Odiapua.com

କାମଧନ୍ଦା ନପାଇ ପୁନଶ୍ଚ ଫେରୁଛନ୍ତି ପ୍ରବାସୀ

ହାଟଡିହି. ୧୨ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଭିନ୍ନ ରାଜ୍ୟରେ ଲକ୍ଷଲକ୍ଷ ପ୍ରବାସୀ ଓଡିଆ ମାନେ କାମଧନ୍ଦା କରିପେଟ ପୋଷୁଥିବାବେଳେ କରୋନା ମହାମାରୀ ପାଇଁ ସେମାନେ ଓଡିଶାକୁ ଫେରି ଆସିଥିଲେ । ମାର୍ଚ୍ଚ ୨୪ରେ ସାରା ଦେଶରେ ସର୍ଟଡାଉନ ଘୋଷଣା ହେବାପରେ ପ୍ରବାସୀ ମାନେ ଭୟଭିତ ହୋଇ ଓଡିଶାକୁ ଫେରିବା ଆରମ୍ଭ କରିଥିଲେ । କିଏ ଚାଲି ଚାଲି ତ ଆଉ କିଏ ସାଇକେଲରେ ହଜାର ହଜାର କିଲୋମିଟର ଅତିକ୍ରମ କରି ଫେରିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା । ଅନେକ ପ୍ରବାସୀ ବାହାର ରାଜ୍ୟରେ ଭୋକ ଉପାସରେ ରହିଥିବା ନେଇ ଭିଡିଓ ରେକର୍ଡିଂ କରି ଓଡିଶାକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସେତେବେଳେ ବହୁ ହୃଦୟଷ୍ପର୍ଶୀ ହୋଇଥିଲା । ସେମାନେ ଓଡିଶା ଫେରିବାପରେ ସଂଗରୋଧ କେନ୍ଦ୍ରରେ ରହିବାକୁ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରିବା ସହିତ ସେମାନଙ୍କୁ ଦୁଇ ହଜାର କରି ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏପରିକି ସେମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦେବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା କରିଥିଳେ । କିନ୍ତୁ ତାହା କାର୍ଯ୍ୟକାରୀ ନହେବାରୁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡିଆ ମାନେ ଏବେ ପୁଣି ବାହାର ରାଜ୍ୟ ମୁହାଁ ହୋଇଛନ୍ତି । ଏବେ ବାହାର ରାଜ୍ୟର ବିଭିନ୍ନ କମ୍ପାନୀର ଠିକାଦାର ମାନେ ଶ୍ରମିକ ନେବାକୁ ସିଧାସଳଖ ବସଧରି ଆସି ଶ୍ରମିକମାନଙ୍କ ଘରେ ପହଞ୍ଚୁଛନ୍ତି । ଗତ ୪ଦିନ ଭିତରେ ଦୁଇଶହରୁ ଉର୍ଦ୍ଧ ଶ୍ରମିକ ହାଟଡିହି ଅଞ୍ଚଳରୁ କେରଳ, ହାଇଦ୍ରାବାଦ ଓ ତାମିଲନାଡୁକୁ ଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଏନେଇ କୌଣସି ସୁଚନା ନାହିଁ । ଏନେଇ ସେମାନେ ସ୍ଥାନୀୟ ସରପଞ୍ଚ କିମ୍ବା ବିଡିଓ କିମ୍ବା ଶ୍ରମ ବିଭାଗର ଅଧିକାରୀଙ୍କ ନିକଟରେ କୌଣସି ସୁଚନା ନଦେଇ ପୁନର୍ବାର ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଦେଖିବାକୁ ମିଳିଛି ।