Odiapua.com

କଳିଯୁଗରେ ବସୁଦେବ !

ଗୁଜୁରାଟ, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବର୍ଷା ଯୋଗୁଁ ବଦଳି ଯାଇଛି ବଡୋଦ୍ରାର ଚେହରା। ପାଣିରେ ଉବୁଟୁବୁ ହେଉଛି ସାରା ସହର। ଏଯାଏଁ ୬ ଜଣଙ୍କ ଜୀବନ ନେଇସାରିଲାଣି ବର୍ଷା।

ଅନ୍ୟପଟେ ୪ହଜାର ଲୋକଙ୍କୁ ସୁରକ୍ଷି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛି ପ୍ରଶାସନ। ତେବେ ଏହା ମଧ୍ୟରେ ଜଣେ ପୋଲିସକର୍ମୀଙ୍କ ଫଟୋ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଅଛି ଗୋଟିଏ ଟବ୍। ଆଉ ଟବ୍ ମଧ୍ୟରେ ଅଛି ଗୋଟିଏ କଅଁଳ ଶିଶୁ।

ଏହାକୁ ଦେଖିଲେ ମହାଭାରତ ଦୃଶ୍ୟ କଥା ମନେ ପଡିଯାଉଛି। ଯେତେବେଳେ ବର୍ଷାରାତିରେ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଗୋପପୁର ନେଇ ଯାଉଥିଲେ ବସୁଦେବ। ଏବେ ଏହି ପୋଲିସଙ୍କୁ ବସୁଦେବ ନାଁ ଦେଇସାରିଛି ସୋସିଆଲ୍ ମିଡିଆ। କାରଣ ଦେଢ ବର୍ଷର ଶିଶୁକୁ ମୁଣ୍ଡରେ ରଖି ବେକ ଯାଏଁ ପାଣିରେ ବୁଡି ତାକୁ ବଢିପାଣିରୁ ବାହାରକୁ ବାହାର କରିଛନ୍ତି ଏହି ପୋଲିସ ଜଣକ।

ରାତାରାତି ସୋସିଆଲ୍ ମିଡିଆରେ ହିରୋ ପାଲଟିଯାଇଥିବା ଏହି ପୋଲିସଙ୍କ ନାଁ ହେଉଛି ଗୋବିନ୍ଦ ଚାୱଡା। ପିଲାଟିକୁ ମୁଣ୍ଡରେ ରଖି ପାଂଚ ଫୁଟ ଗଭୀର ପାଣିରେ ପ୍ରାୟ ଦେଢ କିଲୋମିଟର ଚାଲିଥିଲେ ଗୋବିନ୍ଦ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଶୁଭୁଛି କେବଳ ଗୋବିନ୍ଦଙ୍କ ପ୍ରଶଂସା।