Odiapua.com

କାର୍ତ୍ତିକ ନୀତିକାନ୍ତି ପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ

ପୁରୀ ୨୩-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। କୋଭିଡ କଟକଣା ହଟିବା ପରେ ଦୀର୍ଘ ଦୁଇବର୍ଷ ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ଅକ୍ଟୋବର ୬ ତାରିଖରୁ ନଭେମ୍ବର ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଟୋବର ୬ରୁ ସକାଳ ୬.୧୫ ରେ ରାଧାଦାମୋଦର ବେଶ ଓ ସକାଳ ୧୦ ଟାରୁ ୧୦.୩୦ ମଧ୍ୟରେ ବାଳଧୂପ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ରେ ମହାପ୍ରଭୁଙ୍କ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଡ଼ ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀ ନୃସିଂହ ବେଶ, ୮ ରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ, ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଅନୁପାଳନ କରିବା, ସୁବିଧାରେ ମହାପ୍ରସାଦ ଯୋଗାଇବା ପାଇଁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି। ସେହିପରି କାର୍ତ୍ତିକ ମାସରେ ଭିଆଇପି ଦର୍ଶନ ଉପରେ କଟକଣା ଲଗାଇବା ପାଇଁ ଛତିଶା ନିଯୋଗର ସଦସ୍ୟ ମାନେ ବୈଠକରେ ଦାବି ଜଣାଇଛନ୍ତି। ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଓ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି। ଅକ୍ଟୋବର ୨୪ ସଂନ୍ଧ୍ୟାରୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି ନଭେମ୍ବର ୮ରେ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିବ। ଅକ୍ଟୋବର ୨୫ରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ରାଧାଦାମୋଦର ବେଶ ମଇଲମ ହୋଇ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯିବ। ଛତିଶା ନିଯୋଗ ବୈଠକରେ ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।