Odiapua.com

କାହା କଥାରେ ନବୀନ ବାବୁ ପରିଚାଳିତ, ଓଡିଶାବାସୀ ଜାଣିବାକୁ ଚାହାଁନ୍ତି – ପଂଚାନନ କାନୁନ୍‌ଗୋ

ଭୁବନେଶ୍ୱର ୨୨.୧୨ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ରିମୋଟ୍ କଂଟ୍ରୋଲ ଶବ୍ଦକୁ ନେଇ ଘୋର ଆପତି ତଥା କଟାକ୍ଷ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ। ଗୋଟିଏ ସର୍ବଭାରତୀୟ ଦଳର ପରିଚାଳନାଗତ ଢ଼ାଂଚାକୁ ରିମୋର୍ଟ କଂଟ୍ରୋଲ କହିବା ନବୀନ ବାବୁଙ୍କର ରାଜନୈତିକ ଅପରିପକ୍ୱତାର ନିଦର୍ଶନ। ଏ ସନ୍ଦର୍ଭରେ ଶ୍ରୀ କାନୁନ୍‌ଗୋ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି। ସେ ସିଧାସଳଖ ପ୍ରଶ୍ନ କରିଥିଲେ ଯେ ବିଜେଡି ଗଠନ ହେବା ପରେ କାହାକୁ ଖୁସି କରିବା ପାଇଁ ଏବଂ କେଉଁ ଆଧାରରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ଦଳୀୟ ରଥରେ ଚଢ଼ିଥିଲେ। କେଉଁ ରିମୋର୍ଟ କଂଟ୍ରୋଲର ଅଦୃଶ୍ୟ ଶକ୍ତି ଦ୍ୱାରା ଚାପଗ୍ରସ୍ତ ହୋଇ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନୀତିକୁ ସମର୍ଥନ କରିଥିଲେ। ଠିକ୍ ସେହିଭଳି ଏକ ତୃଟିଯୁକ୍ତ ଏବଂ ଅତ୍ୟନ୍ତ ତରବରିଆ ଭାବେ କରାଯାଇଥିବା ଜି.ଏସ୍‌.ଟି ଆଇନ୍‌କୁ ମଧ୍ୟ ହାତଟେକି ସମର୍ଥନ କରିଥିଲେ। ଏଥିରେ ଓଡିଶାବାସୀଙ୍କର କି ସ୍ୱାର୍ଥ ସାଧନ ହେଲା, ସେକଥା ସର୍ବସାଧାରଣଙ୍କ ଆଗରେ ପ୍ରକାଶ କରିବା ପାଇଁ ଶ୍ରୀ କାନୁନ୍‌ଗୋ ଆହ୍ୱାନ ଦେଇଛନ୍ତି। ଅଧିକନ୍ତୁ କୃଷି ରାଜ୍ୟର ବିଷୟ ହୋଇଥିଲେ ମଧ୍ୟ କୃଷି ଓ କୃଷକର ସ୍ୱାର୍ଥ ହାନୀ କରୁଥିବା ତିନିଗୋଟି କେନ୍ଦ୍ରୀୟ ଆଇନ୍‌କୁ ରାଜ୍ୟ ସରକାର ବିରୋଧ କଲେ କି? ଅନ୍ୟ ରାଜ୍ୟମାନଙ୍କ ପରି ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କଲେ କି? ବରଂ କୃଷି ଆଇନ୍‌କୁ ଲୋକସଭାରେ ସମର୍ଥନ ଏବଂ ରାଜ୍ୟସଭାରେ ବିରୋଧ ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଛି।

ରାଜ୍ୟ କୋଇଲା ଓ ଖଣି ସବୁକୁ ନିଲାମ ନେଇ କେନ୍ଦ୍ର ପ୍ରଭୃତ ଲାଭ କରୁଥିବା ବେଳେ ଏଥିରୁ ଆଦାୟ ହଜାର ହଜାର କୋଟି ଟଙ୍କା ସେସ୍ ମଧ୍ୟରୁ ଓଡିଶା ଭାଗ ଆଦୌ ପାଇନଥିବା ବେଳେ ନିଜର ହକ୍ ଛାଡି ନବୀନ ବାବୁ କାହିଁକି ଚୁପ୍ ରହିଲେ? ଏହା ସାଲିସ୍‌ର ଲକ୍ଷଣ ନୁହେଁ କି? କୁଆଡେ ଗଲା ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି। କାହା ଭୟରେ ନା କେଉଁ ସ୍ୱାର୍ଥ ଲାଭ ଆଶାରେ ଗତ ଛ’ ବର୍ଷ ଧରି ନବୀନବାବୁ ନୀରବ? ଅଥଚ ଦେଶରେ ଉପା ସରକାର ଥିବାବେଳେ ନବୀନ ବାବୁ ଏ କଥା ବାରମ୍ବାର ଦୋହରାଉଥିଲେ ନା ନାହିଁ?

କେଉଁ ସ୍ୱାର୍ଥରେ ଅର୍ଥ କମିଶନ କାଟି ଦେଇଥିବା ୧% ଅର୍ଥକୁ ରାଜ୍ୟ ସହ୍ୟ କରିଛି? କେଉଁ ସ୍ୱାର୍ଥରେ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ଏନ୍‌.ଡି.ଏ. ସରକାରଙ୍କର ୧୦ ଗୋଟି ଲୋକ ବିରୋଧି ଆଇନ୍‌କୁ ବିଜୁ ଜନତା ଦଳ ପାର୍ଲାମେଂଟରେ ସମର୍ଥନ ଜଣାଇ ଆସିଛି। ନବୀନବାବୁ ଆପଣ କହିବେ କି ସତରେ ଦିଲ୍ଲୀରେ ଆପଣଙ୍କର କେହି ବସ୍ ନାହାନ୍ତି?

