Odiapua.com

କଳା-କ୍ରୀଡ଼ା ଶିକ୍ଷକଙ୍କ ଅବସ୍ଥା ଓ ସରକାରୀ ଉଦାସିନତା

ଭୁବନେଶ୍ୱର ୦୪.୧୨ (ଓଡ଼ିଆ ପୁଅ) : ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୦୧୨ ମସିହାରୁ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସର୍ବଶିକ୍ଷା ଅଭିଯାନ ଅଧିନରେ ଏହି ନିଯୁକ୍ତି ପକ୍ରିୟା ସମ୍ପୂର୍ଣ୍ଣଭାବରେ ପାର୍ଟଟାଇମ୍ ଭିତ୍ତିରେ ପରିଚାଳିତ ହେଉଛି। ରାଜ୍ୟରେ ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ୧୦୦ ରୁ ଅଧିକ ସେହି ବିଦ୍ୟାଳୟମାନଙ୍କରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ନିଯୁକ୍ତିକୁ ତ୍ୱାରାନିତ କରିଛନ୍ତି ରାଜ୍ୟ ସରକାର। ଶ୍ରେଣୀ ପିଛା ୧୦୦ ଟଙ୍କା ହାରରେ ୨୦୧୨-୧୩ ଶିକ୍ଷା ବର୍ଷରୁ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ନିଯୁକ୍ତି ପକ୍ରିୟା ଆରମ୍ଭ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞାପନ ପ୍ରକାଶ ପାଇବା ପରେ ଏହିି ପକ୍ରିୟାରେ ହଜାର ହଜାର କଳାକାର ଯୁବକ-ଯୁବତୀ ଏଥି ନିମନ୍ତେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମେଧାକୁ ଆଧାର କରି ଯୋଗ୍ୟ ଡ଼ିଗ୍ରୀଧାରୀମାନଙ୍କୁ ଏହି ପକ୍ରିୟାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହି ପକ୍ରିୟାରେ ଚୟନ ହୋଇଥିବା ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସର୍ବନିମ୍ନ ଯୋଗ୍ୟତା କଳା କ୍ଷେତ୍ରରେ +୨ ହୋଇଥିବା ବେଳେ ହଜାର ହଜାର ସ୍ନାତୋକତର ଓ ପି.ଏଚ୍‌.ଡ଼ି. କରିଥିବା ଯୁବକ, ଯୁବତୀମାନେ ଏଥି ନିମନ୍ତେ ଆବେଦନ କରି ନିଯୁକ୍ତି ପାଇଥିଲେ।

୧୯୬୪ ମସିହାରେ ତତ୍‌କାଳନୀ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ଓ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବାର ଦୁର୍ଦ୍ଦଶ ମାନସିକତା ଫଳରେ ରାଜଧାନୀର ପ୍ରାଣ କେନ୍ଦ୍ରରେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ସଂଗୀତ ମହାବିଦ୍ୟାଳୟ। ଅନୁରୂପ ଭାବରେ ପରବର୍ତି ଅବସ୍ଥାରେ ରାଜ୍ୟତମାମ ବିଭିନ୍ନ କଳା ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟ ଆଦି ଗଢ଼ି ଉଠିଥିଲା। ପରେ ଏହି ପକ୍ରିୟା ଆହୁରି ରୁଦ୍ଧିମନ୍ତ ହୋଇ କଳା ସଂସ୍କୃତି କ୍ଷେତ୍ରରେ ସ୍ନାତୋକତର ଶିକ୍ଷା ପ୍ରଦାନ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଯାହା ବିଶ୍ୱର ଏକ ଅନନ୍ୟ କଳା ଶିକ୍ଷାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ।୧୯୬୪ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରୁ ଡ଼ିଗ୍ରୀ ହାସଲ କରି ଉତିର୍ଣ୍ଣ ହୋଉଥିବା ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନଲାଗି ସେଭଳି କୌଣସିି ବ୍ୟବସ୍ଥା ନ ଥିଲା। