Odiapua.com

କଳ୍ପତରୁ ସଂସ୍କୃତ ଶିକ୍ଷା ନିକେତନ ମଧ୍ୟମା ଓ ଟୋଲ୍ ଗୃହକୁ କମିଟି ଅଗୋଚରରେ ଭାଙ୍ଗି ଆସବାବ ପତ୍ର ହରିଲୁଟ୍ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ବଂଶୀପାଟଣା ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ସାକ୍ଷାତ୍ କରି ସ୍ଥାନୀୟ ଅଂଚଳର ଲୋକଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିବା ଏକ ସଂସ୍କୃତ ମହାବିଦ୍ୟାଳୟର ଗୃହକୁ ବିନା କମିଟି ଅଗୋଚରରେ ଭାଙ୍ଗି ଆସବାବ ପତ୍ର ଲୁଟ୍ ସମ୍ବନ୍ଧରେ ଅବଗତ କରାଯାଇଛି । ଏବଂ ଏହି ଘଟଣାରେ ଜଡିତ ପ୍ରଶାନ୍ତ କୁମାର ପାଢୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ଅକ୍ଷୟ କୁମାର ରଣା ଓ ଦୟାନିଧି ନାୟକ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସ୍ଥାନୀୟ ବଂଶୀପାଟଣା, ଭୈରବପୁର ଓ ବଳିବିନ୍ଧା ଗ୍ରାମବାସୀମାନଙ୍କ ପ୍ରଚେଷ୍ଟାରେ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା କଳ୍ପତରୁ ସଂସ୍କୃତ ଶିକ୍ଷା ନିକେତନ ଟୋଲ ଓ କଳ୍ପତରୁ ସଂସ୍କୃତ ବିଦ୍ୟାଳୟ ମଧ୍ୟମା ଚାଲିଆସୁଥିଲା । ଯାହା ବିଦ୍ୟାଳୟର ନିଜସ୍ୱ ଜମିରେ ନିର୍ମିତ ହୋଇଥିଲା । ଏଠାରେ କଳ୍ପତରୁ ସଂସ୍କୃତ ବିଦ୍ୟାଳୟ ମଧ୍ୟମା ଖୋଲାଯାଇ ପାଠପଢା ଚାଲିଥିଲା । ଦୀର୍ଘଦିନ ରହି ଶିକ୍ଷକମାନେ ବର୍ଷେ ଦୁଇବର୍ଷ ପରେ ଅବସର ନେଇଥିଲେ ।

ଇତିମଧ୍ୟରେ ବିଦ୍ୟାଳୟର ରୋଷେଇ ଘରଟି ଗ୍ରାମବାସୀଙ୍କ ସହଯୋଗ କ୍ରମେ ୫୯ ହଜାର ଟଙ୍କାର ଧାର୍ଯ୍ୟ ଅର୍ଥରେ ସଂପୂର୍ଣ୍ଣ ହୋଇଥିଲା । ଏଥିରେ ଖାଦ୍ୟପେୟ ପ୍ରସ୍ତୁତ କରାଯାଇ ପିଲାଙ୍କୁ ଦିଆଯାଉଥିଲା । ସରକାରଙ୍କ ପକ୍ଷରୁ ମଧ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିଲା । ଏହି ସଂସ୍କୃତ ବିଦ୍ୟାଳୟ ମଧ୍ୟମାରେ ଦୀର୍ଘଦିନ ରହି ଶିକ୍ଷକତା କରୁଥିବା ପ୍ରଶାନ୍ତ କୁମାର ପାଢୀ ଓରଫ ଜୁଲୁ ପାଢୀ ୧୯୯୨ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ଚଂଚକତା କରି ଜାଲିଆତି କାଗଜପତ୍ର ମାଧ୍ୟମରେ ଜିଲାପାଳଙ୍କ ଅଫିସ୍ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟରେ ସ୍କୁଲର ନାମଟିକୁ ଲିଭାଇଦେଇ ସେହି ସ୍ଥାନରେ କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟ ଖୋଲି ଚାକିରୀ ଦେବାପାଇଁ ଦୂର ଦୂରାନ୍ତରୁ ପ୍ରାର୍ଥୀ ଓ ପ୍ରାର୍ôଥନୀଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିଲେ । ଏବଂ ମାଟ୍ରିକ୍‌, ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସିଟି, ବିଇଡିର ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରି ସେମାନଙ୍କୁ ନିଯୁକ୍ତି ଦେଇଥିଲେ ।

ଯାହା ବିରୁଦ୍ଧରେ ତାଙ୍କ ନାମରେ ବାସୁଦେବପୁର ଥାନା, ଚୂଡାମଣି ଥାନା, ଜିଆରପି, କଟକ, କ୍ରାଇମବ୍ରାଞ୍ଚ ଓଡ଼ିଶା, କଟକ ଠାରେ ମାମଲା ରୁଜୁ ହୋଇଅଛି । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ଏଭଳି ସ୍ଥଳେ କଳ୍ପତରୁ ସଂସ୍କୃତ ବିଦ୍ୟାଳୟ (ମଧ୍ୟମା) ଓ ପ୍ରଥମାର କମିଟି ଅଗୋଚରରେ ପ୍ରଶାନ୍ତ ପାଢୀ ଉକ୍ତ ଗୃହଟିକୁ ଭାଙ୍ଗି ଟିଣଛପର ଓ କାଠଗୁଡିକ ଏକ ଗାଡିରେ ଲଦି ନିଜ ଘରକୁ ନେଇଯାଇଥିଲେ । ଗ୍ରାମବାସୀମାନେ ପହଞ୍ôଚ ପ୍ରତିବାଦ କରିବାରୁ ଶ୍ରୀ ପାଢୀ ଜିଲାପାଳଙ୍କ ଠାରୁ ଅର୍ଡର ଆଣିଛନ୍ତି ବୋଲି କହିଥିଲେ । ଗ୍ରାମବାସୀମାନେ ଏଭଳି ବେଆଇନ୍ କାର୍ଯ୍ୟକୁ ଜିଲାପାଳ କୌଣସି ମତେ ଅର୍ଡର ଦେଇନଥିବାର ଜାଣି ତାହା ଦେଖାଇବାକୁ କହିବାରୁ ସେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନାରୁ ମାରିଦେବାର ଧମକ ଦେଇଥିଲେ । ଏଣୁ ଉକ୍ତ ବିଦ୍ୟାଳୟ ଗୃହଟିକୁ ନଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେବା ସହ ସରଜମିନ୍ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅକ୍ଷୟ କୁମାର ରଣା ଓ ଦୟାନିଧି ନାୟକ ଜିଲାପାଳଙ୍କ ଠାରେ ନିବେଦନ କରିଛନ୍ତି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ।