Odiapua.com

କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 

 

ଗତକାଲି ପ୍ରଧାନମନ୍ତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତିଯେ, ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସାରା ଦେଶ ଦୃଢ଼ ଭାବେ ଠିଆ ହୋଇଛି ଏବଂ ବାତ୍ୟା ଫନି ଓଡିଶାରେ ଯେଉଁ ପ୍ରଳୟ ରଚିଛି ତାହା ବାବଦରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାରେ ଦୃଷ୍ଟାନ୍ତମୂଳକ ସାହସ ପ୍ରଦର୍ଶନ କରିଥିବା ଓଡ଼ିଶାର ଭାଇ, ଭଉଣୀମାନଙ୍କୁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବେ।

 

 

 

 

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନରେ ପୁରୀ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ କରି ଫନୀ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହାପରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଭାବିତ ଅଞ୍ଚଳର ବିଭିନ୍ନ ଆଶ୍ରୟ ସ୍ଥଳୀରେ ଥିବା ଲୋକମାନଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।