Odiapua.com

କାଳିମେଘାରେ ୪ଶହ ବର୍ଷର ପରମ୍ପରା ଦକ୍ଷିଣେଶ୍ୱର କାଳୀ ପୂଜା, ମା’ଙ୍କ ନିକଟରେ ସମର୍ପିତ ହେଲା ୧୨ ବୋଦା

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ମଣ୍ଡପରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଉଛି । ସୋମବାର ବିଭିନ୍ନ ପୂଜାସ୍ଥଳରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମରେ ଦୀର୍ଘ ୪୦୦ ବର୍ଷ ଧରି ପାଳିତ ହେଉଥିବା ମା’ ଦକ୍ଷିଣେଶ୍ୱର କାଳୀଙ୍କ ପୂଜା ଚଳିତ ବର୍ଷ ଧୁମ୍‌ଧାମରେ ପାଳିତ ହେଉଛି । ଅମାବାସ୍ୟା ଦିନ ମା’ଙ୍କ କଳସ ଆବାହନ କାର୍ଯ୍ୟ ପରେ ପୂଜାକାର୍ଯ୍ୟ ଯଥାରୀତି ସମ୍ପନ୍ନ କରାଯାଉଛି । ପରମ୍ପରା ଅନୁଯାୟୀ ଅମାବାସ୍ୟା ତିଥିରେ ଚଳିତ ବର୍ଷ ୧୨ଟି ବୋଦା ମାଙ୍କ ନିକଟରେ ସମର୍ପଣ କରାଯାଇଛି । ପୂର୍ବରୁ ସେଠାରେ ବଳି ପରମ୍ପରା ଥିଲାବେଳେ ବିଗତ ୩ବର୍ଷ ହେଲା ବଳିକୁ ବନ୍ଦ କରାଯାଇଛି । ମାନସିକଧାରୀମାନେ କେବଳ ମାଙ୍କ ନିକଟରେ ବୋଦାକୁ ସମର୍ପଣ କରୁଛନ୍ତି । ତତକାଳୀନ ଜମିଦାର ଚୌଧୁରୀ ଅଭିମନ୍ୟୁ ସାମନ୍ତମହାପାତ୍ର ଯାଜପୁରରୁ ଆଣି କାଳିମେଘାରେ ମା’ଙ୍କ ପୂଜା ଆରମ୍ଭ କରିଥିବା କୁହାଯାଏ । ଏପରିକି ମା’ଙ୍କ ମେଘବର୍ଣ୍ଣର ରୂପକାନ୍ତି ପାଇଁ ଗ୍ରାମର ନାଁ କାଳିମେଘା ରଖାଯାଇଥିବା ମଧ୍ୟ ମତ ପ୍ରକାଶ ପାଇଥାଏ । ଚଳିତ ବର୍ଷ କର୍ତ୍ତା ଭାବେ ସୁରେଶ ଚନ୍ଦ୍ର ମହାପାତ୍ର, ଫାଲଗୁନ ମହାପାତ୍ର ଓ ସଞ୍ଜୟ ମହାପାତ୍ର ୍ର ପୂଜା କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଭାବରେ ସନାତନ ପାଣି, ନିରଂଜନ କର, ହୃଷିକେଶ ପାଢ଼ୀ, ଅମର ପଣ୍ଡା ପ୍ରମୁଖ ମା’ଙ୍କର ପୂଜାର୍ଚ୍ଚନା କରୁଛନ୍ତି । ସୁରେନ୍ଦ୍ର ସାହୁ, ସୁମନ୍ତ କୁମାର ମହାନ୍ତି, ସୁଜିତ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ଲକ୍ଷ୍ମୀକାନ୍ତ ମହାନ୍ତି, ରବିନ୍ଦ୍ର ସାହୁ, ରତିକାନ୍ତ ସାହୁ ପ୍ରମୁଖ ଗ୍ରାମବାସୀ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି ।