Odiapua.com

କଳାହାଣ୍ଡି ସରକାରୀ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା: ଆବଶ୍ୟକୀୟ ଭିତିଭୂମି ଯୋଗାଇଦେବାକୁ ଦାବି ହେଉଛି

କଳାହାଣ୍ଡି- ୧୦.୦୩.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଗଡଜାତ ଅଂଚଳରେ ଶିକ୍ଷାର ବିକାଶ ପାଇଁ ମାତ୍ର ୨୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୧୯୬୦ ମସିହା ଜୁଲାଇ ୧୮ ତାରିଖ ଦିନ ପ୍ରତିଷ୍ଠା ହୋଇଥିବା କଳାହାଣ୍ଡି ସରକାରୀ ବିଜ୍ଞାନ ମହାବିଦ୍ୟାଲୟ ୨୦୧୯ ମାର୍ଚ୍ଚ ମାସରେ ଏକକ ବିଶ୍ୱବିଦ୍ୟାଳୟ ଭାବରେ ମାନ୍ୟତା ପାଇଛି।

ସମଗ୍ର ଅବିଭକ୍ତ କଳାହାଣ୍ଡି ଏବଂ ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ମହାବିଦ୍ୟାଳୟ ବର୍ତମାନର ପଶ୍ଚିମ ଛାତ୍ରାବାସ କୋଠାରେ ବେସରକାରୀ ଭାବେ ଆରମ୍ଭ ହୋଇଥିବା ବେଳେ ୧୯୬୧ ମସିହା ଡିସେମ୍ବର ୧ତାରିଖ ଦିନ ସରକାର ଏହାକୁ କଳାହାଣ୍ଡି ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଭାବେ ସ୍ୱୀକୃତି ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ଏନ୍ତୁଡିଶାଳ ଭାବେ ପରିଚିତ ଏହି ମହାବିଦ୍ୟାଳୟ ଅନେକ ଶିକ୍ଷାବିତ ସୃଷ୍ଟି କରିପାରିଛି। ୨୦୦୨ ମସିହାରେ ଏହି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷା ଓ ଭିତିଭୂମିର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ଏହାକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ମାନ୍ୟତା ପ୍ରଦାନ କରିଥିଲେ। ୨୦୦୪-୦୫ ମସିହାରେ ନାକ ଟିମ ଦ୍ୱାରା ସ୍ୱୀକୃତ ହୋଇ ବି- ପ୍ଲସ କଲେଜ ୱିଥ ପୋଟେନସିଆଲ ଫର ଏକ୍ସେଲେନ୍ସ ଭଲି ମର୍ଯ୍ୟାଦା ହାସଲ କରିଥିବା ବେଳେ ୨୦୦୫ ମସିହାରେ ୟୁଜିସି ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ମର୍ଯ୍ୟାଦା ହାସଲ କରିବା ପରେ ଦେଶର ୫୨ ଟି କଲେଜ ମଧ୍ୟରୁ ଏହି କଲେଜ ସ୍ୱତନ୍ତ୍ର ଭାବେ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ମାଇଲଖୁଂଟ ଭାବେ ପ୍ରତିପାଦିତ ହୋଇପାରିଥିଲା। ୨୦୧୦ ମସିହାରେ ତକ୍ରାଳୀନ ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ-ଚାନସେଲରଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ କମିଟୀ ଅନୁଧ୍ୟାନ କରିବାପରେ ବିଭିନ୍ନ ସଂଗଠନ ଗୁଡିକ ପକ୍ଷରୁ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଦାବି କରାଯାଇଥିଲା। ରାଜ୍ୟ ସରକାର ଗତ ମାର୍ଚ୍ଚ ୬ ତାରିଖରେ କଳାହାଣ୍ଡି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି। ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯିବା ପରେ ଶିକ୍ଷାବିତ ମହଲରେ ଖୁସିର ଲହରୀ ଖେଲିଯାଇଛି। ବିଶ୍ୱବିଦ୍ୟାଳୟ ଭାବେ ଏହି ଅଂଚଳରେ ଗବେଷଣା ପାଇଁ ସହାୟକ ହୋଇପାରିବ ବୋଲି ଶିକ୍ଷାବିତ ମହଲରେ ମତପ୍ରକାଶ ପାଇଥିବା ବେଳେ ଏହି ଜିଲ୍ଲାର ଏବଂ ଆଖପାଖ ଜିଲ୍ଲାର ବିଭିନ୍ନ କଲେଜକୁ ଏଥିରେ ସାମିଲ କରାଯାଇ ଏଫିଲେଟେଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦେଇଥିଲେ ଅନୁନ୍ନତ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମଧ୍ୟ ମତ ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବର୍ତମାନ ଏହି ମହାବିଦ୍ୟାଲୟରେ ୩୪ ଟି ଅଧ୍ୟାପକ ପଦବୀ ଖାଲିପଡିଥିବା ହେତୁ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଲାଗିରହିଛି। ମହାବିଦ୍ୟାଳୟରେ ୧୯ଟି ବିଭାଗରେ ଯୁକ୍ତ ୩ ରେ ୬୦ଟି ଅଧ୍ୟାପକ ପଦବୀ ଥିବା ବେଳେ ୩୦ଟି ପଦବୀ ଖାଲିପଡିଛି। ସେହିପରି ଯୁକ୍ତ ୨ ନିମନ୍ତେ ୨୬ ଟି ପଦବୀ ଥିବା ବେଳେ ୪ ଟି ଖାଲି ପଡିଛି। କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଇଂରାଜୀ, ଓଡିଆ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗରେ ଛାତ୍ରଛାତ୍ରୀ ମାନେ ସ୍ନାତକୋତର ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। ସେହିପରି ଇତିହାସ ଓ ଓଡିଆ ବିଭାଗରେ ଏମ ଫିଲ କୋର୍ସ ଖୋଲାଯାଇଛି। ସେଲ୍ଫ ଫାଇନାନ୍ସ କୋର୍ସରେ ବିଇଡି ଓ କମ୍ପୁ୍ୟଟର ବିଜ୍ଞାନ ଥିବା ବେଳେ ସେଲ୍ଫ ଫାଇନାନ୍ସ ପିପିପି ମୋଡରେ ବିବିଏ, ବିସିଏ, ଏମଏଫସି, ଏମଏସଡବଲୁ୍ୟ କୋର୍ସ ଥିବା ଜଣାପଡିଛି। ଛାତ୍ରଛାତ୍ରୀ ଅଭାବରୁ ସାମ୍ବାଦିକତା ପାଠ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ବେଳେ ଅଧ୍ୟାପକ ଅଭାବରୁ ଆର୍କିଓଲୋଜି, ମ୍ୟୁଜୋଲୋଜି ତଥା ଫୁ୍ୟଚର ଇଂରାଜୀ ଭଲି କୋର୍ସ ବନ୍ଦ ରଖାଯାଇଥିବା ଜଣାପଡିଛି। ବର୍ତମାନ ର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନିଜସ୍ୱ ୫୫ ଏକର ୩୫ ଡିସମିଲ ଜମି ରହିଥିବା ରେକର୍ଡପତ୍ରରୁ ଜଣାପଡିଥିବା ବେଳେ ଏହାର ୯ଏକର ୧୦ ଡିସମିଲ ଜମିରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ସହରାଂଚଳ ପାଇପ ପାଣି ଯୋଗାଣ କେନ୍ଦ୍ର ପାଇଁ ୬୦ ଡିସମିଲ ଜମି ଦିଆଯôାଇଥିବା ପ୍ରକାଶ। ଏନେଇ ଅଧ୍ୟକ୍ଷଙ୍କ ଠାରୁ ଚିଠି ନଂ-୨୨୦/୦୧.୦୨.୨୦୧୯ ରେ ୬୦ ଡିସମିଲ ଜମିରେ ୪.୫ ଲକ୍ଷ ଲିଟର ପାଣିଟାଙ୍କି ନିର୍ମାଣ ପାଇଁ ଅନୁମତି ଦିଆଯାଇଥିବା ବେଲେ କର୍ତ୍ତୃପକ୍ଷ କଲେଜକୁ ପାନୀୟ ଜଳ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେହେଁ ନିର୍ମାଣ ସରିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପାଣି ଯୋଗାଇ ଦିଆଯାଉନାହିଁ।

ବର୍ତମାନ ପୁରୁଣା କୋଠାରେ ଚାଲିଥିବା ଏହି ମହାବିଦ୍ୟାଳୟ ଆଗକୁ ବିଶ୍ୱବିଦ୍ୟାଳୟ ହେବାପରେ ସେଥିପାଇଁ ବହୁ ଜମି ଆବଶ୍ୟକ ଥିବା ବେଳେ ଏହାର ଜମି ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ ପ୍ରକ୍ରୀୟା ମଧ୍ୟ କରାଯାଇପାରିନାହିଁ। ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିତିଭୂମି ଯୋଗାଇ ଦେଇ ଏହାକୁ ସ୍ୱୟଂ ସଂପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ ପରାଯିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।