳିବା, ବୁଲିବା, ହସିବା, ଏମିତିକି ଖାଇବା ବି ଭୁଲିଗଲା, ତା ମନରେ ଆଉ ଖୁସି ରହିଲା ନାହିଁ। କୁଆର ବାପା ବୁଢା କୁଆ, ପୁଅର ଏମିତିକା ଅବସ୍ଥା ଦେଖି ଏହାର କାରଣ ପଚାରିଲା, କୁଆ କହିଲା ବାପା ଏ ଦୁନିଆରେ ଅନେକ ଧୋବ ଫର ଫର ପକ୍ଷୀ ଭଗବାନ ସୃଷ୍ଟି କଲେ କିନ୍ତୁ ମୋତେ କାହିଁକି ଏମିତି କଳା ମିଚି ମିଚି ଶରୀର ଦେଲେ ? ବୁଢା କୁଆ ପୁଅର କଥା ଶୁଣି ବୁଝିଗଲା ପୁଅ ହୀନମନ୍ୟତାର ଶିକାର ହୋଇଛି। ପୁଅକୁ କେମିତି ଏହି ହୀନମନ୍ୟତାରୁ ରକ୍ଷା କରି ହବ ସେ ବିଷୟରେ ବୁଢା କୁଆ ଚିନ୍ତା କରି ପୁଅକୁ କହିଲା ରୂପ ଅନୁସାରେ କେହି କେବେ ଭାଗ୍ୟବାନ ହୋଇପାରେନା। ମୁଁ ମାନୁଛି ଆମ କୁଆ ଜାତିର ରଙ୍ଗ କଳା ଓ ବେଶି ସୁନ୍ଦର ନୁହେଁ, କିନ୍ତୁ ଅନ୍ୟ ପକ୍ଷୀଙ୍କ ଠାରୁ ଆମେ ଭାଗ୍ୟହୀନ ଭାବିବା ଭୁଲ। ତୁ ଯଦି ସେ ଧୋବ ଫର ଫର ପକ୍ଷୀଟିକୁ ଦେଖା କରିପାରିବୁ, ତେବେ ଜାଣିପାରିବୁ ସେ କେତେ ଖୁସିରେ ଅଛି ? ବୁଢା କୁଆର କଥା ମାନି କୁଆଟି ହଂସକୁ ଦେଖା କରି କହିଲା ତୁମର ସୁନ୍ଦର ରୂପ ଦେଖି ମୁଁ ଆକର୍ଷିତ, ତୁମେ ସତରେ ବହୁତ ଭାଗ୍ୟବାନ ତେଣୁ ତୁମେ ଅଧିକ ଖୁସିରେ ଥିବ। କୁଆର କଥା ଶୁଣି ହଂସ କହିଲା କୁଆ ଭାଇ କିଏ କେତେ ଖୁସିରେ ଅଛି ? ସେ ନିଜେ ହିଁ କହିପାରିବ, ମୁଁ ମାନୁଛି ମୁଁ ଧୋବ ଫର ଫର କିନ୍ତୁ ମୋ ଠାରୁ ଅଧିକ ସୁନ୍ଦର ପକ୍ଷୀ ଦୁନିଆରେ ଅଛନ୍ତି ଯେମିତି ଶୁଆ, ବିଭିନ୍ନ ରଙ୍ଗରେ ସୁସଜିତ ସୁନ୍ଦର ଶରୀର ପାଇଁ ତାକୁ ଲୋକମାନେ ବହୁତ ଭଲ ପାଆନ୍ତି। ତୁମେ ଯଦି ଶୁଆକୁ ଦେଖା କରିପାରିବ ତେବେ ଜାଣିପାରିବ ସେ କେତେ ଖୁସିରେ ଅଛି ? ଶୁଆ ବିଷୟରେ ଏମିତି କଥା ସବୁ ଶୁଣି କୁଆର ଇଛା ହେଲା ଶୁଆକୁ ଦେଖା କରିବାକୁ ତେଣୁ ସେ ଶୁଆକୁ ଦେଖା କରିବାକୁ ଉଡ଼ିଗଲା। ବହୁତ ଖୋଜାଖୋଜି କଲାପରେ, ପଞ୍ଜୁରୀ ଭିତରେ ଶୁଆକୁ ଦେଖି କୁଆ କହିଲା ଶୁଆ ଭାଇ ଆପଣଙ୍କ ସୁନ୍ଦର ଶରୀର ଦେଖି ମୁଁ ଆକର୍ଷିତ। ଆପଣ ଦୁନିଆର ସବୁଠାରୁ ଭାଗ୍ୟବାନ ପକ୍ଷୀ ତେଣୁ ଆପଣ ବହୁତ ଖୁସିରେ ଥିବେ। କୁଆର କଥା ଶୁଣି ଶୁଆ କହିଲା ମୁଁ ଦେଖିବାକୁ ସୁନ୍ଦର, ତୁମେ ସତ କହିଛ, କିନ୍ତୁ ମୁଁ ତୁମ ଭଳି ଭାଗ୍ୟବାନ ନୁହେଁ କାରଣ ପକ୍ଷୀ ଜନ୍ମ ପାଇ ମଧ୍ୟ ଉଡିବା ମନା, ପଞ୍ଜୁରୀ ହିଁ ମୋ ଦୁନିଆ। ତୁମେ ତୁମ ଇଛାରେ କେଉଁ ଆଡୁ ମୋ ପାଖୁ ଉଡି ଉଡି ଆସିଛ କିନ୍ତୁ ମୁଁ ଉଡିବା ଭୁଲିଗଲିଣି। ଗଛରୁ ମନ ମୁତାବକ ଫଳ ଗୋଟେ ଖାଇ ପାରୁନି, ମାଲିକ ଯାହା ଦେଉଛି ତାହା ଖାଇକି ବଞ୍ଚିଯିବା କଥା। ଏଥିରୁ ଜଣାପଡିଲା କୁଆ କେମିତି ନିଜକୁ ଅନ୍ୟ ପକ୍ଷୀ ସହିତ ତୁଳନା କରି ଦୁଃଖ ପାଉଥିଲା ତେଣୁ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଅସଲ ଦୁଃଖର କାରଣ।

ଜୀବନ କ୍ରମଶଃ ଯାନ୍ତ୍ରିକ ହେବାରେ ଲାଗିଛି। ପ୍ରତ୍ୟେକ ମଣିଷ ଗତାନୁଗତିକ ରୀତିରେ ନିତିଦିନିଆ କାର୍ଯ୍ୟ କରି ଚାଲିଛି। ପ୍ରତିଦ୍ବନ୍ଦିତାମୂଳକ ଦୁନିଆରେ କାର୍ଯ୍ୟଭାରର ଚାପରେ ସମସ୍ତେ ବ୍ୟତିବ୍ୟସ୍ତ। ଆମ ପାଖରେ ଯାହା ସବୁ ନାହିଁ, ତାହା ପାଇଗଲେ ଆମେ ଖୁସି ହେବୁ ବୋଲି ଭାବି ରାତିଦିନ ପରିଶ୍ରମ କରି ଗୋଟିକ ପରେ ଗୋଟିଏ ଶିଡ଼ି ଚଢ଼ିଥାଉ। ଅର୍ଜୁନ ଥରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କାହିଁକି ଆମକୁ ଜୀବନରେ ଖୁସି ମିଳି ନଥାଏ ? ଶ୍ରୀକୃଷ୍ଣ ସୁନ୍ଦର ଉତ୍ତରଟି ଦେଇ କହିଲେ ଆମେ ଆବଶ୍ୟକତା ଠାରୁ ଅଧିକ ଚାହିଁ ଥାଆନ୍ତି, ସେଥିପାଇଁ ଆମକୁ କେବେ ଖୁସି ମିଳେ ନାହିଁ। ଦୁଃଖ ଏମିତି ଗୋଟିଏ ଅବସ୍ଥା ଯାହା ଭଲ ଠାରୁ ଭଲ ମଣିଷକୁ ମଧ୍ୟ ବିଚଳିତ କରିଥାଏ, ମନରେ ବହୁତ ପ୍ରଶ୍ନ ଆସିଥାଏ। କେବେ ଦୁଃଖର ଅନ୍ତ ହେବ ? କେବେ ଆମକୁ ଖୁସି ମିଳିବ ? ଗରମ ଏବଂ ଶୀତର ମୌସମ ଆସିବା ପରେ ଫେରିବା ନିଶ୍ଚିନ୍ତ ହୋଇଥାଏ, ସେହିପରି ଜୀବନରେ ଦୁଃଖ ଆସେ ଆଉ ଫେରିଯାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସୁଖ ଦୁଃଖ କ୍ଷଣିକ, ଏହା କାଳକ୍ରମେ ସରିଯିବ। ଅନ୍ୟକୁ ସାହାଯ୍ୟ କରିବା ଲାଗି ଆମ ନିକଟରେ ଅର୍ଥବଳ ନଥାଇପାରେ, କିନ୍ତୁ ଆମେ ଶ୍ରଦ୍ଧା ଓ ସହାନୁଭୂତି ପ୍ରଦର୍ଶନ କରିପାରିବା। ଅନ୍ୟକୁ ସାହାଯ୍ୟ କଲେ ଯେଉଁଭଳି ଖୁସି ମିଳିଥାଏ, ତାର ପଟାନ୍ତର ନାହିଁ। ମଣିଷର ପାଇବାର ଇଚ୍ଛା ଅସୀମ, ମନ ଯାହା ଚାହେଁ ସବୁବେଳେ ସେପରି ଘଟେ ନାହିଁ। ଯାହା ସବୁ ଘଟିଯାଏ ମନ ହୁଏ’ତ ସେଇ ସବୁ ଚାହିଁ ନ ଥାଏ। ଜୀବନକୁ ସବୁବେଳେ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ମନକୁ ଆୟତ୍ତରେ ରଖି ପାରିଲେ ଜୀବନ ସରସ, ସୁନ୍ଦର ଓ ସୁଖମୟ ହୁଏ। ଇତିହାସ କୁହେ ସୁଖ ଥିଲା, ବିଜ୍ଞାନ କହୁଛି ସୁଖ ଆସିବ କିନ୍ତୁ ଧର୍ମ କୁହେ ଯଦି ମନ ସଚ୍ଚୋଟ ରହେ ତାହେଲେ ସବୁବେଳେ ସୁଖ ମିଳିବ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା