Odiapua.com

କାଳିଆ ଯୋଜନାରେ ଚାଷୀଙ୍କ ଠାରୁ ଅର୍ଥ ଆଦାୟ କରିବା ସ୍ଥଗିତ ପ୍ରସଙ୍ଗ ଟଙ୍କା ଫେରସ୍ତ ନିଷ୍ପତିକୁ ରାଜ୍ୟସରକାର ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣଭାବେ ପ୍ରତ୍ୟାହାର କରନ୍ତୁ :ପ୍ରଦୀପ୍ତ ନାଏକ

– କରୋନା ସମୟରେ ଚାଷୀଙ୍କ ହିତ କଥା ନଭାବି ଓଲଟା ସେମାନଙ୍କୁ ଶୋଷଣ କରିବାକୁ ଷଡଯନ୍ତ୍ର କରୁଛନ୍ତି ରାଜ୍ୟସରକାର

– ଚାଷୀ ଏବଂ ବିରୋଧୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ରାଜ୍ୟସରକାର

– ନିର୍ବାଚନ ପୂର୍ବରୁ ଯୋଗ୍ୟ ଥିବା ପ୍ରାର୍ଥୀମାନେ ବର୍ଷକ ପରେ ଅଯୋଗ୍ୟ ହୋଇଗଲେ କିପରି।

– କରୋନା ମହାମାରୀ ସମୟରେ ଜୋର ଜବରଦସ୍ତି ଆତଙ୍କ ଖେଳାଇ ଗରିବ ଚାଷୀଙ୍କ ଠାରୁ ଟଙ୍କା ଆଦାୟ କରିବା ସବୁଠୁ ବଡ ଅପରାଧ

– ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଥିବା ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉ

– ସବକା ସାଥ ସବକା ବିକାଶକୁ ଆଧାର କରି ମୋଦି ସରକାର ଅନେକ ଐତିହାସିକ ନିଷ୍ପତି ନେଇଥିବାରୁ ଧନ୍ୟବାଦ ଜଣାଇଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୦/୮ (ଓଡ଼ିଆ ପୁଅ) : ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନାକୁ ତରବରିଆ ଭାବେ ଆରମ୍ଭ କରାଯାଇ ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାର ପର ଦିନ ୨ୟ କିସ୍ତି ଘୋଷଣା ପ୍ରଦାନ କରିବେ ବୋଲି କହିଥିବା ଶାସକ ବିଜେଡି ବର୍ତମାନ ନିର୍ବାଚନ ସରିବାର ବର୍ଷକ ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ରାଜ୍ୟସରକାର ମୁଣ୍ଡ ନୁଆଁଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ବାରମ୍ବାର ଏହି ନିର୍ଦ୍ଦେଶନାମାକୁ ବିରୋଧ କରିବା ଏବଂ ଚାଷୀମାନଙ୍କ ଆକ୍ରୋଶ ପରେ ରାଜ୍ୟସରକାର ଏହାକୁ ସ୍ଥଗିତ ରଖିଛନ୍ତି। ଗୋଟିଏପଟେ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ଷଷ୍ଠ କିସ୍ତିରେ ୮-୫ କୋଟି କୃଷକଙ୍କୁ ୧୭ ହଜାର କୋଟି ଟଙ୍କା ପଠାଇଥିବା ସମୟରେ ରାଜ୍ୟସରକାର ଚାଷୀଙ୍କ ହିତ କଥା ନଭାବି ଓଲଟା ସେମାନଙ୍କୁ ଶୋଷଣ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ମୁଖ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି।

କରୋନା ମହାମାରୀ ସମୟରେ ଜୋର ଜବରଦସ୍ତି ଆତଙ୍କ ଖେଳାଇ ଗରିବ ଚାଷୀଙ୍କ ଠାରୁ ଟଙ୍କା ଆଦାୟ କରିବା ସବୁଠୁ ବଡ ଅପରାଧ। ଟଙ୍କା ଫେରସ୍ତ ନିଷ୍ପତିକୁ ରାଜ୍ୟସରକାର ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣଭାବେ ପ୍ରତ୍ୟାହାର କରନ୍ତୁ। ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ରାଜ୍ୟସରକାରଙ୍କ ତତ୍କାଳୀନ କୃଷିମନ୍ତ୍ରୀ କହିଥିଲେ କି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଏବେ ବର୍ଷକ ପରେ ସେମାନେ କିପରି ଅଯୋଗ୍ୟ ହୋଇଗଲେ ରାଜ୍ୟସରକାର ତାହା ସ୍ପଷ୍ଟ କରନ୍ତୁ। ଯଦି ଅର୍ଥ ଆଦାୟ କରିବାର ଅଛି ତେବେ କାଳିଆ ଯୋଜନାରେ ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।

କୋରନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ୨୦ଲକ୍ଷ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏବେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଉନ୍ନୟନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକ, ପି-ଏ-ସି-ଏସ, ଏଫ-ପି-ଓ, କୃଷି ଉଦ୍ୟୋଗୀ ମାନେ ସେମାନଙ୍କର କୃଷି ଭିତିଭୂମି ନିର୍ମାଣ କରିପାରିବେ। ସବକା ସାଥ ସବକା ବିକାଶକୁ ଆଧାର କରି ମୋଦି ସରକାର ଅନେକ ଐତିହାସିକ ନିଷ୍ପତି ନେଇଥିବାରୁ ଶ୍ରୀ ନାଏକ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି।