Odiapua.com

କିଏ ଉଡ଼ାଇଲା ସୁରାଟକୁ ବିମାନ ?

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରଟକୁ ସିଧା ସଳଖ ବିମାନ ସେବା ଆରମ୍ଭ ହୋଇଛି। ଏହା ନିଶ୍ଚିତ ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁସି ଖବର। ଏହା ମଧ୍ୟ ନିତ୍ୟାନ୍ତ ଜରୁରୀ ଥିଲା। ମୋଦୀ ନେତୃତ୍ୱାଧୀନ ଏବେକାର କେନ୍ଦ୍ର ସରକାର ଏବଂ ବିଭାଗୀୟ ମନ୍ତ୍ରୀ ଏଥିପାଇଁ ନିଶ୍ଚିତ ଧନ୍ୟବାଦର ପାତ୍ର।ସବୁ ଅଞ୍ଚଳରେ ବିକାଶକୁ ସମାନ ଗୁରୁତ୍ୱ ଦେଇ ଓଡ଼ିଶାର ଏହି ଆବଶ୍ୟକତା ପୂରଣ କରି ମୋଦୀ ସରକାର କାମ କରୁଥିବାର ଏକ ଉଦାହରଣ। ଏହା ସହ ଓଡ଼ିଶାର ଏହି ଆବଶ୍ୟକତାଟିକୁ ଅନୁଭବ କରି ଏ’ନେଇ ପ୍ରୟାସ କରିଥିବା ସମସ୍ତ ରାଜ୍ୟ ନେତୃତ୍ୱ ମଧ୍ୟ ଧନ୍ୟବାଦର ପାତ୍ର।

ତେବେ, ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଏନେଇ କରାଯାଇଥିବା ପ୍ରୟାସ ପାଇଁ ସେମାନେ ଧନ୍ୟବାଦର ପାତ୍ର।ତେବେ, ଏହା ସହ ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ। କିନ୍ତୁ, ଏଇ ବିମାନ ସେବା ପାଇଁ ଧର୍ମେନ୍ଦ୍ର ନାଁ ଅପରାଜିତା କିଏ ନେବ ଶ୍ରେୟ ନେଇ ଚାଲିଛି ଲଢେ଼ଇ। ବିମାନ ସେବା ଆରମ୍ଭ ଦିନ ଅପରାଜିତା ପ୍ରଥମ ଯାତ୍ରୀମାନଙ୍କ ସହିତ ସୁରଟ ଯାଇଥିବା ବେଳେ ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଏନେଇ ୩ ମାସ ହେଲା ଅନେକ ପ୍ରୟାସ କରିଥିବା କହିଥିଲେ ଅପରାଜିତା। ଏଣେ ଅପରାଜିତାଙ୍କ ସମର୍ଥକଙ୍କ ପକ୍ଷରୁ ଏ’ ନେଇ ଅପରାଜିତାଙ୍କୁ ଶ୍ରେୟ ଦେଇ ପ୍ରଚାର କରାଗଲା। କିନ୍ତୁ, ଏହା ବୋଧେ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ ହଜମ ହୋଇନି। ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର ପରମ ଅନୁଗତ ତଥା ଓଡ଼ିଶା ବିଜେପିର ଟିଭି/ସୋସିଆଲ ମିଡିଆ ନେତା ଭାବେ ପରିଚିତ ଗୋଲକ ମହାପାତ୍ର ତୁରନ୍ତ ଏଥିରେ କୁଦିପଡ଼ି ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୭ ମସିହା ଚିଠିକୁ ଖୋଜି ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ସଂପୂର୍ଣ୍ଣ ଶ୍ରେୟ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବାକୁ ଚେଷ୍ଟା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ହୁଏତ ତାଙ୍କୁ ଦେଖାଯାଇ ନ’ଥାଇପାରେ, କିନ୍ତୁ ନିଜ ଦଳର ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଉଦ୍ୟମ ମଧ୍ୟ ତାଙ୍କୁ ଦେଖାଯାଇନି।ଏହା ଗୋଲକଙ୍କ ଅସହିଷ୍ଣୁତା, ନାଁ ଧର୍ମେନ୍ଦ୍ରଙ୍କ ପ୍ରତି ଆନୁଗତ୍ୟ ଦେଖାଇ ନିଜ ପଦବୀ ହାସଲ କରିବା ପାଇଁ ପ୍ରୟାସ, ସେ ଯାହା ବି ହେଉ, କିନ୍ତୁ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଆଉ ଏକ ପ୍ରମାଣ ବୋଲି କୁହାଯାଉଛି। ଗୋଲକ ମହାପାତ୍ର ତାଙ୍କ ପୋଷ୍ଟ ଉପରେ ମଧ୍ୟ ସେପରି ପ୍ରତିକ୍ରିୟା ପାଇ ସାରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିନେଇ ପ୍ରୟାସ କରିଛନ୍ତି। ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ମାସରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଭିନ୍ନ ଭିନ୍ନ ଚିଠି ଲେଖି ସୁରଟରେ ରହୁଥିବା ଓଡ଼ିଆଙ୍କ ସୁଖସୁବିଧା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ବ୍ରହ୍ମପୁର – ସୁରଟ ମଧ୍ୟରେ ଦୈନିକ ୨ଟି ଟ୍ରେନ ଯାତାୟାତ ପାଇଁ ଏବଂ ସୁରଟ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଭୁଙ୍କୁ ଅନୁରୋଧ କରିଥିଲେ। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୋଟିଏ କମ୍ୟୁନିଟି ସେଣ୍ଟର ସ୍ଥାପନ ନିମନ୍ତେ ସୁରଟ ସହରରେ ୧ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ତେବେ ଏପରି ଦାବି ବା ଅନୁରୋଧ କରିବାର ଅଧିକାର ଯେପରି କେବଳ ଧର୍ମେନ୍ଦ୍ରଙ୍କର? କାରଣ ସେହିଭଳି ଭାବେ ନବୀନଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର। ନବୀନଙ୍କ ଏପରି ଦାବି ପରେ ଧର୍ମେନ୍ଦ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ତାଙ୍କର ୧୯ ବର୍ଷ ଦୀର୍ଘ ଶାସନ କାଳରେ ସୁରଟ ଯିବା ପାଇଁ ସମୟ କାଢିଲେ ନାହିଁ। ସୁରଟକୁ କେବଳ ଭୋଟ ଲାଳସାରେ ନଯାଇ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟ ମଡ଼େଲକୁ ବୁଝନ୍ତୁ। ରାଜ୍ୟରେ ଯୁବପିଢିଙ୍କ ପାଇଁ ରୋଜଗାର ସୃଷ୍ଟି ପାଇଁ କାହିଁକି ଠୋସ୍ ବ୍ୟବସ୍ଥା ହୋଇପାରିନି ସେଠାରୁ ତାହା ଆକଳନ କରନ୍ତୁ। ସୁରଟ ଯିବାର ଅବ୍ୟବହିତ ପୂର୍ବରୁ ସୁରଟରେ ରହୁଥିବା ଓଡ଼ିଆ ଲୋକମାନଙ୍କ ପାଇଁ ଆନ୍ତରିକତା ନା ଏକ ଲୋକ ଦେଖାଣିଆ ବାର୍ତ୍ତା ଦେବାକୁ ପ୍ରୟାସ ଏହା ଓଡ଼ିଆ ଲୋକମାନେ ହିଁ ବିଚାର କରିବେ ବୋଲି ସେବେ କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। /-ଦେବଦତ୍ତ ରଥ