Odiapua.com

କାଳିମେଘା ଲକ୍ଷ୍ମୀନାରାୟଣ ପୂଜା ମହୋତ୍ସବର ୪ର୍ଥ ସନ୍ଧ୍ୟା, ଗଣମାଧ୍ୟମ ପ୍ରତିନିଧି ଓ ବିରଜାକ୍ଷେତ୍ର ପଣ୍ଡିତଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ କାଳିମେଘା ଗ୍ରାମର ଲକ୍ଷ୍ମୀନାରାୟଣ ମହୋତ୍ସବର ୪ର୍ଥ ସନ୍ଧ୍ୟା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଓ ବିରଜା କ୍ଷେତ୍ରର ପଣ୍ଡିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଲକ୍ଷ୍ମୀନାରାୟଣ ପୂଜା କମିଟିର ସଭାପତି ସୁରେଶ ମହାପାତ୍ରଙ୍କ ସଭାପତିତ୍ୱ ଓ ସୁଜିତ୍ ପ୍ରଧାନଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧି ରାମନାରାୟଣ ନାୟକ, ପ୍ରଭାତ କୁମାର ରାଉ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସଂଜିତ୍ କୁମାର ବଳ, ନରେନ୍ଦ୍ର ସାମଲ, ଅଜୟ କୁମାର ପଣ୍ଡା, ସୁବାସ ମହାନ୍ତି, କମିଟି ସମ୍ପାଦକ ସୁରେନ୍ଦ୍ର ସାହୁ, ସମାଜସେବୀ ହେମନ୍ତ ମହାନ୍ତିଙ୍କ ସମେତ ବିରଜା କ୍ଷେତ୍ରର ୫ଜଣ ପଣ୍ଡିତ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଯୋଗ ଦେଇ କାଳିମେଘାର ଐତିହ୍ୟ ଓ ପରମ୍ପରା ସହିତ ଲକ୍ଷ୍ମୀନାରାୟଣ ପୂଜା ଆଉ ଏକ ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ । ଏହି ମଞ୍ଚରେ ସ୍ଥାନୀୟ ଅଞ୍ଚଳର ୪ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଯୁବ ସମାଜସେବୀ ସୁମନ୍ତ ମହାନ୍ତିଙ୍କୁ ଯାଜପୁର ବିରଜାକ୍ଷେତ୍ରର ପଣ୍ଡିତମାନେ ଆଶୀର୍ବାଦ ସ୍ୱରୂପ ମା’ଙ୍କ ଉତ୍ତରୀୟ ପ୍ରଦାନ କରିଥିଲେ । ତିହିଡ଼ି ଅଞ୍ଚଳର ବିଭିନ୍ନ ସମସ୍ୟା ଗଣମାଧ୍ୟମ ପ୍ରତିନିଧିମାନେ ଗୁରୁତ୍ୱ ଦେଇ ଲୋକଲୋଚନକୁ ଆଣିବାକୁ କମିଟି କର୍ମକର୍ତ୍ତାମାନେ କହିଥିଲେ । ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।