ରାଜ୍ୟର ଜଣେ ଅଣ ଓଡିଆ ପ୍ରାକ୍ତନ ଆଇ.ଏ.ଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ବିଜେଡି ଦଳର ସଦସ୍ୟ ଭାବେ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିବାର ମାତ୍ର କେତୋଟି ଘଂଟା ପରେ ଆପଣଙ୍କ ସ୍ୱର ବଦଳାଇ କାହିଁକି ଭାଜପା ପ୍ରାର୍ଥୀ ଭାବେ ଘୋଷଣା କଲେ? ଦଳର ପ୍ରାର୍ଥୀ ଜିତାଇବା କ୍ଷମତା ଥାଇ ମଧ୍ୟ କେଉଁ ବସ୍‌ଙ୍କ ରିମୋର୍ଟ କଂଟ୍ରୋଲ ଦ୍ୱାରା ପରିଚାଳିତ ହୋଇ ଏହା କରିଥିଲେ। ଗୋଟିଏ ବିଲ୍‌କୁ ପାର୍ଲାମେଂଟରେ ବଦଳାଇବାର ନିର୍ଦ୍ଦେଶ ଦେଇ ହଠାତ୍ ଶେଷ ମୁହୂର୍ତରେ ବଦଳା ଯାଇଥିଲା କି ନାହିଁ? କେଉଁ ବସ୍‌ର ନିର୍ଦ୍ଦେଶରେ ଏପରି କରିଥିଲେ?

କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା – ଅଥଚ ଆପଣ ଆପଣଙ୍କ ଶାସନର ପ୍ରଥମ ପର୍ଯ୍ୟାୟରେ ଓଡିଆ ଭାଷାଭାଷୀ ଥିବା ବିଛିନ୍ନ ଅଂଚଳକୁ ରାଜ୍ୟରେ ମିଶାଇବାରେ ଅସଫଳ ହେଲେ, ତଥାପି ସେହି ବିଜେପି ସରକାର ସାଙ୍ଗରେ ରହିଲେ। ଏହା ଆପଣଙ୍କର ଦୋମୁହଁ ନୀତି ନୁହେଁ କି! ଆପଣ ୨୫ ବର୍ଷ ରାଜ୍ୟରେ ରହି ମଧ୍ୟ ଓଡିଆକୁ ମାତୃଭାଷା ଭାବେ ପଠିତ, କଥିତ ଓ ଲିଖିତ ଭାଷା ରୂପେ ଗ୍ରହଣ କଲେ ନାହିଁ କାହିଁକି? ଭାଷା ପ୍ରତି ଘୃଣା ନା ହେୟ ମନୋଭାବ?

ଆମର ଆଶା ଯେ ଆପଣ ବିଜୁ ଜନତା ଦଳର ସମ୍ବିଧାନ ନିଶ୍ଚୟ ପାଠ କରିଥିବେ। ଯେଉଁଥିରେ ଧାରା – ୨ରେ ସଂକଳ୍ପ ଥିଲା ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡିଶା ତଥା ଦେଶର ଏକ ଅଗ୍ରଣୀ ରାଜ୍ୟର ପରିକଳ୍ପନା। କିନ୍ତୁ ବିଗତ ୨୦ ବର୍ଷ ଭିତରେ ଦେଖାଯାଇଛି ଯେ ଶିଶୁ ହତ୍ୟା ଓ ଅପହରଣ, ନାରୀ ଦୁଷ୍କର୍ମ, ଅପପୃଷ୍ଟି, ଖଣି ବିକ୍ରୀ ଓ ନିଲାମ, ଦୁର୍ନୀତି, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏ ସବୁଥିରେ ଅତ୍ୟନ୍ତ ଅଗ୍ରଣୀ ହୋଇଅଛି। ଆପଣଙ୍କୁ ବିଜେଡିର ଦୁଇଗୋଟି ଇସ୍ତାହାର କଥା ମନେ ପକାଇ ଦେଉଛୁ। ବିଜେପି ସହିତ ମିଶି ବିଜେଡି ଇସ୍ତାହାର ପ୍ରକାଶ କରିଥିଲା, ଯାହାର ଶୀର୍ଷକ ଥିଲା – ‘ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ଓଡିଶା ନିର୍ମାଣ’ ଏବଂ ୧୯୯୯ ରେ ପ୍ରକାଶିତ କେବଳ ବିଜୁ ଜନତା ଦଳର ଇସ୍ତାହାରରେ ଥିଲା ‘ସମୃଦ୍ଧ ଓଡିଶା ଆମର ସଂକଳ୍ପ’। କି ପ୍ରକାର ସମୃଦ୍ଧି? ଆଳୁ, ପିଆଜ, ଅଣ୍ଡା, କଦଳୀ, ମାଛ ଠାରୁ ଆରମ୍ଭ କରି ସାଇକେଲଟିଏ ପାଇଁ, ଛତାଟିଏ ପାଇଁ ରାଜ୍ୟ ଏବେବି ବିଗତ ୨୦ ବର୍ଷ ଧରି କାହିଁକି ଆତ୍ମନିର୍ଭରଶୀଳ ନୁହେଁ ତା’ର ଉତର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ସାମ୍‌ନାରେ ରଖିବା ପାଇଁ ଶ୍ରୀ କାନୁନ୍‌ଗୋ ଆହ୍ୱାନ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।