Odiapua.com

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଣ୍ୟ ତିଥି ,“ବନ୍ଦେ ଉତ୍କଳ ଜନନୀ” ଓଡ଼ିଆ ଜାତିର ଅସ୍ମିତା, ଏକତା ଓ ଦେଶପ୍ରେମର ପ୍ରତୀକ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ସାହିତ୍ୟର ମହାନ କବି ଓ “ବନ୍ଦେ ଉତ୍କଳ ଜନନୀ”ର ଅମର ରଚୟିତା, ଭଦ୍ରକର ବୀରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଣ୍ୟ ତିଥୀ ଉପଲକ୍ଷେ ଆଜି ଭଦ୍ରକ ବାଇପାସ୍ ଛକରେ ସ୍ଥାପିତ ତାଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଅନୁଭାଗ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ସଂସ୍କୃତି ବିଭାଗ ଅଧିକାରୀ, ଉତ୍କଳ ସର୍ବୋଦୟ ମଣ୍ଡଳର ଅମର ପାଣିଗ୍ରାହୀ, ତ୍ୟାଗଭୂମିର ଅଜୟ ନାୟକ ଓ ଗଦାଧର ବଳ, ଆଇନ୍‌ଜୀବୀ ବିକାଶ ନାଥ, ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଜିଲା ବରିଷ୍ଠ ନାଗରିକ ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ଶିକ୍ଷାବିତ୍ ଗୟାଧର ପଣ୍ଡା, ବାବୁଲାଲ ଦାସ, ଦେବାଶିଷ ରାଉତ, ବରିଷ୍ଠ ଆଇନ୍‌ଜୀବୀ ଶଶିଭୂଷଣ ପଣ୍ଡା, ସମାଜସେବୀ ଗଣେଶ ନାୟକଙ୍କ ସହିତ ବିଭିନ୍ନ ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀମାନେ ଉପସ୍ଥିତ ରହି କାନ୍ତକବିଙ୍କ ପ୍ରତି ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଦିଲୀପ ରାଉତରାଏ କହିଥିଲେ ଯେ, କାନ୍ତକବିଙ୍କ ଅମର ରଚନା “ବନ୍ଦେ ଉତ୍କଳ ଜନନୀ” ଓଡ଼ିଆ ଜାତିର ଅସ୍ମିତା, ଏକତା ଓ ଦେଶପ୍ରେମର ପ୍ରତୀକ। ତାଙ୍କ ଆଦର୍ଶକୁ ପାଥେୟ କରି ଯୁବପିଢ଼ିଙ୍କୁ ଦେଶ ଓ ରାଜ୍ୟ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଗାମୀ ଯୁବ ପିଢ଼ିମାନଙ୍କୁ କାନ୍ତକବିଙ୍କ ଜୀବନୀ ଓ ଆଦର୍ଶରୁ ପ୍ରେରିତ ହୋଇ ଦେଶର ନାମ ରକ୍ଷା କରିବା ପାଇଁ ବଦ୍ଧପରିକର ରହିବା ପାଇଁ ଜିଲ୍ଲାପାଳ କହିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ କାନ୍ତକବିଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ, ସାହିତ୍ୟ ସାଧନା ଓ ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ଅମୂଲ୍ୟ ତ୍ୟାଗକୁ ସ୍ମରଣ କରିଥିଲେ।