ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତୀକ୍ଷିତ କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କର ସଂପୂର୍ଣ୍ଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ସାରିବାକୁ ଜିଲାପାଳ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକାଦାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ତହସିଲ ଅନ୍ତର୍ଗତ କୋରକୋରା ଗ୍ରାମପଂଚାୟତର କୋରକୋରା ଗ୍ରାମରେ ୪ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ପାର୍କର ଅଗ୍ରଗତି ସଂପର୍କରେ ଆଜି ଜିଲାପାଳ ଦିଲ୍ଲୀପ ରାଉତରାୟ କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ତାଙ୍କର ଏହି ପରିଦର୍ଶନ ସମୟରେ ପାର୍କର ପାଖାପାଖି ୭୦ ପ୍ରତିଶତ କାର୍ଯ୍ୟ ସମାପନ ହୋଇଛି। ପାର୍କର ଅବଶିଷ୍ଟ ସିଭିଲ୍ ୱାର୍କ ଆସନ୍ତା ବର୍ଷାଋତୁ ପୂର୍ବରୁ ଜୁନ୍ ମାସ ସୁଦ୍ଧା ସାରିବାକୁ ଆର.ଡି.-୧ ଅଧୀକ୍ଷଣ ଯନ୍ତ୍ରୀ ଓ ଭୁବନେଶ୍ୱରର ଠିକାଦାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ସରିବା ପରେ ଅଗଷ୍ଟ ମାସରେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ କୁହାଯାଇଛି। ପରବର୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ପାର୍କଟିକୁ ପର୍ଯ୍ୟଟକଙ୍କ ଆକର୍ଷଣ କରିବା ଲାଗି ପାର୍କକୁ ଲାଗି ରହିଥିବା ୧୦ ଏକର ଜମିର ପୁଷ୍ପରିଣୀର ପୁନରୁଦ୍ଧାର କାର୍ଯ୍ୟ କରାଯିବା ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଜିଲାପାଳ ଶ୍ରୀ ରାଉତରାୟ କହିଛନ୍ତି। ପର୍ଯ୍ୟଟକମାନଙ୍କ ଅଧିକ ଆକର୍ଷଣ ପାଇଁ ଏହି ପୁଷ୍କରିଣୀରେ ୱାଟର ପାର୍କ, ବୋଟ୍ ଚାଳନା ଆଦିର ବ୍ୟବସ୍ଥା ରହିବ। ସେହିପରି ପାର୍କର ଅନତି ଦୂରରେ ଥିବା ୫ ଏକର ଜଂଗଲ ଜମିକୁ ଏକ ପିକ୍ନିକ୍ ସ୍ଥାନର ବ୍ୟବସ୍ଥା ରହିବ। ଏହାବ୍ୟତୀତ ଫୁଡ୍ କୋର୍ଟର ବ୍ୟବସ୍ଥା ଓ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବ। ଏହି ମ୍ୟୁଜିୟମ୍ଟିରେ କାନ୍ତକବିଙ୍କ ଜୀବନ ଦର୍ଶନ ଓ ଗ୍ରନ୍ଥାବଳୀ ସହ ଫଟୋଚିତ୍ରମାନ ରହିବ। ଗମନାଗମନର ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ କରାଯିବ ଓ ସମ୍ମୁଖରେ ଏକ ଆକର୍ଷଣୀୟ ଗେଟ୍ ନିର୍ମାଣ କରାଯିବ ବୋଲି ପରିଦର୍ଶନ ସମୟରେ ମତ ପ୍ରକାଶ କରିଥିଲେ।