Odiapua.com

କାଳୀପୂଜା ଉପଲକ୍ଷେ ଆକର୍ଷଣୀୟ ହେଉଛି ମା’ ଭଦ୍ରକାଳୀ ପୀଠ

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠ କାଳୀପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇ ଉଠିଛି। ଭଦ୍ରକର ଅôଧଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ଓ ମା’ଙ୍କର ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ। ଚଳିତ ମାସ ୩୧ ତାରିଖ ଠାରୁ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇ ଆସନ୍ତା ନଭେମ୍ବର ମାସ ୬ ତାରିଖରେ ପୂର୍ଣ୍ଣାହୁତି ହେବ। ଏହି ସପ୍ତଦିବସ ବ୍ୟାପୀ ମହାଯଜ୍ଞରେ ମା’ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂଆ ବେଶରେ ପୂଜା ପାଇବାର ପରମ୍ପରା ରହିଛି। ମହାଯଜ୍ଞର ଶୁଭାରମ୍ଭ ତିଥିରେ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ୱାରା ବିଭିନ୍ନ ବାଦ୍ୟ, ସଂକୀର୍ତନ ସହ ଏକ ବିଶାଳ ମାନସିକ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ମାନସିକଧାରୀ ଭକ୍ତମାନେ କଳସ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଜ ନାମ ପଞ୍ଜିକରଣ ଆରମ୍ଭ ହୋଇଛି। ମା’ ଭଦ୍ରକାଳୀ ସପ୍ତଦିବସ ମଧ୍ୟରେ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଏବଂ ମହାଲକ୍ଷ୍ମୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେବେ। ଭକ୍ତମାନଙ୍କ ଉଦ୍ଦେଶ୍ୟରେ ମନ୍ଦିର ପ୍ରଶାସନ ତଥା ସେବାୟତମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିରର ସିଂହଦ୍ୱାର ଠାରୁ ଯଜ୍ଞ ମଣ୍ଡପ ଓ ମା’ଙ୍କର ପୂଜା ମଣ୍ଡପ ଆକର୍ଷଣୀୟ ହୋଇଛି। ମହାଯଜ୍ଞ ନିମନ୍ତେ ଆଲୋକ ସଜ୍ଜା, ତୋରଣ, ପାନୀୟ ଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ପୂଜା ରୀତିନୀତି ଓ ସମୟ ନିର୍ଘଂଟ ତଥା ପୂର୍ଣ୍ଣାହୁତି ଅବସରରେ ଭକ୍ତମାନଙ୍କ ନିମନ୍ତେ ପହୁଡ଼ ଭୋଗ ସମ୍ପନ୍ନ କରିବା ପାଇଁ ମନ୍ଦିର ତରଫରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସପ୍ତମାତୃକା ବେଶ ଓ ସପ୍ତଦିବସ ମହଯଜ୍ଞ ଅବସରରେ ମନ୍ଦିର ମଧ୍ୟରେ ଶତଚଣ୍ଡୀ ପାଠ, ହୋମଯଜ୍ଞ, ଭାଗବତ ପାଠ, ନାମ ସଂକୀର୍ତନ ଓ ଗୀତା ପାଠ ସପ୍ତଦିବସ ବ୍ୟାପୀ ଚାଲୁ ରହିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।