ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅହରହ ପାଣି ପଶୁଛି ଓ ବାହାରୁଛି । ଭଙ୍ଗା ସୁଇସ୍ ଗେଟ୍ ପାଇଁ ଏମିତି ପାଣି ଯା ଆସ ହେଉଥିବାରୁ ଆଖପାଖ ୪ ଖଣ୍ଡ ଗାଁର ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି । ଫଳରେ ପ୍ରାୟ ୨ ଶହ ପରିବାରର ଚାଷଜମି ଏବେ ପାଣିରେ ବୁଡିଛି । ଏ ହେଉଛି ଧାମରା ନିକଟବର୍ତ୍ତୀ ଦୋସିଙ୍ଗା ପଂଚାୟତ କାଳିନାଳି ସ୍ଲୁଇସ୍ ଗେଟ୍ର ଦୃଶ୍ୟ । ଚାଷୀଙ୍କ ସୁବିଧା ପାଇଁ ନିର୍ମିତ ଏହି ସ୍ଲୁଇସ୍ ଗେଟ୍ର ୩ଟି ଗେଟ୍ରୁ ୨ଟି ଗେଟ୍ ଭାଙ୍ଗିଯାଇଛି । ଏହି ଦୁଇଟି ଗେଟ୍ ଦେଇ ସମୁଦ୍ରର ଜୁଆର ପାଣି ଅହରହ ବିଲ୍କୁ ପଶୁଛି ଓ ବିଲ୍ରୁ ସାରଦିଆ ପାଣି ବି ବାହାର କରି ନେଉଛି । ଚାଷୀଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ସ୍ଲୁଇସ୍ ଗେଟ୍ ଏବେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ନିମ୍ନମାନର କାମ ପାଇଁ ଏହି ଗେଟ୍ ନିର୍ମାଣର ମାତ୍ର କିଛିଦିନ ପରେ ଭାଙ୍ଗି ଗଳି ପଡିବାରୁ ବୈତରଣୀ ନଦୀର ଲୁଣାପାଣି ଗ୍ରାମ ଓ ଚାଷଜମିକୁ ମାଡିଯାଉଛି । ଏହା ୪ ଖଣ୍ଡ ଗ୍ରାମର ଲୋକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜୁଆରିଆ ନଦୀର ଏହି ସ୍ଲୁଇସ୍ ଗେଟ୍ ଦେଇ ପାଣି ପଶି ଚାନ୍ଦବାଲି ବ୍ଲକ୍ ଜାଗୁଳା ଓ ଦୋସିଙ୍ଗା ପଂଚାୟତ ଅଧିକାଂଶ ଜମିର ଧାନ ଫସଲ ନଷ୍ଟ ହେବା ନେଇ ଅଭିଯୋଗ ହୋଇଛି । ଗେଟ୍ର ମରାମତି ପାଇଁ ଜଳସଂପଦ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ମିଳୁନି । ନଦୀରୁ ଜୁଆର ପାଣି ଆସିଲେ ଅତ୍ୟଧିକ ପାଣି ଆସି ଦୋସିଙ୍ଗା, ଜ୍ୟୋସ୍ନାମୟୀ, ସମିପାଟିଆ ଓ ଜାଗୁଳା ପଂଚାୟତର ଜୟଦୁର୍ଗାପାଟଣା ଆଦି ୪ଟି ଗ୍ରାମର ଶତାଧିକ ହେକ୍ଟର ଚାଷଜମିରେ ଲୁଣାପାଣି ଓ ନାଳ ପାଶ୍ୱର୍ରେ ଘର କରି ରହିଥିବା ଲୋକମାନଙ୍କ ଘରେ ମଧ୍ୟ ପଶିଯାଉଛି । ଧାମରା ମୁହାଣକୁ ଲାଗିଥିବା ଏହି କାଳିନାଳୀ ସ୍ଲୁଇସ୍ ଗେଟ୍ର ପାଣି ଯୋଗୁଁ ଚଳିତବର୍ଷ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।