Odiapua.com

କାରରେ ଦୁଷ୍କର୍ମ କରି ଯୁବତୀଙ୍କୁ ରାସ୍ତାରେ ଫିଙ୍ଗିଦେଲେ: କାର ଜବତ, ଜଣେ ଅଟକ

ଭୁବନେଶ୍ୱର: ଚଳନ୍ତା କାରରେ ଦୁଷ୍କର୍ମ କରି ଜଣେ ଯୁବତୀଙ୍କୁ ଖୋର୍ଦ୍ଧା ପିଏନ କଲେଜ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ।ପିଏନ୍‌ କଲେଜ ନିକଟ ଶ୍ମଶାନ ପାଖରୁ ଉକ୍ତ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣାଟି ବୁଧବାର ସନ୍ଧ୍ୟାରେ ଘଟିଛି।ସୂଚନା ଅନୁସାରେ ନୟାଗଡ଼ ଜିଲା ଗଣିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧାରେ ରୁହନ୍ତି।ବୁଧବାର ସେ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏକ କାର୍‌ରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ।ଫେରିବା ସମୟରେ କାର୍‌ରେ ଥିବା ଯୁବକମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ସେ ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ।ଏହାପରେ ତାଙ୍କୁ ଖୋର୍ଦ୍ଧା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଶ୍ମଶାନ ନିକଟରେ କାର୍‌ରୁ ଠେଲିଦେଇ ଚାଲି ଯାଇଥିଲେ।ଯୁବତୀଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ି କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।ଏହାପରେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ପୋଲିସ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ କେସ୍ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲା।ପୀଡ଼ିତା ଖଣ୍ଡଗିରିରୁ ଲିଫ୍ଟ ମାଗି ଆସିଥିବାରୁ ଅଭିଯୋଗକୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରାଯାଇଛି।ତେବେ ସୂଚନା ମୁତାବକ ପୋଲିସ ଏ’ ଭିତରେ କାରଟିକୁ ଠାବ କରି ଜବତ କରି ସାରିଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।ଯୁବତୀଙ୍କ ସହ ଅଭିଯୁକ୍ତ ମାନଙ୍କ ସହିତ ପୂର୍ବ ପରିଚୟ ଥିଲା ବୋଲି ଅନୁମାନ କରାଯାଉଛି।-ଦେବଦତ୍ତ ରଥ