Odiapua.com

କାହିଁକି ଜଗନ୍ନାଥଙ୍କୁ ଜ୍ୱର ହୋଇଛି, ପଢନ୍ତୁ ଏହି ଲେଖା

– ଶ୍ରୀ ଅଖଣ୍ଡ

‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି – “ଅନ ଅବସର ଅସୁସ୍ଥ ଈଶ୍ୱର, ଭକତ ନୟନ ଅଶ୍ରୁ ଧାର ଧାର ”। ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସର ଘରେ ଅଛନ୍ତି। ଭକ୍ତ ମନ ଭାରି ଦୁଃଖ। ପ୍ରଭୁଙ୍କ ଦେହ ଅସୁସ୍ଥ। କାହାକୁ ଦର୍ଶନ କରିବେ ଶ୍ରଦ୍ଧାଳୁ ? ଦୀର୍ଘ ପନ୍ଦରଦିନ କାଳ ପ୍ରଭୁଙ୍କ ଦର୍ଶନ ମିଳିବନି। ପ୍ରଭୁ ମୋର କେମିତି ଥିବେ ? ତାଙ୍କର ଗୁପ୍ତ ସେବା ନୀତି ଚାଲିଛି। ବିଭିନ୍ନ ଚିକିତ୍ସା କରାଯାଉଛି। କିନ୍ତୁ ଭକ୍ତର ମନ ମାନୁନି। ଭକ୍ତ ପ୍ରଭୁଙ୍କ ନିକଟରେ ମିନତି କରୁଛି, ହେ ମହାପ୍ରଭୁ ! ଜଗତର ଈଶ୍ୱର ! ଆପଣ ମୋତେ ଖୁବ୍ ଶୀଘ୍ର ନବ ଯଉବନ ରୂପରେ ଦର୍ଶନ ଦିଅନ୍ତୁ। ମୋର ମନ ଅଥୟ ହେଉଛି। ଅଧିର ହେଉଛି। ସେହି କଳାଶ୍ରୀ ମୁଖକୁ ରତ୍ନ ସିଂହାସନରେ ଦେଖିବାକୁ ଇଛା ହେଉଛି ପ୍ରଭୁ। ନୀଳାଚଳ ମୋତେ ଶୂନ୍ୟ ଲାଗୁଛି। ମହାପ୍ରଭୁଙ୍କ ବିନା ଶ୍ରୀକ୍ଷେତ୍ରରେ ପୂର୍ଣ୍ଣତା ଆସିବ ବା କେମିତି ? ଏହା ତ ପ୍ରଭୁଙ୍କ ଲୀଳା। ପରବ୍ରହ୍ମ ପରମାତ୍ମା ଶ୍ରୀଜଗନ୍ନାଥ ତ ଅଜର। ସେ ଅସୁସ୍ଥ ହେବେ କିପରି। ଯୁଗେଯୁଗେ ମହାପ୍ରଭୁଙ୍କ ସ୍ୱରୂପ ଅମର ଅକ୍ଷର। ମହାବାହୁଙ୍କ ଶରୀରରେ ପୀଡା ହେବ ବା କିପରି ? ସେ ସ୍ୱୟଂ ମହାକାଳ ସ୍ୱରୂପ। କାଳ ମଧ୍ୟ ମହାପ୍ରଭୁଙ୍କ ବଶବର୍ତ୍ତୀ। ପ୍ରଭୁ ସ୍ୱୟଂ ମହୌଷଧୀ। ଅର୍ଥାତ୍ ଜଗତର ଦୁଃଖ, ଶୋକ ଓ ରୋଗକୁ ଦୂର କରି ଆନନ୍ଦ ଓ ପ୍ରେମ ରସ ବର୍ଷା କରି ସମସ୍ତଙ୍କୁ ତ୍ରାହି ଦିଅନ୍ତି। ଅସୁସ୍ଥ ହୋଇ ଅଣସର ଘରେ ରହିବା ପ୍ରଭୁଙ୍କର ମାନବୀୟ ଲୀଳା ମାତ୍ର। ସେଥିପାଇଁ କୁହାଯାଇଛି – “ସ୍ୱୟଂ ମହାକାଳ ସ୍ୱୟଂ ମହୌଷଧୀ, ମାନବ ସମାନ ସାଂସାରିକ ବିଧି।” ଆମମାନଙ୍କ ପାଇଁ ପ୍ରଭୁଙ୍କର ଏହି ସନ୍ଦେଶ। ଧରାରେ ଜନ୍ମ ନେଲେ ବ୍ୟାଧି ନିଶ୍ଚିତ। ସଂସାରରେ ରହି କେହି ବ୍ୟାଧି ମୁକ୍ତ ହୋଇପାରେନାହିଁ। କେବଳ ଭକ୍ତ ବ୍ୟାଧିରେ ପଡିବେ ତାନୁହେଁ। ଭକ୍ତଙ୍କ କଷ୍ଟ ସହିନପାରି ପ୍ରଭୁ ମଧ୍ୟ ନିଜ ଦେହକୁ ସଂସାରର ସବୁ କଷ୍ଟ ଓ ବ୍ୟାଧିକୁ ଆପଣେଇ ନେଉଛନ୍ତି। ରୋଗକୁ ନାଶ କରି ଆମକୁ ପୁଣି କର୍ମମୁଖର ହେବାକୁ ପଡିବ। ପ୍ରଭୁଙ୍କ ନାମ ଧରି ତାଙ୍କୁ ସମର୍ପଣ କରି କର୍ମରେ ଲାଗିବାକୁ ହେବ। ଯେମିତି ପ୍ରଭୁ ନବ ଯୌବନରେ ଆସନ୍ତି ଓ ବଡାଦାଣ୍ଡରେ ଭକ୍ତଙ୍କ ସହ ମିଶନ୍ତି। ତଥାପି ଭକ୍ତ ମନ ମାନୁନି। ସେ ପ୍ରଭୁଙ୍କୁ ଖୋଜୁଛି। କିନ୍ତୁ ଭକ୍ତର ପ୍ରେମ ଓ ଭକ୍ତି ଅଟଳ। ତାକୁ ବିକଳ୍ପ ମିଳିଯାଉଛି। ପ୍ରଭୁ ଶ୍ରୀଅଲାରନାଥ। ସେଠାରେ ସେ ମହାପ୍ରଭୁଙ୍କ ରୂପକୁ ଦର୍ଶନ କରୁଛି। ପ୍ରଭୁ ଭକ୍ତଙ୍କୁ କେବେ ନିରାଶ କରନ୍ତି ନାହିଁ। ଆପଣ ପ୍ରଭୁଙ୍କ ପାଖକୁ ନଗଲେ ମଧ୍ୟ ସେ ଆପଣଙ୍କୁ ଦେଖା ଦିଅନ୍ତି। ସେ ଆମରି ଭିତରେ ଅଛନ୍ତି। ଆମ ବାହାରେ ମଧ୍ୟ ଅଛନ୍ତି। ଆମ ହୃଦୟରେ ରହି ଆତ୍ମକଲ୍ୟାଣର ମାର୍ଗ ଦେଖାଉଛନ୍ତି। ସୁତରାଂ ଆମେ ମହାପ୍ରଭୁଙ୍କ ଅସୁସ୍ଥ ଲୀଳା କାଳରେ ତାଙ୍କୁ ହିଁ ଆମ ହୃଦୟର କୋଣରେ ଅନୁଭବ କରିବା। ବ୍ୟାଧିଗ୍ରସ୍ତ ହୋଇଥିବା ଆମ ଭକ୍ତି ଓ ପ୍ରଭୁପ୍ରେମ ଯେମିତି ପୁଣି ସତେଜ ହୋଇଉଠିବ। ପ୍ରଭୁଙ୍କ ନବଯୌବନ ରୂପ ପରି ଝଲସି ଉଠିବ। ତାଙ୍କର ନାମ ନେବା ଓ ତାଙ୍କରି ଦୀକ୍ଷା ନେଇ ଆମେ ଜୀବନକୁ ଦିବ୍ୟମୟ କରିବା। ସେହି ନାମ ରସାମୃତରେ ହିଁ କୋଟି ପୁଣ୍ୟ ଫଳ ରହିଛି। ଜୟ ଜଗନ୍ନାଥ।

ଶ୍ରୀ ଅଖଣ୍ଡ, ଦୀକ୍ଷା ମିଶନ, ପିପିଲି, ପୁରୀ