ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଧର୍ମମାସ କାର୍ତିକମାସ ସୋମବାର ଓ ପଂଚୁକ ବ୍ରତ ପାଇଁ ଆଜି ଭୋର ସମୟରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ। ଗତ ଶନିବାର ଅଳାଁନବମୀ ଠାରୁ ପଂଚାନନ ବେଶରେ ଦର୍ଶନ ଦେଉଛନ୍ତି ମଣିବାବା। ରାହାସ ପୂର୍ଣ୍ଣିମାଦିନ ମଣିବାବା ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ସୋମବାର ଭୋର ୪ଟାରେ ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର ଓ ଫୁଲ ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ପଂଚୁକ ଭୋଗ ଲାଗି କରାଯାଇଥିଲା। ଅନ୍ୟପଟେ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶନିବାର ଠାରୁ ପବିତ୍ର ଅଳାଁନବମୀ ଅବସରରେ ଭାଗବତ ସପ୍ତାହ ନୀତି ଆରମ୍ଭ ହୋଇଛି। ଏଥିସହ ଭୋର ୫ଟାରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁଭକ୍ତମାନଙ୍କ ପାଇଁ ସାହଣମେଲା କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ମଧ୍ୟାହ୍ନ ୧ଟାରେ ମଣିବାବାଙ୍କୁ ପଂଚାନନ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା। ସେହିପରି ଅପରାହ୍ଣରେ ମଣିବାବାଙ୍କର ବଡସିଂହାର ବେଶ ସନ୍ଧ୍ୟାରେ ଶୋଡଷ ଉପଚାର ନୀତି କରାଯାଇଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ନିମନ୍ତେ ଘଟ ଉତୋଳନ, ଦ୍ୱାରପାଳ ପୂଜା, ପଂଚ ଉପଚାର ସହ ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେଉଛି।ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।