Odiapua.com

କାଦୁଅ ପଚପଚ ରାସ୍ତାରେ ଆବାସ ନିର୍ମାଣ କାର୍ଯ୍ୟର ତଦାରଖ କଲେ ପିଇଓ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନିର୍ଦ୍ଦେଶ ଓ ବିଭାଗୀୟ ଅଧିକାରୀଙ୍କ ଶତ ଚେଷ୍ଟା ପରେ ମଧ୍ୟ ଭଦ୍ରକ ଜିଲା ବନ୍ତ ବ୍ଲକ୍‌ର ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍‌ୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ଥିବାରୁ କାଦବରାଙ୍ଗ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ କାଦୁଅ ପଚପଚ ସୁଆଁପଦା ଗ୍ରାମ ରାସ୍ତାରେ ଉକ୍ତ ଗ୍ରାମର ହିତାଧିକାରୀଙ୍କ ଆବାସ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯାଉଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା । ଏନେଇ ବିସ୍ତୃତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହିତାଧିକାରୀମାନଙ୍କ ଘରକୁ ଘର ଯାଇ କାର୍ଯ୍ୟର ତଦାରଖ କରିଥିଲେ । ଉକ୍ତ ସମୟରେ ମଧ୍ୟ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ କୁସୁନପୁର ଗ୍ରାମର ଜନୈକ ହିତାଧିକାରୀଙ୍କ ଘରକୁ ଯାଇ ନିର୍ଦ୍ଧାରିତ ସମୟରେ ସେ କିପରି ଗୃହ କାର୍ଯ୍ୟ ସାରିବେ, ସେଥିପାଇଁ ତାଙ୍କ ସହ ମିଶି ଇଟା ଯୋଡେଇ କରିବା ସହ ଗୃହ ନିର୍ମାଣ ଶୀଘ୍ର ସାରିବାର ସନ୍ଦେଶ ହିତାଧିକାରୀଙ୍କୁ ଦେଇଥିଲେ । ତାଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତକୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ କୋଭିଡ-୧୯ ଯୋଗୁଁ ତ୍ୱରାନ୍ନିତ ହୋଇପାରୁନାହିଁ । କିନ୍ତୁ ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ଏହାକୁ ସାରିବା ପାଇଁ ପ୍ରବର୍ତ୍ତାଇବାକୁ ସରକାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହି କାର୍ଯ୍ୟର ତଦାରଖ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ ଗତ ଦୁଇଦିନ ଧରି ଲଗାଣ ବର୍ଷାରେ କାଦବରାଙ୍ଗ ପଂଚାୟତ ୧୨ନଂ ୱାର୍ଡ ଅନ୍ତର୍ଗତ ସୁଆଁପଦା ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ସ୍ଥଳେ ଉକ୍ତ ଗ୍ରାମର ହିତାଧିକାରୀ ଦୁଶ୍ମନ୍ତ ଦାସଙ୍କ ଆବାସ ଗୃହକୁ କାଦୁଅ ପଚପଚ ରାସ୍ତାରେ ତଦାରଖ କରିବାକୁ ଯାଇଥିଲେ । ରାସ୍ତା ଅବସ୍ଥା ଶୋଚନୀୟ ଥିବା ସତ୍ୱେ ହିତାଧିକାରୀ ଜଣଙ୍କ ରୁଫ୍ ଲେବୁଲ ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାର ଜାଣିବାକୁ ପାଇଥିଲେ ।