Odiapua.com

କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ : ରାଜକୋଷରୁ ବର୍ବାଦ ହୋଇଥିବା ୨୦୦ କୋଟି ଟଙ୍କା ବିଜେଡି ନେତା ଓ ମନ୍ତ୍ରୀ ଏବଂ ସରକାରୀ ଅଫିସରଙ୍କଠାରୁ ଆଦାୟ କରାଯାଉ:ବିଜେପି

ଭୁବନେଶ୍ୱର, ୨୫/୦୮ (ଓଡ଼ିଆ ପୁଅ) : ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା। କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କାଳିଆ ଯୋଜନାରେ ସ୍ୱଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି। ଭୋଟରଙ୍କୁ ଲାଂଚ ଦେଇ ଭୋଟ ହାତେଇ ଶାସନ କ୍ଷମତା ଆପଣେଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଥମେ ୨୦ ଲକ୍ଷ କୃଷକ ପରିଚୟ ପତ୍ର ଥିବା ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୁରନ୍ତ ଏହି ତାଲିକାକୁ ୫୧ଲକ୍ଷରେ ପହଂଚାଇଥିଲେ। ଏବେ ୩୬ ଲକ୍ଷ ୮୮ ହଜାର ଚାଷୀ ତାଲିକାରୁ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏହି ଅର୍ଥକୁ ମିଶାଇଲେ ସମୁଦାୟ ୧୩୩ କୋଟି ହେଉଛି। ସଂପୂର୍ଣ୍ଣ ଚିହ୍ନଟ ପକ୍ରିୟା ସରିବା ବେଳକୁ ଏହା ୨୦୦ କୋଟିରେ ପହଂଚିବ।

ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସରମାନଙ୍କ ଠାରୁ ଏବଂ ବିଜେଡି ନେତା ଓ ମନ୍ତ୍ରୀଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।