Odiapua.com

କାନ୍ତକବିଙ୍କ ୧୩୫ତମ ଜନ୍ମ ଜୟନ୍ତୀ, ଭିଟାମାଟିରେ ଶୋଭାବର୍ଦ୍ଧନ କରୁଛି ସ୍ମୃତି ମନ୍ଦିର, ଜ୍ଞାନ ମନ୍ଦିର ଓ ସମାଧି ପୀଠ

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ସାହିତ୍ୟ ଆକାଶର ଜ୍ୟୋତିଷ୍କ ‘ବନ୍ଦେ ଉତ୍କଳ ଜନନୀ’ ପରି ଜାତୀୟତାବାଦୀ ସଙ୍ଗୀତର ସ୍ରଷ୍ଟା ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଆଜି ୧୩୫ତମ ଜୟନ୍ତୀ ପାଳନ ହେବ। ଜନ୍ମମାଟି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ସମାଧି ପୀଠ, ପ୍ରତିମୂର୍ତ୍ତୀ ଓ ଜ୍ଞାନ ମନ୍ଦିର ସରକାରଙ୍କ ପକ୍ଷରୁ ନିର୍ମିତ ହୋଇ ସାରିଛି। ଏହି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଳପଦା ଠାରେ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହେବ। ଏଥିରେ ଉଦ୍‌ଘାଟକ ଭାବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ. କ୍ଷୀରୋଦ ସାମଲ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ପୂର୍ଣ୍ଣଚନ୍ଦ୍ର ବହଳି, ସମ୍ମାନିତ ବକ୍ତା ଭାବେ କବି ଅଭିଜିତ୍ ନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ ଗଳ୍ପିକ ପବିତ୍ର ପାଣିଗ୍ରାହୀ ଉତ୍ସବରେ ସଭାପତିତ୍ୱ କରିବେ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି।

ତିହିଡି ବ୍ଲକ ତାଳପଦା ମାଟିର ସୁଯୋଗ୍ୟ ସନ୍ତାନ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ….’ ରାଜ୍ୟ ସଂଗୀତର ମାନ୍ୟତା ପାଇବା ପରେ ଆଜି ସେ ସାରା ଭାରତରେ ସୁନାମ ଅର୍ଜନ କରିଛନ୍ତି। ଏଥି ସହିତ ତାଙ୍କର କୃତି ମେଟ୍ରିକ୍ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇଛି। ପ୍ରକାଶ ଥାଉକି, ତାଳପଦାରେ କାନ୍ତକବିଙ୍କ ସ୍ମାରକୀ ଉଜ୍ଜିବିତ କରିବା ପାଇଁ ସମାଧି ପୀଠ, ଜ୍ଞାନମନ୍ଦିର ଓ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି। କାନ୍ତକବିଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତତ୍କାଳୀନ ଜିଲାପରିଷଦ ସଭ୍ୟ ଚିନ୍ତାମଣି ଦାସଙ୍କ ସହଯୋଗରେ ତାଳପଦାରେ ସ୍ମୃତିମନ୍ଦିର ଓ ସମାଧିପୀଠ ନିର୍ମାଣ କରାଯାଇଛି। ଏଯାବତ ତାଙ୍କ ନାମରେ ଡାକ ଟିକେଟ ପ୍ରଚଳନ ପାଇଁ ଦାବି କରା ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ସେହିପରି ତିହିଡିସ୍ଥିତ କୌଣସି ସରକାରୀ ଦପ୍ତରରେ ତାଙ୍କ ତୈଳଚିତ୍ରଟିଏ ଲଗାଇବା ଦିଗରେ କେହି କେବେ ଚିନ୍ତା କରୁନାହାନ୍ତିଁ। ତିହିଡିରୁ ଦୋଳସାହି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାକୁ କାନ୍ତକବି ମାର୍ଗରେ ନାମିତ କରାଯିବା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସାହିତ୍ୟିକ, କବିମାନେ ଦାବି କରିଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରି ନାହିଁ।

ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ସେ କବିତା, ଗଳ୍ପ, ଶିଶୁସାହିତ୍ୟ, ବ୍ୟଙ୍ଗସାହିତ୍ୟ, ନାଟକ, ପ୍ରବନ୍ଧ ତଥା ଉପନ୍ୟାସ ଆଦି ରଚନା କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସରଳ ଶଦ୍ଦ ବିନ୍ୟାସ, ଗଭୀର ମନନଶୀଳତା, ମନସ୍ତାତ୍ତିକ ଦୃଷ୍ଟିଭଙ୍ଗୀ, ଅପୂର୍ବ ସାଙ୍ଗିତିକତା, ଜାତୀୟତାବୋଧ, କୁସଂସ୍କାରପ୍ରତି ତୀବ୍ର କଟାକ୍ଷ, ମାନବପ୍ରୀତି ସର୍ବୋପରି ଆତ୍ମ ସଚେତନ ମନୋଭାବର ସମ୍ମିଶ୍ରଣରେ ଫେଣ୍ଟାଫେଣ୍ଟି ତାଙ୍କର ପ୍ରତ୍ୟେକଟି ସୃଷ୍ଟି ରୁଚିମନ୍ତ, ରୁଦ୍ଧିମନ୍ତ୍ର ଓ ଶାଣିତ ହୋଇପାରିଛି। ତାଙ୍କର ରଚିତ କଣାମାମୁଁ, କଲ୍ଲୋଳ, ଚଟକ ଚନ୍ଦ୍ରହାସ୍ୟ ଚମ୍ପୁ, ଓଲଟା ବୁଝିଲେ ରାମ, ପହିଲି କେସ୍‌, ଫାର୍ସ ସଙ୍ଗୀତ, ଜାତୀୟ ସଙ୍ଗୀତ ଓ ଜୀବନ ସଙ୍ଗୀତ ଆଦି ଓଡିଆ ସାହିତ୍ୟ କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ ସଦୃଶ। ‘ବନ୍ଦେ ଉତ୍କଳ ଜନନୀ’ ପରି କାଳଜୟୀ ଜାତୀୟତାବାଦୀ ସଙ୍ଗୀତ ଠାରୁ ପୁଣି ‘ବୁଢା ସଙ୍ଖାରୀ’ ପରି ଭାବୋଦ୍ଦୀପକ ଗଳ୍ପ ଓ ଗୀତି କବିତା ‘ସବୁଥିରୁ ବଞ୍ôଚତ କରି କେଉଁ ଯଶବାନା ଉଡାଇବ ହେ’ ବିଲୁଆ ବିଚାର, ଅଫିମଲୀଳା, ବସ୍ତ୍ର ହରଣ, ସୁଇସାଇଡ୍‌, ଯାଏଁ ଯେକୌଣସି ପାଠକର ହୃଦୟକୁ ଆଜି ବି ପ୍ରଭାବିତ କରୁଛି। ଏବେବି ଭିଟମାଟିରେ ପୂରାତନ ବଉଳ ଗଛ କାନ୍ତକବିଙ୍କ ଗାଥା ବହନ କରିଛି। ଏହି ବଉଳ ଗଛ ମୂଳରେ କାନ୍ତକବି ନିୟମିତ ଭାବେ ସାହିତ୍ୟ ସାଧନା କରୁଥିଲେ। ଗଛର ବିଶାଳକାୟତା ଉପରେ ସମସ୍ତଙ୍କର ନଜର ରହିଥିବା ଏବଂ ବୟସର ଅପରାହ୍ନରେ ପହଞ୍ôଚଥିଲେ ମଧ୍ୟ ଆଜିବି କାନ୍ତପ୍ରେମୀଙ୍କ ହୃଦୟକୁ ସମ୍ୟକଭାବେ ଆନ୍ଦୋଳିତ କରିଥାଏ।