Odiapua.com

କାର ଧକ୍କାରେ ବ୍ୟବସାୟୀ ଆହତ; ୩୦ହଜାରଟଙ୍କା ଆଦାୟ, ଲୋକଙ୍କ ମାଡରେ କାର ଚାଳକ ଆହତ!

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ମାଳଦା ଜଗନ୍ନାଥବଜାରର ଚାହା ଦୋକାନୀ ବୈକୁଣ୍ଠ ଦାସ(୫୫) ସୋମବାର ସକାଳେ କାର ଧକ୍କାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଅନ୍ୟପକ୍ଷରେ କାରକୁ ପଛରୁ ଗୋଡାଇ କେତେକ ଲୋକେ ରଘୁନାଥପୁର ଗ୍ରାମରେ ଅଟକାଇ ମାଡ ମାରିବା ସହ ଜବରଦସ୍ତ ତିରିଶ ହଜାର ଟଙ୍କା ‘ଫୋନ ପେ’ ରେ ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସକାଳ ୯.୩୦ମି. ସମୟରେ ଚାହା ଦୋକାନୀ ଶ୍ରୀ ଦାସ ରାସ୍ତା ଉପରକୁ ଆସିଥିବା ବେଳେ ଭଣ୍ଡାରିପୋଖରୀରୁ ଯାଜପୁର ଟାଉନ ଆଡକୁ ଯାଉଥିବା ଓଆର ୧୪ ଏମ ୪୮୮୮ ନଂ କାର ଧକ୍କା ଦେଇଥିଲା । ଫଳରେ ଚାହା ଦୋକାନୀର ଗୋଡରେ ଗୁରୁତର ଆଘାତ ଲାଗିଥିଲା । ଆହତ ଦୋକାନୀକୁ ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅପରପକ୍ଷେ ଦୁର୍ଘଟଣାକାରୀ କାର ଦ୍ରୁତ ବେଗରେ ପଳାଇଯାଉଥିବା ବେଳେ ପଛରୁ ଗୋଡାଇଥିଲେ ସ୍ଥାନୀୟ ଲୋକେ । କାରଟି ରଘୁନାଥପୁର ଆଡକୁ ଯାଇଥିବା ବେଳେ ଲୋକଙ୍କ ହାବୁଡରେ ପଡିଥିଲା । ଉତ୍ୟକ୍ତ ଲୋକେ କାର ଚାଳକକୁ ନିର୍ଧୁମ ଛେଚିଥିଲେ ଓ ଜବରଦସ୍ତ ତାଙ୍କ ପାଖରୁ ମୋବାଇଲ ମାଧ୍ୟମରେ ତିରିଶ ହଜାର ଟଙ୍କା ନେଇଥିଲେ ବୋଲି କାର କାର ଚାଳକ ବନ୍ତ ଥାନା ବେଗନା ନୀଳକ ଅଞ୍ଚଳର ବାପିନ ସେଠୀ ଥାନାରେ ଅଭିଯୋଗ କରିଥିôବା ଜଣାଯାଇଛି । ବାପିନକୁ ମେଡିକାଲରେ ଚିକିତ୍ସା କରାଯାଇଛି । ପୁଲିସ ଦୁର୍ଘଟଣାକରୀ କାରକୁ ଜବତ କରିବା ସହ ଚାଳକକୁ ମେଡିକାଲ ଚିକିତ୍ସା କରି ଅଟକ ରଖିଛି । ଏଥିନେଇ ଉଭୟ ପକ୍ଷରୁ ଏତାଲା ହୋଇଥିଲେ ହେଁ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ଋଜୁ ହୋଇ ନାହିଁ ।