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ କଳା ଡ଼ିଗ୍ରୀ ଧାରୀ ଯୁବକଯୁବତୀମାନେ ବାରମ୍ବାର ଅନୁରୋଧ କରି ଆସୁଥିଲେ।୨୦୧୨ ମସିହାରେ ଚଳିତ ସରକାରଙ୍କ ଅମଳରେ ନିଯୁକ୍ତି ପକ୍ରିୟା ଆରମ୍ଭ ହେବାବେଳେ ଅତି ନଗନ୍ୟ ପାରିଶ୍ରମିକ କାରଣରୁ ବହୁ ଯୁବକଯୁବତୀ ନିଯୁକ୍ତି ପକ୍ରିୟାରେ ସାମିଲ ହେଲେ ନାହିଁ। ଯେଉଁମାନେ ଆବେଦନ କରି ଏହି ପକ୍ରିୟାରେ ସାମିଲ ହେଲେ ସେମାନଙ୍କ ଦୟନିୟ ଅବସ୍ଥା କଥା ନ କହିବା ଭଲ। କେନ୍ଦ୍ର ସରକାରଙ୍କ ଆର୍‌.ଟି.ଇ. ଅଧିନିୟମ ଅନୁଯାଇ ସର୍ବଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟକରୁଥିବା ପାର୍ଟଟାଇମ୍ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କର ଦାବିକୁ ବିଚାର କରି ତତ୍‌କାଳିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ବିଭାଗୀୟ ନିଷ୍ପତି ଫଳରେ ରାଜ୍ୟ ସରକାର ଏହି ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ମାସିକ ହାରରେ କନସୋଲିଡ଼େଟେଡ଼ ବେତନ ତା. ୨୫.୦୭. ୨୦୧୭ ରୁ ପ୍ରଦାନ କରିବା ଆରମ୍ଭ କଲେ। କିନ୍ତୁ ଖୋଦ ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତିକୁ ପରିବର୍ତ୍ତନ କରାଯାଇ ଶ୍ରେଣୀ ପିଚ୍ଛା ହାରରେ ବେତନ ପ୍ରଦାନ ପାଇଁ ସରକାରୀ ସ୍ତରରେ ନୂତନଭାବେ ଦାୟୀତ୍ୱ ଗ୍ରହଣ କରିଥିବା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ପୁନଃ ନିଷ୍ପତି ଗ୍ରହଣ କଲେ। ୨୦୧୮ ରୁ ଅଦ୍ୟାବଧି ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ପାର୍ଟଟାଇମ୍ ହାରରେ ବେତନ ପାଇ ଆସୁଛନ୍ତି।

ଯାହା ସେମାନଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଛି। ଅଦ୍ୟାବଧି ସେମାନଙ୍କୁ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସର୍ବନିମ୍ନ ପାଉଥିବା ସୁବିଧା ସୁଯୋଗରୁ ବଂଚିତ କରାଯାଉଛି। ଏଭଳିକି ବିଗତ ବର୍ଷମାନଙ୍କରେ ବହୁ ୂକଳା ଓ କ୍ରୀଡ଼ା ଶିକ୍ଷକ ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ବରଣ କଲେ ମଧ୍ୟ ସେମାନଙ୍କୁ କୌଣସି ଅନୁକମ୍ପା ଦେଖାଇ ନାହାନ୍ତି ରାଜ୍ୟ ସରକାର ନା ସେମାନଙ୍କୁ ପ୍ରଦାନ କରାଯାଇଛି କୌଣସି ଅନୁକମ୍ପା ରାଶି। ଏପରିକି ଶିକ୍ଷୟିତ୍ରୀମାନେ ଗର୍ଭବତି ଥିବା କାରଣରୁ ଯଦିି ବିଦ୍ୟାଳୟକୁ ଯାଇପାରି ନାହାଁନ୍ତି ତେବେ ସେମାନଙ୍କ ପାରିଶ୍ରମିକ କାଟି ଦିଆଯାଇିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ୫-ଟି ବିଭାଗ ଅଧିନରେ ବହୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଢ଼ାଂଚାଗତ ପରିବର୍ତ୍ତନ ଅଣାଯାଇ ସେଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କଲାଭଳି ବ୍ୟବସ୍ଥା କରାଯାଉଛି। ଏହି ପକ୍ରିୟାରେ ଶ୍ରେଣୀ ଗୃହମାନଙ୍କରେ କଳାର ପ୍ରୟୋଗ କରାଯାଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଠ କଲାଭଳି