Odiapua.com

କଳାହାଣ୍ଡି -ସ୍ଥାନୀୟ ମିଲର୍ସ ପ୍ରେମରେ ଯୋଗାଣ ବିଭାଗ, ରବିଚାଷରେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଷୀର ଧାନ ଉଠାଣ ହୋଇପାରେନି

କଳାହାଣ୍ଡି – ତା.୦୮.୧୧.୨୦୧୯(ଓଡିଆପୁଅ) ଓଡିଶାର ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ପରିଗଣିତ ହେଉଥିବା ବେଳେ ଧାନ କିଣା ବ୍ୟବସ୍ଥା ଯୋଗାଣ ବିଭାଗ ଓ ପ୍ରଶାସନ ଦ୍ୱାରା ସୁସଂଗଠିତ ଭାବେ ବ୍ୟବସ୍ଥିତ କରାଯାଇପାରୁନଥିବା ଅଭିଯୋଗ ହୋଇଆସୁଛି । ଧାନକିଣା ପ୍ରକ୍ରୀୟା ପ୍ରାରମ୍ଭରୁ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମଟୀ (ଡିଏଲପିସି) ବୈଠକ କରାଯାଇଥାଏ । ଏହି ଡିଏଲପିସି ବୈଠକ ମାନଙ୍କରେ ଜିଲ୍ଲାର ୬୦ ହଜାର ଚାଷୀଙ୍କ ମଧ୍ୟରୁ ନାମକୁ ମାତ୍ର ୩ / ୪ ଜଣ ଚାଷୀ ପ୍ରତିନିଧିଙ୍କୁ ହିଁ ସାମିଲ କରାଯାଉଥିବା ବେଳେ ୮୦ ଜଣ ମିଲର୍ସଙ୍କ ମଧ୍ୟରୁ ୧୫/୨୦ଜଣ ମିଲର୍ସଙ୍କୁ ସାମିଲ କରାଯାଉଥିବା ଦେଖାଯାଇଥାଏ । ସେହିପରି ଧାନମଣ୍ଡିରୁ ଚାଷୀଙ୍କ ଧାନକୁ ଠିକ ଭାବେ ଉଠାଣ କରିବାକୁ ଉକ୍ତ ସଭାରେ ବଆଲୋଚନା ହେଉଥିବା ବେଳେ ବାସ୍ତବ ପକ୍ଷେ ସେଭଲି କିଛି ହେଉନଥିବାର ଚାଷୀ ମହଲରେ ଅଭିଯୋଗ ହୋଇଆସୁଛି । ଅନ୍ୟପକ୍ଷରେ ଯୋଗାଣ ବିଭାଗ ଧାନମଣ୍ଡି ମାନଙ୍କରେ ମିଲର୍ସ ଟେଗିଂ ସମୟରେ ଧାନ ପରିବହନ ଖର୍ଚ୍ଚ କମାଇବା ବାହାନା କରି ସ୍ଥାନୀୟ ମିଲର୍ସଙ୍କୁ ହିଁ ମଣ୍ଡିରେ ଟେଗିଂ କରାଯିବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ସ୍ଥାନୀୟ ମିଲର୍ସ ଚାଷୀ ମାନଙ୍କୁ ସୁହାଇବା ଭଲି ସେମାନଙ୍କ ଧାନ ଉଠାଣ କରିବା ବଦଳରେ ଚାଷୀଙ୍କୁ ଅଧିକରୁ ଅଧିକ ଶୋଷଣ କରିବା ପାଇଁ ସର୍ବଦା ଚେଷ୍ଟା କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି । ମଣ୍ଡିରେ ଧାନ ବିକିବା ପାଇଁ ଆବଶ୍ୟକ ହେଉଥିବା ଚାଷୀ ପଂଜୀକରଣ ସମୟରୁ ହିଁ ସ୍ଥାନୀୟ ମିଲର୍ସ ହେରାଫେରୀ ଚଳାଉଥିବା ଜଣାପଡିଛି । କେତେକ ଲାଭଖୋର ମିଲର୍ସ ଅନ୍ୟ ଚାଷୀର ଜମିକୁ କିମ୍ବା ମୃତ ଚାଷିଙ୍କ ଜମିକୁ ସଂପୃକ୍ତ ଆରଆଇଙ୍କ ସହ ଯୋଗରେ ଭୂରାଜସ୍ୱ ଦାଖଲ କରିଦେଇ ସେହି ଜମିକୁ ଭାଗଚାଷ କରୁଥିବା ଦର୍ଶାଇ ନିଜନାମରେ କିମ୍ବା ନିଜସଂପର୍କୀୟଙ୍କ ନାମରେ ଅଥବା ନିଜ ଅନୁଗତଙ୍କ ନାମରେ ଚାଷୀ ପଂଜୀକରଣ କରିଦେଇ କମ ମୂଲ୍ୟରେ କିଣୀଥିବା ଧାନକୁ ସେହି ଚାଷୀ ନାମରେ ବିକ୍ରୀ କରି ନିଜେ ହିଁ ଉଠାଣ କରୁଥିବା ଅନେକ ଉଦାହରଣ ରହିଛି । ଏପରିକି ବିଭିନ୍ନ କଳକାରଖାନା ଥିବା ଜମି, ଚାଷ ହେଉନଥିବା ଜମି ଗୁଡିକୁ ମଧ୍ୟ ସେଭଲି ଭାବେ ଭାଗଚାଷ କରିଥିବା ଦର୍ଶାଇ ଧାନ ବିକୁଥିବା ଅଭିଯୋଗ ହେଉଛି । ଏହାବ୍ୟତୀତ ସଂପୃକ୍ତ ଲାଭଖୋର ମିଲର୍ସ ମଣ୍ଡିରେ ନିଜ ପତିଆରା ଜାହିର କରିବା ପାଇଁ ମଣ୍ଡିରେ ଟେଗିଂ ହୋଇଥିବା ଅନ୍ୟ ଅଂଚଳର ମିଲର୍ସକୁ ନାନା ପ୍ରକାର ମିଛ ଉପସ୍ଥାପନା କରିଦେଇ ହତୋତ୍ସାହ କରିଦେଉଥିବା ଏବଂ ସେହି ବାହାନାରେ ସ୍ଥାନୀୟ ମିଲର୍ସ ଅଧିକ କଟନି ଛଟନି କରି ଫାଇଦା ଉଠାଉଥିବା ପ୍ରକାଶ । ମଣ୍ଡିରେ ଧାନ ଉଠାଣ ଧିମା ହୋଇଗଲେ ଚାଷୀ ଭୀତତ୍ରସ୍ତ ହୋଇ ଅଧିକ ପରିମାଣରେ କଟନି ପାଇଁ ରାଜି ହେବା ଆଶାରେ ସ୍ଥାନୀୟ ମିଲର୍ସ ବିଭିନ୍ନ ପ୍ରକାର ବାହାନା କରୁଥିବା ଏବଂ ସେଥିପାଇଁ ସ୍ଥାନୀୟ ମିଲର୍ସ ଟେଗିଂ କରିବାକୁ ମନାକରି ବାହାର ଅଂଚଳର ମିଲର୍ସ ହିଁ ଟେଗିଂ କରିବାକୁ ଚାଷୀ ମହଲରେ ବାରମ୍ବାର ଦାବୀ କରାଯାଉଥିଲେହେଁ ଚାଷୀଙ୍କ ଦାବୀକୁ ଯୋଗାଣ ବିଭାଗ କୌଣସି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଏଭଲି ଭାବେ ଗତ ରବି ଋତୁରେ ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ମଣ୍ଡି ଯଦିଓ ସରକାରୀ ଭାବେ ଜୁନ ମାସରେ ବନ୍ଦ କରିଦିଆଯାଇଥିଲା ତଥାପି ଅନ୍ତର୍ଲା ଗ୍ରାମର ଚାଷୀ ସଂଜିବ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡା ତଥା ଅନ୍ୟ ଚାଷୀ ଙ୍କ ଧାନ ଅଗଷ୍ଟ ମାସ ପର୍ଯ୍ୟନ୍ତକୁ ଖରାବର୍ଷାରେ ମଣ୍ଡିରେ ପଡିରହିଥିବା ଦେଖା ଯାଇଥିଲା । ସ୍ଥାନୀୟ ମିଲର୍ସଙ୍କ ପ୍ରତି ଯୋଗାଣ ବିଭାଗ ଅନୁକମ୍ପା ଦେଖାଉଥିବା ବେଳେ ଚାଷୀ ଯଦିଓ ହଇରାଣ ହେଉଛି ତେବେ ସରକାର ଚାଷୀ ପ୍ରତି କିଭଲି ଦୃଷ୍ଟିକୋଣ ଦେଖାଉଛନ୍ତି ତାହା ଏହି ହାବସପୁର ଧାନମଣ୍ଡିରୁ ହିଁ ସ୍ପଷ୍ଟ ଜଣାପଡିଯାଉଛି । ସରକାରୀ କଳ କେବଳ ମିଲର୍ସଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ବେଳେ ଚାଷୀ କେବଳ ହଇରାଣ ହେଉଥିବା କେରଣରୁ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।