Odiapua.com

କାଶ୍ମୀରରେ କର୍ଫ୍ୟୁ ପରି ସୁରକ୍ଷା ବ୍ୟବସ୍ଥା :ବିଚ୍ଛିନ୍ନତାବାଦୀ ନେତା ଗିଲାନିଙ୍କ ମୃତ୍ୟୁ, ଆଜି ଶ୍ରୀନଗରରେ ଶେଷ କୃତ୍ୟ ହେବ ସମ୍ପର୍ଣ୍ଣ – ଇଣ୍ଟରନେଟ୍ ବନ୍ଦ

ନୂଆ ଦିଲ୍ଲୀ ୨ ସେପ୍ଟେମ୍ବର (ଓଡ଼ିଆ ପୁଅ) କାଶ୍ମୀରରେ କର୍ଫ୍ୟୁ ପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତା ଗିଲାନିଙ୍କ ଗତକାଲି ରାତ୍ରୀରେ ପରଲୋକ ହୋଇଥିଲା। ଆଜି ଶ୍ରୀନଗରରେ ଶେଷ କୃତ୍ୟ ହେବ ସମ୍ପର୍ଣ୍ଣ ହେବ। ସୁରକ୍ଷା ଦୃଷ୍ଟିରୁ କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟଯେ, ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ବିଚ୍ଛିନ୍ନତାବାଦୀ ନେତା ତଥା ପାକିସ୍ତାନ ସମର୍ଥକ ସୟଦ ଅଲି ଶାହା ଗିଲାନିଙ୍କ ଶ୍ରୀନଗରରେ ଦେହାନ୍ତ ହୋଇଛି। ସେ ୯୧ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି।

ଗିଲାନୀଙ୍କ ମୃତ୍ୟୁକୁ ନେଇ ଟୁଇଟରରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶୋକ ପ୍ରକାଶ କରିଛନ୍ତି।

“ଗିଲାନି ସାହାବଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ଆମେ ହୁଏତ ଅଧିକାଂଶ ବିଷୟ ଉପରେ ସହମତ ହୋଇନାହୁଁ କିନ୍ତୁ ତାଙ୍କର ଦୃଢ଼ତା ଏବଂ ବିସ୍ୱାସରେ ଛିଡା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ। ଆଲ୍ଲାହା ତା’ଆଲା ତାଙ୍କୁ ଜନ୍ନତ୍ ଏବଂ ତାଙ୍କ ପରିବାର ତଥା ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାନ୍ତୁ।”

ଗତ ବର୍ଷ ଗିଲାନି ଅଲ ପାର୍ଟି ହୁରିୟତ ସମ୍ମିଳନୀରୁ ଇସ୍ତଫା ଦେଇଥିଲେ। ବରିଷ୍ଠ-ବିଚ୍ଛିନ୍ନତାବାଦୀ ନେତା ଭାବରେ ବିବେଚିତ ହୋଇଥିବା ଗିଲାନି ପୂର୍ବରୁ ଜମାତ-ଇ-ଇସଲାମି କାଶ୍ମୀରର ସଦସ୍ୟ ଥିଲେ କିନ୍ତୁ ପରେ ତେହେରିକ-ଏ-ହୁରିୟତ ନାମରେ ନିଜ ଦଳ ପ୍ରତିଷ୍ଠା କରିଥିଲେ।

ସେ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଦଳର ଏକ ସଂଗଠନ ଅଲ୍ ପାର୍ଟି ହୁରିୟତ୍ (ସ୍ୱାଧୀନତା) ସମ୍ମିଳନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି।

ଗିଲାନି ୧୯୭୨ ମସିହାରେ ସୋପୋର ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ ହୋଇଥିଲେ ଏବଂ ୧୯୭୭ ଏବଂ ୧୯୮୭ ରେ ସମାନ ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ଜିତିଥିଲେ।