Odiapua.com

କାଗଜପତ୍ରରେ ଚାଲିଛି ଟ୍ରମା ସେଣ୍ଟର

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିପାର୍ଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରାୟ ୧୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଆଘାତ ଜନିତ ଚିକିତ୍ସା କେନ୍ଦ୍ର (ଟ୍ରମା ସେଣ୍ଟର)। ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହାକୁ ନେଇ ଜିଲାବାସୀ ବେଶ୍ ଉତ୍‌ଫୁଲ୍ଲିତ ଥିଲେ। କିନ୍ତୁ ଉକ୍ତ ଆଘାତ ଜନିତ ଆପଦ ଚିକିତ୍ସା କେନ୍ଦ୍ର ଆରମ୍ଭ ହେବାକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ଚାଲିଛି। କାରଣ ଏଥିନିମିତ୍ତ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଉକ୍ତ କେନ୍ଦ୍ରରେ ଏବେ ଉଭୟ ଶଲ୍ୟ ଓ ଅସ୍ଥିଶଲ୍ୟ ବିଭାଗ କାମ କରୁଛି। ପୂର୍ବରୁ ଲାଗିଥିବା ଟ୍ରମା ସେଣ୍ଟର ସାଇନବୋର୍ଡ ବହୁବର୍ଷ ହେଲା ହଜିଗଲାଣି। ଏହି କେନ୍ଦ୍ର ପାଇଁ ଆବଶ୍ୟକ ଡାକ୍ତର ଅତ୍ୟାଧୁନିକ ଯନ୍ତ୍ରାଂଶ, ଶଯ୍ୟା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ। ଉକ୍ତ କେନ୍ଦ୍ର ପାଇଁ ଆସିଥିବା ବହୁ ସାମଗ୍ରୀ ଖତ ଖାଇ ନଷ୍ଟ ହୋଇସାରିଛି। ଆମ ରାଜ୍ୟ ମଧ୍ୟ ଦେଇ ୫ ନଂ ଜାତୀୟ ରାଜପଥ ଯାଇଥିବାରୁ ଏହା ସବୁ ସମୟରେ ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ପରିଚିତ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସୁପାରିଶରେ କଟକ ଠାରେ ଲେବୁଲ-୧ ଗୋଟିଏ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ଲେବୁଲ-୨ ଓ ଭଦ୍ରକ, ଖୋର୍ଦ୍ଧା ଠାରେ ଲେବୁଲ-୩ ର ଗୋଟିଏ କରି ଏହିପରି ମୋଟ ୫ଟି ଟ୍ରମା ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ ୨୦୦୮ ମସିହାରେ। ଭଦ୍ରକରେ ଏହି ସେଣ୍ଟର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଆସୁଥିବା ଗୁରୁତର ରୋଗୀଙ୍କୁ ଏଠାରେ ଆଶୁ ଚିକିତ୍ସା ଯୋଗାଯାଇପାରୁନାହିଁ। ଏବଂ ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ କଯକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିବା ଦେଖିବାକୁ ମିଳିଛି। ଗୋଟିଏ ଲେବୁଲ-୩ ଟ୍ରମା ସେଣ୍ଟର ପାଇଁ ଅନ୍ୟୁନ ନିଶ୍ଚେତକ, ଶଲ୍ୟ, ଅସ୍ଥିଶଲ୍ୟ, ସ୍ନାୟୁ ଶଲ୍ୟ, ଭେଷଜ, ଶିଶୁରୋଗ ବିଭାଗର ବିଶେଷଜ୍ଞଙ୍କ ସମେତ ୨୦ ରୁ ଅଧିକ ଆଟେଣ୍ଡାଣ୍ଟଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ଡାକ୍ତରଙ୍କ ଅଭାବ ଅନୁଭୂତ ହେଉଛି ଓ ରୋଗୀ ଉଚିତ୍ ସ୍ୱାସ୍ଥ୍ୟସେବା ପାଇପାରୁନାହାଁନ୍ତି। ସେତେବେଳେ ଟ୍ରମା ସେଣ୍ଟର ଏକ ଭେଳିକି ବୋଲି ଜିଲାବାସୀଙ୍କ ମତ। ସରକାରଙ୍କ କାଳକ୍ଷେପଣ ନୀତି, ଜିଲା ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଓ ସର୍ବୋପରି ଜିଲାର ନିର୍ବାଚିତ ଲୋକପ୍ରତିନିଧିଙ୍କ ଇଚ୍ଛାଶକ୍ତି କିମ୍ବା ଆନ୍ତରିକତାର ଅଭାବ ପାଇଁ ଏହା କାର୍ଯ୍ୟକ୍ଷମ ହେବା ତ ଦୂରର କଥା ଏହା ଏବେ ଇତିହାସ ହୋଇ ରହିଯାଇଛି।