Odiapua.com

କଳାହାଣ୍ଡି ସାମ୍ବାଦିକ ୟୁନିଅନ (କେଜେୟୁ) ର ସାଧାରଣ ଅଧିବେସନ ଅନୁଷ୍ଠିତ, ୫ଏସ ଆଭିମୂଖ୍ୟ ନେଇ କାର୍ଯ୍ୟ କରିବ ଏସୟୁଜେ ଓଡିଶା – ରାଜ୍ୟ ସଭାପତି

କଳାହାଣ୍ଡି – ୧୯.୧୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ସାଧାରଣ ଅଧିବେସନ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀଙ୍କ ସଭାପତିତ୍ୱରେ ଭବାନୀପାଟଣାସ୍ଥିତ ଇରିଗେସନ ଡାକ ବଙ୍ଗଲା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ଗତ ୨୦୧୨ ମସିହାରେ ଗଠିତ ଏହି ସଂଗଠନ ଗତ ୨୦୧୫ ରେ ଓଡିଶା ସରକାରଙ୍କ ଠାରେ ପଂଜୀକରଣ ହୋଇଯାଇଥିବା ବେଳେ ବର୍ତମାନ ଓଡିଶା ରାଜ୍ୟ ସାମ୍ବାଦିକ ୟୂନିଅନ (ଏସ ୟୁ ଜେ ଓଡିଶା) ସହିତ ସହବନ୍ଧିତ ହୋଇଯାଇଥିବା ଘୋଷଣା କରାଯାଇଥିଲା । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ଅଜୟ ସାହୁ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଂପାଦକ ଶ୍ରୀ ମହେନ୍ଦ୍ର ଦର୍ଜି, ଏସୟୁଜେ ଉପଦେଷ୍ଠା ଶଙ୍କର୍ଷଣ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ଡିବଡିବିର ସଂପାଦକ ଭାରତ ଭୂଷଣ ଠାକୁର ଯୋଗ ଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥରଲେ । ବରିଷ୍ଠ ସାମ୍ବାଦିକ ସୂଜିତ ବେହେରା, ଜଗମୋହନ ପଟ୍ଟନାୟକ,ଦୀନେଶ ପଣ୍ଡା ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ବିଜୟ ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସାଧାରଣ ଦୁଷ୍ମନ୍ତ କୁମାର ପଣ୍ଡା ବିବରଣୀ ପାଠ କରିବା ସହିତ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଦୀର୍ଘ ଦିନ ହେବ ସାମ୍ବାଦିକ ମାନେ କୌଣସି ପ୍ରକାର ବିଚଳିତ ନହୋଇ କେଜେୟୁ ସହିତ ଯୋଡି ହୋଇ ରହିଥିବା ହେତୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । କେଜେୟୁ ସର୍ବଦା ସ୍ୱତନ୍ତ୍ର ଏବଂ ଆଗାମୀ ଦିନରେ ମଧ୍ୟ ଏହାର ସ୍ୱାତନ୍ତ୍ରତା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସଭାପତି ଶ୍ରୀ ସାହୁ କେଜେୟୁକୁ ଏସୟୁଜେରେ ସାମିଲ କରାଯାଇଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବା ବେଳେ ଏସୟୁଜେ ଆଗାମୀ ଦିନରେ ୫ଏସ ସୂତ୍ରରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ସେବା, ସମ୍ମାନ,ସ୍ୱାସ୍ଥ୍ୟ,ସୁରକ୍ଷା ଓ ସାମ୍ବାଦିକତା ଭଲି ୫ ଏସ କୁ କାର୍ଯ୍ୟକାରୀ କରିବାକୁ ଏସୟୁଜେ ଓଡିଶା ବଦ୍ଧ ପରିକର ବୋଲି ଶ୍ରୀ ସାହୁ ଜଣାଇବା ସହିତ କେଜେୟୁ ମଧ୍ୟ ଏଥିରେ ସାମିଲ ହୋଇଯାଇଥିବା ଜଣାଇଥିଲେ । ଏଥି ସହିତ ସମଗ୍ର ଓଡିଶାରେ ଏସୟୁଜେ ଓଡିଶା କଳାହାଣ୍ଡିରୁ ହିଁ ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ବର୍ଷିୟାନ ସାମ୍ବାଦିକ ତଥା ଏସୟୁଜେ ର ଉପଦେଷ୍ଠା ଶଙ୍କର୍ଷଣ ମିଶ୍ର ଦୀର୍ଘ ଦିନର ନିଜ ଅନୁଭୂତିରୁ ସାଂଗଠନିକ ପ୍ରକ୍ରୀୟା ସଂପର୍କରେ ବର୍ଣ୍ଣନା କରି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସଂପାଦକ ମହେନ୍ଦ୍ର ଦର୍ଜୀ ଏସୟୁଜେ ସହିତ ଯୋଡି ହୋଇ ରହିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ବରିଷ୍ଠ ସାମ୍ବାଦିକ ଭାରତଭୂଷଣ ଠାକୁର ନିଜର ଦୀର୍ଘ ଦିନର ଅନୁଭୂତି ବର୍ଣ୍ଣନା କରିବା ସହିତ ସାମ୍ବାଦିକ ମାନେ ଲକ୍ଷ୍ମଣରେଖା ଭିତରେ ରହି ଗଠନାତ୍ମକ ସମ୍ବାଦ ପରିବେଷଣ କରି ସ୍ଥାନୀୟ ସମସ୍ୟା ସହିତ ସମାଜର ତୃଣମୂଳ ସ୍ତରୀୟ ଆବଶ୍ୟକତା ପୂରଣ କରିବା ପାଇଁ ଲେଖନୀ ଚାଲନା କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଆଗାମୀ ଦିନରେ କେଜେୟୁ ର ସାମ୍ବାଦିକ ମାନଙ୍କୁ ନେଇ ଟ୍ରେନିଂ ବ୍ୟବସ୍ଥା କରିବା ପାଇଁ ଏବଂ ବରିଷ୍ଠ ସାମ୍ବାଦିକ ମାନଙ୍କ ଅଭିଜ୍ଞତା ଆଧାରରେ କନିଷ୍ଠ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇ ପାରିଲେ ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକ ମାନେ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । କେଜେୟୁରେ ସାମିଲ ହେବାକୁ ଆସିଥିବା ୧୨ ଜଣଙ୍କ ଦରଖାସ୍ତ ଉପରେ ଆଲୋଚନା କରାଯାଇ ସେମାନଙ୍କୁ ସାମିଲ କରାଯାଇଥିଲା । ଅତ୍ୟନ୍ତ ସ୍ୱଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ହେତୁ କାର୍ଯ୍ୟବ୍ୟସ୍ତତା ହେତୁ କେତେକ ସାମ୍ବାଦିକ ଯୋଗ ଦେଇ ପାରି ନଥିବା ବେଳେ ସେମାନଙ୍କ ବାର୍ତା ପଠାଇଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଥିବା ଘଟନା ବିଶେଷ କରି କୋକସରା ବ୍ଲକ କାଉଡଲା ଠାରେ ସମ୍ବାଦ ପରିବେଷଣକୁ ନେଇ ବସନ୍ତ ସରାବୁଙ୍କୁ ଆକ୍ରମଣ ହୋଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଶେଷରେ ସାଧାରଣ ସଂପାଦକ ଦୁଷ୍ମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।