Odiapua.com

କଳା ପଲସର ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍‌, ୧୨ ଲକ୍ଷ ଲୁଟ୍ ଘଟଣାରେ ଜଣେ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ୧୨ ଲକ୍ଷ ଲୁଟେରା ଗ୍ୟାଙ୍ଗ୍‌ର ପଦ୍ଦାର୍ଫାସ୍ କରିଛି ଜିଲା ସହରାଞ୍ଚଳ ଥାନା ପୁଲିସ୍। ଏବଂ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ତାକୁ ଆଜି କୋର୍ଟ ଚାଲାଣ କରାଯିବା ସହ ତା’ ଠାରୁ ୯ ଲକ୍ଷ ଟଙ୍କା ଜବତ ହୋଇଛି। ଏବଂ ତାର ସହଯୋଗୀ ଫେରାର ଥିବାର ଜଣାପଡିଛି। ଏ ସଂପର୍କରେ ଆଜି ସହରାଞ୍ଚଳ ଥାନା ପରିସରରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୯ ତାରିଖରେ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ପୋଡାପାଟଣା ଗ୍ରାମନିବାସୀ ଅଶୋକ କୁମାର ଖିଲାର ଆଗରପଡା ହାଇସ୍କୁଲରେ ଶିକ୍ଷକତା କରୁଥିବାବେଳେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରେ ରୁହନ୍ତି। ସେ ଗତ ୯ ତାରିଖରେ ଏକ ଜମି କ୍ରୟ କରିବା ପାଇଁ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ସ୍ଥିତ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ୧୨ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ରଖି ବ୍ୟାଙ୍କ ପଛଗେଟ୍ ଦେଇ ରାସ୍ତାକୁ ଆସି ଏକ ଚା’ ଦୋକାନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କଳା ପଲସରରେ ଦୁଇ ଯୁବକ ଆସି ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ଫିନେଇ କେଉଁଆଡେ ଉଭାନ୍ ହୋଇଯାଇଥିଲେ। ଏହି ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏବଂ ଏହି ଟିମ୍ ଏହିଭଳି ଜିଲା ମଧ୍ୟରେ ଆତଙ୍କ ଖେଳାଇଥିବା ଅପରାଧୀଙ୍କ ତାଲିକା ଅନୁସନ୍ଧାନ କରି ସଂପୃକ୍ତ ଗ୍ୟାଙ୍ଗକୁ ଠାବ କରିଥିଲା। ଏବଂ ଗତକାଲି ରାତି ୩ଟା ସମୟରେ ଚଢାଉ କରି ଗଂଜାମ ଜିଲା ଆସ୍କା ଥାନା ଅଧୀନସ୍ଥ ମରାଠୀବାସା ପକଲପଲ୍ଲୀ ନିବାସୀ ଏମ୍‌. ରାଜିକା ଓରଫ ରାଜୁ ଙ୍କ ପୁତ୍ର ଏମ୍‌. ଶ୍ରୀକାନ୍ତ (୧୯) କୁ ଗିରଫ କରି ତା ନିକଟରୁ ୯ ଲକ୍ଷ ଟଙ୍କା ଜବତ କରିଥିଲା। ତେବେ ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।