ବିଦ୍ୟାଳୟଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ସଚିତ୍ର ଶିକ୍ଷାଦାନ ଏହି ସ୍ମାର୍ଟ କ୍ଲାସ୍ ରୁମର ହେବ ମୂଳଭିତି। ଅପର ପକ୍ଷରେ ରାଜ୍ୟ ସରକାର କଳାସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉଛନ୍ତି। କିନ୍ତୁ କଳା ଓ କ୍ରୀଡ଼ା ଶିକ୍ଷାର ଏନ୍ତୁଡ଼ିଶାଳରେ ନିଯୁକ୍ତି ପାଇଥିବା ଏହି ପାର୍ଟଟାଇମ ଶିକ୍ଷକଶିକ୍ଷୟତ୍ରୀମାନଙ୍କର ଚାକିରି ଜନିତ ଦୁର୍ଦଶା କଥା ନ କହିବା ଭଲ। ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ନିଜ କଳା ନୈପୂଣ୍ୟତା ମାଧ୍ୟମରେ ବିଦ୍ୟାଳୟ ଅଭିମୂଖୀ କରିବା ସହ ବାଲ୍ୟ ଅବସ୍ଥାରୁ ସେମାନଙ୍କୁ କଳା ଅଭିମୁଖୀ କରି ଗଢ଼ି ତୋଳିବା ଯେଉଁମାନଙ୍କର ଗୁରୁ ଦାୟୀତ୍ୱ ସେହି ଶିକ୍ଷକଶିକ୍ଷୟତ୍ରୀମାନଙ୍କର ଚାକିରିର ସ୍ଥାୟୀତ୍ୱ, ପାରିଶ୍ରମିକ ଓ ଭବିଷ୍ୟତ କଥା ବିଚାରକୁ ନେଲେ ଘନ ଅନ୍ଧକାର ଯେ ସେମାନଙ୍କ ଜୀବନକୁ ଆଚ୍ଛାଦିତ କରି ରଖିଛି ତାହା ସ୍ପଷ୍ଟ ଅନୁମେୟ। ରାଜ୍ୟ ସରକାର ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଭିନ୍ନ ଦୃଷ୍ଟିଭଙ୍ଗି ନେଇ ଏହି ସ୍ୱତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ କଥାକୁ ବିଚାର କରିବା ଓ ସେମାନଙ୍କର ଆବଶ୍ୟକତାକୁ ବୁଝି ସେମାନଙ୍କ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଅନ୍ୟାନ୍ୟ ରାଜ୍ୟର କଥାକୁ ବିଚାରକୁ ନେଲେ ବେଶ କିଛି ରାଜ୍ୟରେ ଏଭଳି ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପମାନ ସରକାର ଗ୍ରହଣ କରି ସେମାନଙ୍କର ସ୍ଥାୟୀ ନିଯୁକ୍ତି ଓ ଜୀବନ ଜୀବିକାର କଥାକୁ ସୁରକ୍ଷିିତ କରିଛନ୍ତି। ଆର୍‌.ଟି.ଇ. ଯୋଜନାରେ ନିଯୁକ୍ତ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଠିକା ଭିତ୍ତିକ ଶିକ୍ଷକଭାବରେ ପରିଗଣିତ କରିବା ପାଇଁ ସ୍ପଷ୍ଟ ନିୟମାବଳୀ ଥିଲା ବେଳେ କୌଣସି କାରଣରୁ ଆମ ରାଜ୍ୟରେ ତାହା ଅଦ୍ୟାବଧି କାଯ୍ୟକାରୀ ହୋଇପାରି ନାହିଁ। ଅନ୍ୟପଟରେ କେନ୍ଦ୍ରୀୟ ନିୟମାବଳୀରେ ଥିବା ତୃଟି କାରଣରୁ କେବଳ ୧୦୦ ରୁ ଉର୍ଦ୍ଧ ଉପସ୍ଥାନ ଥିବା ବିଦ୍ୟାଳୟମାନଙ୍କରେ ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଫଳରେ ୧୦୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନେ କଳା ଓ କ୍ରୀଡ଼ା ଶିକ୍ଷାରୁ ବଂଚିତ ହେଉଛନ୍ତି।। ସରକାର ଯେତେବେଳେ ସମସ୍ତଙ୍କୁ ସମାନ ଶିକ୍ଷା ଦେବା କଥା ପ୍ରକାଶ କରୁଛନ୍ତି, ଠିକ୍ ସେତିକିବେଳେ ସରକାରୀ ବ୍ୟବସ୍ଥାରେ ପରିଚାଳିତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏଭଳି ତାରତମ୍ୟ ନିତୀ କାହିଁକି? ଏହାକୁ ବିଚାରକୁ ନେଲେ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇ ପାରିଲେ ନିଶ୍ଚିତ ଭାବରେ ରାଜ୍ୟ ଓ ଦେଶର କଳା ସଂସ୍କୃତି ବିକଶିତ ହୋଇପାରିବ। ତତସହିତ ଆଦ୍ୟ ଜୀବନରୁ ଶିଶୁମାନଙ୍କୁ କଳାଭିମୂଖୀ କରାଯାଇ ସାମାଜିକ ସ୍ଖଳନକୁ ରୋକାଯାଇ ପାରିବ।