Odiapua.com

କାନ୍ତକବିଙ୍କ ପୀଠ ସ୍ମୃତି ଦେଖି ଜିଲାପାଳ କ୍ଷୁବ୍ଧ, ବିକାଶ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ, ନିଯୁକ୍ତି ପାଇବେ ମାଳି

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି ମାଟିର ଗର୍ବ ଓ ଗୌରବ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ତାଳପଦା ସମାଧି ନିକଟରେ ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ ପହଞ୍ôଚ ପୀଠର ସ୍ଥିତି ତଦାରଖ କରିଛନ୍ତି । ଏହାର ଅବସ୍ଥା ଦେଖି ସେ କ୍ଷୁବ୍ଧ ହୋଇଛନ୍ତି । ୨୦୨୦ ରେ ସରକାର କାନ୍ତକବିଙ୍କ ରଚିତ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପରେ ଏହି ପୀଠରେ ସମାବେଶ ସଭା କରି ମନ୍ତ୍ରୀ ବିଧାୟକଙ୍କୁ ନେଇ ଉତ୍ସବ କରାଯାଇଥିଲା । ଏହି ଉତ୍ସବ ପୂର୍ବରୁ ଅତି ତରବରିଆ ଭାବେ ଠିକାଦାର ସାଜିଥିବା ନେତାଙ୍କ ହାତରେ ନକଲି ଘାସ, ଗଛ, ଚାରା ରୋପଣ କରି ମାର୍ବଲରେ କାନ୍ତକବିଙ୍କ ସମାଧି ନିର୍ମାଣ କରି ପର୍ଯ୍ୟଟନ ମନ୍ତ୍ରୀଙ୍କ ହାତରେ ଲୋକାର୍ପିତ କରାଯାଇଥିଲା । କାନ୍ତକବିଙ୍କ ପୀଠକୁ ସୌନ୍ଦର୍ଯ୍ୟକରଣ କରିବା ସହ ପୁନରୁଦ୍ଧାର ପାଇଁ ପାଖାପାଖି ଦେଢକୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ।

ଏହାର ନିର୍ମାଣ ଠିକା ନେଇଥିବା ସ୍ଥାନୀୟ ନେତାମାନେ ଏହାର ରକ୍ଷଣାବେକ୍ଷଣ କଥା ଭୁଲିଯାଇଛନ୍ତି । ପାଣି ଦେବା ଅଭାବରୁ ସମସ୍ତ ଚାରା ମରିଯାଇଛି । ଘାସ ଗଛ ଶୁଖିଯାଇଛି । ସମାଧୀ ପୀଠ ଏକ ପ୍ରକାର ମରୁଭୂମି ଭଳି ଲାଗୁଛି । ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ କର କମଳରେ କାନ୍ତକବିଙ୍କ ପୀଠ ହସି ଉଠୁଥିଲା । ଏବେ କୌଣସି ପର୍ଯ୍ୟଟକ ସେହି ସ୍ଥାନକୁ ଗଲେ ନିରାଶ ହୋଇ ଫେରୁଛନ୍ତି । ଭଦ୍ରକ ଜିଲାପାଳ ଏହା ଦେଖିବା ପରେ କ୍ଷୁବ୍ଧ ହୋଇ ତୁରନ୍ତ ଏହାର ରକ୍ଷଣାବେକ୍ଷଣ କରିବାକୁ ଜଣେ ମାଳି ନିଯୁକ୍ତି କରିବାକୁ ତିହିଡି ବିଡିଓ ବସନ୍ତ ସାହାଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାନ୍ତକବିଙ୍କ ପୀଠରେ ଥିବା ଘରେ କେତେବେଳେ ଟୀକାକରଣ କରାଯାଉଛି ତ ଆଉ କେତେବେଳେ ରାଜନେତାମାନେ ନିଜ ଗୁପ୍ତ ବୈଠକ କରୁଛନ୍ତି । ତୁରନ୍ତ ଏହି ପୀଠକୁ ମୁକ୍ତ କରିବା ପାଇଁ ଦାବି ହୋଇଛି । ଖାଲି ସେତିକି ନୁହଁ, କାନ୍ତକବିଙ୍କ ପୀଠରୁ କୁବେରା ଆଡକୁ ଲମ୍ବିଯାଇଥିବା ନିର୍ମାଣାଧୀନ ରାସ୍ତା ନେତାଙ୍କ ପାଇଁ ଅଟକି ଯାଇଛି । ସରକାରୀ ଜାଗାରେ କୋଠା ଛିଡା ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ଠିକାଦାର ନାରାଜ ହେଉଛନ୍ତି । ଜବରଦଖଲ ହୋଇଥିବା ରାସ୍ତାକୁ ମୁକ୍ତ କଲେ କୋଟି କୋଟି ଟଙ୍କାର ଏହି ସଡକ ନିର୍ମାଣ ହୋଇ ଶେଷ ହୁଅନ୍ତା । ଜିଲାପାଳଙ୍କ ନିକଟରେ ଏହି ଅଭିଯୋଗ ପରେ ତୁରନ୍ତ ତିହିଡି ତହସିଲଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ କାର୍ଯ୍ୟକାରୀ କରିବାକୁ । ଦେଖାଯାଉ ଜିଲାପାଳଙ୍କ ନିର୍ଦ୍ଦେଶ କେତେ ପାଳନ କରାଯାଉଛି ।