Odiapua.com

କଳା କୃଷି ଆଇନ ପ୍ରତ୍ୟାହାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ରେଳରୋକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନିଟି କଳା କୃଷି ଆଇନ ପ୍ରତ୍ୟାହାର, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେିରି ଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ଆଶିଶ ମିଶ୍ରଙ୍କ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା, ହତ୍ୟକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ବିବାଦୀୟ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକ ଚରମ୍ପାସ୍ଥିତ ରେଳ ଷ୍ଟେସନ ଠାରେ ରେଳରୋକ କରାଯିବା ସହ ୬ଘଣ୍ଟିଆ ଧାରଣା ଦିଆଯାଇଥିଲା । ଏହି ଆନ୍ଦୋଳନରେ ସିପିଆଇ-ଏମ, ସିପିଆଇ (ଏମଏଲ)ଲିବରେସନ, ସିପିଆଇ, କଂଗ୍ରେସ, ଏଆଇକେଏମ, ଏଆଇକେଏସର ନେତୃମଣ୍ଡଳୀ ସାମିଲ ହୋଇଥିଲେ । ଏହି ସମୟରେ କୌଣସି ଯାତ୍ରୀବାହୀ ଟ୍ରେନ ଆସିନଥିବାବେଳେ, ଆନ୍ଦୋଳନରତ ଦଳୀୟ କର୍ମକର୍ତ୍ତା ୩ଟି ମାଲବାହୀ ଟ୍ରେନକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭା ସିପିଆଇ ଏମ ନେତା ଦିବ୍ୟସିଂହ ନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ନେତୃମଣ୍ଡଳୀ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଠାରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ । ବିଶେଷକରି କେନ୍ଦ୍ର ସରକାର ଯେଭଳି ଭାବରେ କଳା କୃଷି ଆଇନକୁ ଲାଗୁ କରିବା ଜିଦ୍‌ରେ ଅଟଳ ରହିଛନ୍ତି ତାହାକୁ ନିନ୍ଦା କରିବା ସହ ଦୀର୍ଘ ୧ବର୍ଷ ଧରି ରାଜରାସ୍ତାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଉଦ୍ୟମ ବୃଥା ଯିବ ନାହିଁ ବୋଲି ବୋଲି କହିଥିଲେ । ଏହି କଳା କୃଷି ଆଇନ ପାଇଁ ସମଗ୍ର କୃଷକ ସମାଜଙ୍କ ସ୍ୱାର୍ଥ ଆଜି ବିପଦରେ ।

ଅନୁରୂପ ବିବାଦୀୟ ଶ୍ରମ କୋଡ ପାଇଁ କାର୍ଯ୍ୟରତ ଶ୍ରମିକମାନଙ୍କ ସ୍ୱାଭିମାନ, ନିରାପତ୍ତା ବିପନ୍ନ ହୋଇଛି ବୋଲି ସେମାନେ ଅଭିଯୋଗ କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସିପିଆଇ ଏମର ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣୀ, ରାଧା ଦାସ, ସିପିଆଇ ଏମଏଲର ସମର ବଳ, ଜୟନ୍ତୀ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ଦାସ, କିଶୋର ଜେନାଙ୍କ ସମେତ ସିପିଆଇର ଶୁଭେନ୍ଦ୍ର ପ୍ରତାପ ମହାନ୍ତି ବିମ୍ବାଧର ବାରିକ, ରବୀନ୍ଦ୍ର ବାରିକ, କଂଗ୍ରେସର ସୁବ୍ରତ ଦାସ, ନଳିନୀ ମହାନ୍ତି, ଭବେନ୍ଦ୍ର ସାହୁଙ୍କ ସମେତ ସେକ କାଲୁ, ସେକ କମର୍‌, ସେକ ମିଟୁ, ବିନୋଦ ସାହୁ, କାଳନ୍ଦୀ ପାତ୍ର, ପଦ୍ମାବତୀ ଖିଲାର, ହାଲିମା ବିବି, ପ୍ରହଲାଦ ପତି, ମଣ୍ଟୁ ମୁଣ୍ଡା, ସୋମବାରୀ ମୁଣ୍ଡା, ଗାୟତ୍ରୀ ବେହେରା, ବିଜୟ ବାରିକ, ଶାନ୍ତିଲତା ମାଝୀ, ରୂପା ପାତ୍ର, ହେମନ୍ତ ମହାପାତ୍ର, ରଂଜନ ଜେନା, ନଫିସ ଖାଁ, ଟନି ଅଲ୍ଲୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାବ୍ୟତୀତ ଦେଶ ତମାମ ଦେଶକୁ ସେବା ଯେଗାଉଥିବା ଅଶାକର୍ମୀ, ପାଚିକା, ଅଙ୍ଗନୱାଡ଼ି କର୍ମୀ ସମେତ କୃଷକ ସାଥୀ, ବ୍ୟାଙ୍କ ମିତ୍ର ଆଦି ଲକ୍ଷ ଲକ୍ଷ ଲୋକଙ୍କୁ ନ୍ୟାୟ ପ୍ରଦାନ, ସେମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ,୨ବର୍ଷ ଧରି କରୋନା ଯୋଦ୍ଧା ଘୋଷଣା ସାଜିଥିବା ଏମାନଙ୍କୁ ବୀମାଭୂକ୍ତ କରିବା ସହ ସେମାନଙ୍କୁ ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ବେତନ ଦେବା, ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିବାକୁ ଉପସ୍ଥିତ ନେତୃମଣ୍ଡଳୀ ଦାବି କରିଥିଲେ । ଅନୁରୂପ ସ୍କିମ ସଂସ୍ଥାଗୁଡ଼ିକର ଘରୋଇକରଣ ନିଷ୍ପତ୍ତିକୁ ରଦ୍ଦ କରିବା, ଜିଡିପିର ଶତକଡ଼ା ୬ଭାଗ ବଜେଟରେ ସ୍କିମ ୱାର୍କର୍ସଙ୍କ ପାଇଁ ବ୍ୟୟବରାଦ କରିବା ଓ ଦେଶର ସମ୍ପତ୍ତି ଗୁଡ଼ିକୁ କର୍ପୋରେଟ କମ୍ପାନୀକୁ ବିକ୍ରି କରୁଥିବା ମୋଦି ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା ।