Odiapua.com

କଳିଗାଁ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

ହାଟଡ଼ିହି-୯/୪, ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । କଳିଗାଁ କପିଳେଶ୍ୱର ହାଇସ୍କୁଲ ଠାରେ ଚାରୋଟି ୱାର୍ଡ ଖୋଲାଯାଇ ୫୯ଟି ବେଡ ପକାଯାଇଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା ଥିବାବେଳେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଥିବା ବେଳେ ଏହା କୌଣସି ସରକାରୀ ଡାକ୍ତରଖାନାରୁ କମ ନଥିବା ଦେଖିବାକୁ ମିଳିଛି । ଆହୁରି ୪୦ଟି ବେଡ ପକାଇବା ପାଇଁ ଘରଦ୍ୱାର ସଫା କରାଯାଇ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି । କଳିଗାଁ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ଧଳ, ପିଇଓ ନାରାୟଣ ଜେନା, ଜିଆରଏସ ବଳରାମ ମଲ୍ଲିକ, କନିଷ୍ଠଯନ୍ତ୍ରୀ ସୁଧାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ସ୍ୱାସ୍ଥକେନ୍ଦ୍ର ପ୍ରସ୍ତୁତି ଚଳାଇଛନ୍ତି । ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପଞ୍ଚାୟତରେ ଶହେଜଣ ନିରାଶ୍ରୟ, ବୃଦ୍ଧବୃଦ୍ଧାଙ୍କୁ ଏସ.ଏସ.ଜି ଗ୍ରୁପ ସହଯୋଗରେ ଦୁଇଓଳି ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।