Odiapua.com

କାଶୀପୁର ବ୍ଲକରେ ହଇଜା ଅଣାୟତ : ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ବ୍ୟାପୀ ଚାଲିଛି ହଇଜା – : ମୋହନ ମାଝୀ

– ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳର କାଶୀପୁର ଗସ୍ତ
– ଘଟଣା ସଂପର୍କରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ

ଭୁବନେଶ୍ୱର, ୨୪/୦୭ (ଓଡ଼ିଆ ପୁଅ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଅଣାୟତ ସ୍ଥିତିରେ ପହଂଚିବା ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇଛି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ହଇଜା ଉପରେ ରୋକ୍ ଲାଗିବା ପରିବର୍ତେ ଏହା କ୍ରମଶଃ ବ୍ୟାପୀ ଚାଲିଛି। ଏଭଳି ସ୍ଥିତିକୁ ଅତି ଗମ୍ଭୀର ଭାବେ ଗ୍ରହଣ କରି ବିଜେପି ବିଧାୟକମାନେ ଗତ କାଲି ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ଅତି ଚତୁରତାର ସହ ଏହି ପ୍ରସଙ୍ଗରୁ ଖସି ଯିବାର ଚକ୍ରାନ୍ତ କରୁଛନ୍ତି। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ଭାବେ ଗ୍ରହଣ କରୁନଥିବା କାରଣରୁ ଘଟଣାର ସତ୍ୟାସତ୍ୟ ଓ ବାସ୍ତବ ସ୍ଥିତି ନିରୀକ୍ଷଣ ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ଆଜି କାଶୀପୁର ଗସ୍ତ କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାଏକ ଓ କେ.ନାରାୟଣ ରାଓ, ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି। ଘଟଣା ସଂପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସଂପର୍କରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।